ETV Bharat / bharat

ସଂକ୍ରମଣକୁ ବେଖାତିର, ଜୀବନ ସହ ଖେଳୁଛି ସରକାରୀ ବ୍ୟବସ୍ଥା !

author img

By

Published : Apr 15, 2021, 9:28 PM IST

Updated : Apr 16, 2021, 11:04 PM IST

ମହାମାରୀ କୋରୋନା ଗ୍ରାଫ ଉପରମୁହାଁ ହୋଇଥିବା ସତ୍ତ୍ବେ ଦେଶର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରସୋରରେ ପ୍ରଚାର । ବିରୋଧୀ ହେଉ କି କ୍ଷମତାସୀନ, ସବୁ ଦଳର ପ୍ରଚାର ରାଲିରେ ଏକଜୁଟ ହେଉଛନ୍ତି ଲକ୍ଷ ଲକ୍ଷ ଜନସାଧାରଣ । କେବଳ ରାଲି ନୁହେଁ ସେପଟେ ହରିଦ୍ବାରର କୁମ୍ଭମେଳାରେ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସଂକ୍ରମଣ ରୋକିବା ଦିଗରେ ସୃଷ୍ଟି କରିଛି ବଡ ଚ୍ୟାଲେଞ୍ଜ । ଅଧିକ ପଢନ୍ତୁ...

ସଂକ୍ରମଣକୁ ବେଖାତିର , ଜୀବନ ସହ ଖେଳୁଛି ସରକାରୀ ବ୍ୟବସ୍ଥା !
ସଂକ୍ରମଣକୁ ବେଖାତିର , ଜୀବନ ସହ ଖେଳୁଛି ସରକାରୀ ବ୍ୟବସ୍ଥା !

ନୂଆଦିଲ୍ଲୀ: ମୃତ୍ୟୁର ମାୟାଜାଲ ଆଉ ମନରେ ଅସମ୍ଭାବିତ ଭୟ । ଚାରିଆଡ ଶୁନ୍ ଶାନ । ଘରୁ ଗୋଡ କାଢିଲେ ଛାତିରେ ପଶୁଥିଲା ଛନକା । ପାଦେ ପାଦେ ଡରାଉଥିଲା ଅଦୃଶ୍ୟ ଶତ୍ରୁ । ବେଳ ଥାଉ ଥାଉ ସରକାର ହୋଇପଡିଥିଲେ ସତର୍କ ଆଉ ଜନସାଧାରଣ ବି ହୋଇଯାଇଥିଲେ ସଚେତନ । ହେଲେ ଏବେ ଖାମଖିଆଲି ମନରୁ ଉଭାନ ସେ ଭୟ ।

ବର୍ଷ 2020...କାୟା ବିସ୍ତାର କରୁଥିଲା ମହାମାରୀ କୋରୋନା । ଗଡିଚାଲିଥିଲା ଗୋଟିଏ ପରେ ଗୋଟିଏ ମୁଣ୍ଡ । ଭୟର ବାତାବରଣ ମଧ୍ୟରେ ବିତୁଥିଲା ଜୀବନ । ଜୀବୀକାଠୁ ଉର୍ଦ୍ଧ୍ବରେ ଜୀବନକୁ ଗୁରୁତ୍ବ ଦେଇଥିଲେ ସରକାର । ଭ୍ୟାକ୍ସିନ ଉପଲବ୍ଧ ନଥିବା ବେଳେ ଶତାବ୍ଦୀର ଏହି ବଡ ସଙ୍କଟ ଲଢେଇରେ ଅସ୍ତ୍ର ସାଜିଲା ମାସ୍କ, ସାନିଟାଇଟଜର । ସୁରକ୍ଷାର ଗୋଟିଏ ମନ୍ତ୍ର ଥିଲା ସାମାଜିକ ଦୂରତା । ଆଉ ଏଥିସହ ଦେଶ କୋରୋନାକୁ ମାତ ଦେଇ ଆଗେଇଚାଲିଲା । କମିଲା ସଂକ୍ରମଣ ସ୍ତର । ହେଲେ ବିପଦ ଟଳିନଥିଲା । ଆଉ ଏହି ବିପଦକୁ ହାତ ଠାରି ପୁଣି ଡାକିଲେଣି କିଛି ଅମାନିଆ ଓ ନିୟମ ଉଲ୍ଲଙ୍ଘନକାରୀ ।

