ETV Bharat / bharat

ଘର ବୁଡି ପାଣି ଆଣ୍ଠୁଏ, ଡେରିରେ ଚେତିଲେ କି ସରକାର ?

author img

By

Published : Apr 19, 2021, 10:53 PM IST

Updated : Apr 20, 2021, 7:19 AM IST

କୋରୋନାର ଦ୍ବିତୀୟ ଲହରୀ ନୁହେଁ ବରଂ ସୁନାମୀ କହିଲେ ଅତ୍ୟୁକ୍ତି ହେବନାହିଁ । ଅନେକ ରାଜ୍ୟରେ ଫେରିଛି କଟକଣା ଓ ନାଇଟ କର୍ଫ୍ୟୁ । ଲକଡାଉନକୁ ନେଇ ମଧ୍ୟ ଚାଲିଛି ବିଚାର ବିମର୍ଶ । କାହିଁକି ଆଗରୁ ଚେତିଲେନି ସରକାର ? ଅଧିକ ପଢନ୍ତୁ...

ଘରବୁଡି ପାଣି ଆଣ୍ଠୁଏ, ଡେରିଲେ ଚେତିଲେ କି ସରକାର ?
ଘରବୁଡି ପାଣି ଆଣ୍ଠୁଏ, ଡେରିଲେ ଚେତିଲେ କି ସରକାର ?

ନୂଆଦିଲ୍ଲୀ: ଭାରତରେ ମହାମାରୀର ଭୟାବହତା । ଛାତି ଥରାଉଛି କୋରୋନାର କରାଳ ରୂପ । ମହାମାରୀର ମାୟାଜାଲରେ ଛନ୍ଦି ହୋଇଚାଲିଛି ଦେଶ । ମନକୁ ବିଚଳିତ କରୁଛି ମଶାଣିରେ ଅନବରତ ଜଳୁଥିବା ମୃତଦେହ । ଏହା କୋରୋନାର ଦ୍ବିତୀୟ ଲହରୀ ନୁହେଁ ବରଂ ସୁନାମୀ କହିଲେ ଅତ୍ୟୁକ୍ତି ହେବନାହିଁ । ହେଲେ ଖୋଲା କବାଟର ସୁଯୋଗ ନେଇ କୋରୋନା ଘରେ ପଶି ଆତଙ୍କ ଖେଳାଇବା ପରେ ସରକାରଙ୍କର ଭାଙ୍ଗିଛି ନିଦ ।

ମହାମାରୀ କୋରୋନାର ସାମ୍ପ୍ରତିକ ପରିସ୍ଥିତି ବର୍ଷ 2020ର ଭୟାବହତାକୁ ମନେ ପକାଇ ଦେଉଛି । ଅନେକ ରାଜ୍ୟରେ ଫେରିଛି କଟକଣା ଓ ନାଇଟ କର୍ଫ୍ୟୁ । ଲକଡାଉନକୁ ନେଇ ମଧ୍ୟ ଚାଲିଛି ବିଚାରବିମର୍ଶ । ସ୍ଥିତି ଅଣାୟତ ହେଉଥିବା ଦେଖି ମହାରାଷ୍ଟ୍ର ସରକାର ରାଜ୍ୟରେ କର୍ଫ୍ୟୁ ଲଗାଇ ଦେଇଥିବା ବେଳେ ଏପଟେ ଦିଲ୍ଲୀ ମୁ୍ଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ରାଜଧାନୀରେ ଘୋଷଣା କରିସାରିଛନ୍ତି ଲକଡାଉନ । ସ୍ଥିତି ଏଭଳି କି ଏବେ ବିଭିନ୍ନ ରାଜ୍ୟର ହାଇକୋର୍ଟ ସରକାରଙ୍କୁ ଲକଡାଉନ ଉପରେ ବିଚାର କରିବାକୁ ଆଦେଶ ଦେଇଛନ୍ତି । ତେବେ ପ୍ରଶ୍ନ ଉଠୁଛି କଣ ପାଇଁ ଦେଶରେ ଉପୁଜିଲା ଏଭଳି ଉତ୍କଟ ସ୍ଥିତି ? କଣ ପାଇଁ ୟୁଟର୍ଣ୍ଣ ନେଲା କୋରୋନା ? କାହିଁକି ଆଗରୁ ଚେତିଲେନି ସରକାର ? ତମାମ ପ୍ରଶ୍ମ ମଧ୍ୟରେ କେଉଁଠି ନା କେଉଁଠି ବ୍ୟବସ୍ଥାରେ ଢିଲା କୋରୋନାକୁ କଡ ଲେଉଟାଇ ପୁଣି ଆକ୍ରମଣ କରିବାର ସୁଯୋଗ ଦେଇଛି ।