ଦିନ ଗଡିଚାଲିବା ସହିତ ଲୋକଙ୍କୁ ମନରୁ କୋରୋନା ପ୍ରତି ଥିବା କୋକୁଆ ଭୟ ଉଭେଇଛି । ଯାହାର ପରିଣାମ ସ୍ବରୂପ ଆଜି ପୁଣି ମାଡି ଆସୁଛି ସେହି ରାକ୍ଷାସରୂପୀ ମରାତ୍ମକ ମହାମାରୀ । ଦେଶରେ ଜଳରାଶି ଭଳି କାୟା ବିସ୍ତାର କରୁଛି କୋରୋନା । ଏଭଳି ପରିସ୍ଥିତିରେ ଲୋକ ନା ମାସ୍କ ପିନ୍ଧୁଛନ୍ତି ନା ସାମାଜିକ ଦୂରତା କଟକଣା ମାନୁଛନ୍ତି । ସେପଟେ ଧାର୍ମିକ ଆୟୋଜନ, ନିର୍ବାଚନୀ ରାଲି କୋରୋନାର ଉର୍ଦ୍ଧ୍ବମୁହାଁ ଗ୍ରାଫକୁ ଆହୁରି ଟାଣୁଛନ୍ତି । ନିର୍ବାଚନୀ ସଭା ଓ ପ୍ରଚାରରେ କୋଭିଡ କଟକଣାକୁ ଉଲ୍ଲଂଘନ ଓ କୁମ୍ଭମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁ କୋରୋନା ସଂକ୍ରମଣର ଭୟକୁ ବଢାଇଦେଉଛି ।

ମହାମାରୀର ଦ୍ବିତୀୟ ଲହରୀରେ ସ୍ଥିତି ଏବେ ଭୟଙ୍କର ରୂପ ନେଉଛି । ବଢିଚାଲିଛି ସଂକ୍ରମଣ । ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ଦେଶର ସଂକ୍ରମଣ ହାର । ଦୈନିକ 2 ଲକ୍ଷ ପଜିଟିଭ ମାମଲା ସାମ୍ନାକୁ ଆସୁଛି । ଆଉ ଏହାରି ମଧ୍ୟରେ ଧାର୍ମିକ ଆୟୋଜନ ହେଉ କି ରାଲି, ପ୍ରତ୍ୟେକ ଦିନ ଲକ୍ଷଲକ୍ଷ ଲୋକଙ୍କୁ ନିଜ କବଳକୁ ନେଉଛି କୋରୋନା । ଏଭଳିସ୍ଥିତିରେ ପ୍ରଶ୍ନ ଉଠୁଛି କୋରୋନା ଉପରେ କିଭଳି ଲାଗିବ ଲଗାମ ? କଣ ପାଇଁ ସଚେତନ ହେଉନାହାନ୍ତି ସରକାର ? ବ୍ୟବସ୍ଥାକୁ କିଏ କରୁଛି ଚ୍ୟାଲେଞ୍ଜ ? ତମାମ ପ୍ରଶ୍ନ ମଧ୍ୟରେ ଯିଏ ବ୍ୟବସ୍ଥା ଗଢୁଛନ୍ତି ସେ ହିଁ ତାକୁ ଭାଙ୍ଗୁଛନ୍ତି ବୋଲି ମନେହେଉଛି ।

ମହାମାରୀ କୋରୋନା ଗ୍ରାଫ ଉପରମୁହାଁ ହୋଇଥିବା ସତ୍ତ୍ବେ ଦେଶର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରସୋରରେ ପ୍ରଚାର । ବିରୋଧୀ ହେଉ କି କ୍ଷମତାସୀନ, ସବୁ ଦଳର ପ୍ରଚାର ରାଲିରେ ଏକଜୁଟ ହେଉଛନ୍ତି ଲକ୍ଷ ଲକ୍ଷ ଜନସାଧାରଣ । କେବଳ ରାଲି ନୁହେଁ ସେପଟେ ହରିଦ୍ବାରର କୁମ୍ଭମେଳାରେ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସଂକ୍ରମଣ ରୋକିବା ଦିଗରେ ସୃଷ୍ଟି କରିଛି ବଡ ଚ୍ୟାଲେଞ୍ଜ ।

ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଦେଶର 4 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ବାଜିଥିଲା ବିଗୁଲ । ସଜେଇ ହୋଇଥିଲା ମୈଦାନ । ଭାରତ ମହାମାରୀ ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ ନିର୍ବାଚନୀ ରଣକ୍ଷେତ୍ରର ଯୁଦ୍ଧ ଦେଖିବାକୁ ମୈଦାନକୁ ବାହାରି ପଡିଥିଲେ ଜନସାଧାରଣ । ସାମାଜିକ ଦୂରତାକୁ ବେଖାତିର ସହିତ ବେଲଗାମ ହୋଇଥିଲେ ନେତା ଓ ସେମାନଙ୍କ ସମର୍ଥକ ।

ପଶ୍ଚିମବଙ୍ଗର ନିର୍ବାଚନୀ ରାଲି ଓ ରୋଡ ଶୋରେ ଯେଭଳି ଭାବେ ନିୟମର ଜବରଦସ୍ତ ଉଲ୍ଲଂଘନ ଦୃଶ୍ୟ ସାମ୍ନାକୁ ଆସୁଛି, ଏହି ଆଧାରରେ କୋରୋନା ସଂକ୍ରମଣର ଭୟଙ୍କର ବିସ୍ଫୋରକ ଅନୁମାମ ଲଗାଯାଇପାରେ । ତେବେ ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ସଂଖ୍ୟା 5 ହଜାରରୁ ଉର୍ଦ୍ଧ୍ବ ରହିଛି । ଗୋଟିଏ ଦିନରେ ଯାଇଛି 24 ଜଣଙ୍କର ଜୀବନ ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର 4 ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆଉ 4 ପର୍ଯ୍ୟାୟ ମତଦାନ ବାକି ରହିଛି । ମତଦାନ ପ୍ରକ୍ରିୟା ସରିବା ପରେ ବଙ୍ଗ ପାଲଟିବ କି କୋରୋନାର ହଟସ୍ପଟ ? ଏହି ପ୍ରଶ୍ନ ମଧ୍ୟରେ ପଶ୍ଚିମବଙ୍ଗର ଆଖପାଖ ରାଜ୍ୟ ମଧ୍ୟ କୋରୋନା କବଳରେ କବଳିତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

ଏହା ବି ପ୍ରଶ୍ନ କରାଯାଇପାରେ କି ଛୋଟ ଛୋଟ ଘଟଣାରେ ତୁରନ୍ତ ଆକ୍ସନ ନେଉଥିବା ନିର୍ବାଚନ କମିଶନର ଏବେ କୋରୋନା ସଂକ୍ରମଣକୁ ନେଇ କଣ ପାଇଁ ହେଉନାହାନ୍ତି ଗମ୍ଭୀର ? ବଙ୍ଗରେ ସାମାଜିକ ଦୂରତାର ଉଲ୍ଲଂଘନକୁ ଦୃଷ୍ଟିରେ ରଖି ହାଇକୋର୍ଟ ମଧ୍ୟ ଆପଣାଇଛନ୍ତି କଡା ଆଭିମୁଖ୍ୟ । ପ୍ରଚାରବେଳେ କୋଭିଡ ଗାଇଡଲାଇନ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପଶ୍ଚିମବଙ୍ଗରେ କୋରୋନା ଉତ୍କଟ ସ୍ଥିତି ଥିବା ଜଣାପଡିଛି । ଆଉ ସଂକ୍ରମଣ ବୃଦ୍ଧି ପାଇବାର ମୁଖ୍ୟ କାରଣ ନିର୍ବାଚନୀ ରାଲି ବୋଲି ଜୋର ଦେଇ କୁହାଯାଇପାରେ ।

ପଶ୍ଚିମବଙ୍ଗରେ କୋରୋନା ସଂକ୍ରମଣ ବୃଦ୍ଧିର ଦୋଷ ଛଡାଇବାକୁ ଅନ୍ୟଦଳ ମୁଣ୍ଡରେ ଅଠା ବୋଳିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋରୋନାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ମମତା । ବାହାର ଲୋକ ଆସି ପଶ୍ଚିମବଙ୍ଗରେ କୋରୋନା ବିସ୍ତାର କରିଯାଇଥିବା ଅଭିଯୋଗ କରୁଛନ୍ତି ଦିଦି ।

କେବଳ ନିର୍ବାଚନୀ ରାଲିରେ ନୁହେଁ, ଧର୍ମିକ ଆୟୋଜନରେ ମଧ୍ୟ ଜମୁଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ । କୋରୋନା ମହାମାରୀ ଭାରତର ସମସ୍ତ ରାଜ୍ୟରେ ବ୍ୟାପୁଥିବା ସମୟରେ ଚାଲୁ ରହିଛି ବିଶ୍ବର ମହାନ ଧାର୍ମିକ କାର୍ଯ୍ୟକ୍ରମ କୁମ୍ଭମେଳା । ତେବେ ଏଥିରେ ମଧ୍ୟ କୋରୋନା ନିଜରକାୟା ବିସ୍ତାର କରିଥିବା ଦେଖିବାକୁ ମିଳିଛି । କୋରୋନା କଟକଣାକୁ ଭୁଲିଯାଇ ଲକ୍ଷ ଲକ୍ଷ ଭକ୍ତ ଏହି ମେଳାରେ ସାମିଲ ହେଉଛନ୍ତି । ମାସ୍କ ଓ ସାମାଜିକ ଦୂରତାକୁ ଭୁଲିଯାଇଛନ୍ତି ଶ୍ରଦ୍ଧାଳୁ । ଏଣୁ ଏଠାରେ କୋରୋନା ଦେଖାଇଛି ନିଜର ଉଗ୍ର ରୂପ । ଗତ ୫ ଦିନ ଭିତରେ ଉତ୍ତରାଖଣ୍ଡରୁ ମୋଟ ୨୧୬୭ ଜଣ କୋରୋନାରେ ହୋଇସାରିଲେଣି ଆକ୍ରାନ୍ତ ।

ହରିଦ୍ବାରରେ କୁମ୍ଭମେଳାରେ କୋରୋନା ଗାଇଡଲାଇନର ଘୋର ଉଲ୍ଲଂଘନର ପ୍ରଭାବ ଏବେ ଦେଖିବାକୁ ମିଳୁଛି । ଗତ 72 ଘଣ୍ଟାରେ ହରିଦ୍ବାରରୁ କେବଳ 1527 କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ହରଦ୍ବାରର କୁମ୍ଭମେଳାରେ ବର୍ତ୍ତମାନସୁଦ୍ଧା 3ଟି ସାହିସ୍ନାନ ହୋଇସାରିଛି । ତୃତୀୟ ସାହିସ୍ନାନ ସମୟରେ ପାଖାପାଖି 12.51 ଜଣ ଶ୍ରଦ୍ଧାଳୁ ଗଙ୍ଗାରେ ବୁଡ ପକାଇଥିଲେ । 12 ଏପ୍ରିଲ ସୋମବାର ଦ୍ବିତୀୟ ସାହିସ୍ନାନରେ 408 ପଜିଟିଭ ମାମଲା ସାମ୍ନାକୁ ଆସିଥିଲା । ସେହିପରି 13 ଏପ୍ରିଲରେ 594 ଓ 14 ଏପ୍ରିଲରେ 525 ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି ।

କୋରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ହରିଦ୍ବାର କୁମ୍ଭମେଳା ଅବଧି ବୃଦ୍ଧି କରିବାକୁ ମନା କରିଦେଇଛନ୍ତି ଉତ୍ତରାଖଣ୍ଡ ସରକାର । ସରକାରଙ୍କ ପକ୍ଷରୁ ଜାରି ବୟାନରେ କୁହାଯାଇଛି, ମେଳାର ଅବଧି କମାଇବା ଉପରେ ନା କୌଣସି ବିଚାର କରାଯାଇଛି ନା ଏ ସମ୍ବନ୍ଧରେ କେନ୍ଦ୍ରକୁ କୌଣସି ପ୍ରସ୍ତାବ ପଠାଇଯାଇଛି । ତେବେ ନିର୍ଦ୍ଧାରିତ ସମୟସୀମା 30 ଏପ୍ରିଲ ପୂର୍ବରୁ ସମାପ୍ତ ହେବନାହିଁ କୁମ୍ଭମେଳା । ଏଭଳିସ୍ଥିତିରେ କୋରୋନା ଉପରେ କିଭଳି ଲଗାମ ଲାଗିବ ତାହା ଚିନ୍ତାଜନକ ବିଷୟ ।

କୋରୋନା ସଂକ୍ରମଣକୁ ରୋକିବାକୁ ସ୍କୁଲ କଲେଜରେ ତାଲା ଝୁଲାଉଥିବା ସରକାରଙ୍କୁ ରାଲିରେ କୋରୋନା ନଜର ଆସୁନଥିବା ଆଶ୍ଚର୍ଯ୍ୟର ବିଷୟ । ମହାମାରୀର ଭୟାବହତାକୁ ଦେଖି ଅନେକ ରାଜ୍ୟରେ ଏବେ ଲକଡାଉନ ଓ କର୍ଫ୍ୟୁ ଫେରିଥିବା ବେଳେ ନିର୍ବାଚନୀ ରାଲି ଆଉ ଧାର୍ମିକ ସମାରୋହରେ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ । ଏଭଳିସ୍ଥିତିରେ ସରକାର କେବେ ଚେତିବେ ଏନେଇ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ । ଯଦି ସ୍ଥିତି ହାତରୁ ଖସିଯାଏ, ତାହେଲେ କୋରୋନାର ରୂପ ଯେ କେତେ ଭୟଙ୍କର ହେବ ତାହା ଅନୁମାନ କଷ୍ଟ । ରାଲି ଓ କୁମ୍ଭମେଳା ନାଁରେ ବ୍ୟବସ୍ଥାକୁ ବିଗାଡିବା ପରେ ସରକାର ଯେ ଅନ୍ଧାରରେ ବାଡି ବୁଲାଇବେ ଏକଥାକୁ ଅସ୍ବୀକାର କରିହେବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2021, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.