ଦେଶରେ ଭ୍ୟାକ୍ସିନ ଉପଲବ୍ଧ ହେବା ପରେ ଜନସାଧାରଣଙ୍କ ମନରୁ ଉଭାନ ଭୟ । ନା ଆଗପରି ଆଉ ଆଉ ସେ ସତର୍କତା ଦେଖିବାକୁ ମିଳୁଛି ନା ସଚେତନତା । ଦିନକୁ ଦିନ ରେକର୍ଡ ଭାଙ୍ଗୁଛି କୋରୋନା । ଅଢେଇ ଲକ୍ଷ ଟପୁଛି ଦୈନିକ ସଂକ୍ରମଣ । ଗଡି ଚାଲିଛି ଶହ ଶହ ମୁଣ୍ଡ । ହେଲେ ଅମାନିଆ ଆଜି ବି ଅବୁଝା । ଆଉ ଏମାନଙ୍କୁ ବୁଝାଇବା ପାଇଁ ଖୋଦ ବେଲଗାମ ହୋଇପଡିଛି ସରକାରୀ ବ୍ୟବସ୍ଥା ଓ ନିୟମ ।

ଗତ ବର୍ଷ ଅର୍ଥାତ 2020ର ସ୍ଥିତି ଉପରେ ଯଦି ନଜର ପକାଇବା ତାହେଲେ ଭାରତରେ ଅଦୃଶ୍ୟ ଶତ୍ରୁ ପାଦ ଥାପିବା ମାତ୍ରେ ସତର୍କ ହୋଇପଡିଥିଲେ ସରକାର । ଯଦିଓ ଅର୍ଥନୀତିର ଅଣ୍ଟା ଭାଙ୍ଗିବାର ଡର ରହିଥିଲା ତଥାପି ଜୀବନକୁ ଅଧିକ ଗୁରୁତ୍ବ ଦେଇ କଟକଣା ଲାଗୁ କରିଥିଲେ ସରକାର । ଆଉ ଧିରେ ଧିରେ ନିୟନ୍ତ୍ରଣାଧିନ ହୋଇଆସୁଥିଲା କୋରୋନା ସଂକ୍ରମଣ । ହେଲେ ପରେ ବ୍ୟବସ୍ଥାରେ ଢିଲା ପୁଣି ସ୍ଥିତିକୁ ଗାଡିଦେଇଛି ।

ପ୍ରତିଦିନ ରେକର୍ଡ ସ୍ତରରେ କୋରୋନା ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସୁଛି । ଏହାସହ ସର୍ବାଧିକ ସଂଖ୍ୟକ ମୃତ୍ୟୁ ମଧ୍ୟ ରିପୋର୍ଟ ହେଉଛି । ଦେଶରେ ଦୈନିକ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ କୋରୋନାରେ ହେଉଛନ୍ତି ଆକ୍ରାନ୍ତ । ସୋମବାର 24 ଘଣ୍ଟାରେ 2 ଲକ୍ଷ 73 ହଜାର 810 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଖି ବୁଜିଛନ୍ତି 1619 ସଂକ୍ରମିତ ।

କୋରୋନାର ଭୟାବହତା ସତ୍ତ୍ବେ ଚାଲିଛି ନିର୍ବାଚନୀ ପ୍ରଚାର । ଲକ୍ଷ ଲକ୍ଷ ଜନଗହଳି ମଧ୍ୟରେ ହେଉଛି ନେତାଙ୍କ ରୋଡ ଶୋ । ସ୍ଥିତି ଭୟଙ୍କର ରୂପ ନେଉଥିବା ଦେଖି କଟକଣା ତ ଲଗାଇ ଦେଲେ ମୁଖ୍ୟ ନିର୍ବାଚନ ଆଯୋଗ, ହେଲେ ଆଦେଶକୁ କିଏ ବା ପାଳନ କରୁଛି ? ଏପଟେ ଭୋଟ ହାତେଇବାର ଲୋଭ ତ ସେପଟେ ମନରେ କୋରୋନାର ଭୟ । ଅବଶ୍ୟ କୋରୋନାର କାୟା ବିସ୍ତାରକୁ ଦେଖି ନେତାଙ୍କ ମନରେ ଛନକା ପଶିଛି । କେହି କେହି କେହି ନିଜ ନିର୍ବାଚୀନ ପ୍ରଚାର ରଦ୍ଦ କରିଦେଇଛନ୍ତି ତ ଆଉ କିଏ ସୀମିତ ଜନସଂଖ୍ୟାକୁ ନେଇ ରାଲି କରିବାକୁ ନେଇଛନ୍ତି ନିଷ୍ପତ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଉ 4 ପର୍ଯ୍ୟାୟ ମତଦାନ ବାକି ରହିଛି । ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟରେ କୌଣସି ନିର୍ବାଚନୀ ରାଲି କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସେହିପରି ବିଜେପି ମଧ୍ୟ ପଶ୍ଚିମବଙ୍ଗରେ ଏଣିକି ଛୋଟ ଛୋଟ ରାଲି କରିବ । ପ୍ରଧାନମନ୍ତ୍ରୀଙ୍କ ରାଲିରେ 500ରୁ ଅଧିକ ଲୋକ ଉପସ୍ଥିତ ରହିବେ ନାହିଁ । ଏପଟେ ଯଦି ଓଡିଶା କଥା କରିବା ତେବେ ଏଠାରେ ମଧ୍ୟ ସ୍ଥିତି ଡରାଉଛି । ଏନେଇ ପିପିଲି ବିଧାନସଭା ଉପନିର୍ବାଚନରେ କ୍ଷମତାସୀନ ବିଜୁ ଜନତା ଦଳ କୌଣସି ରାଲି ନ କରିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସରକାର କଟକଣା ତ ଲଗାଉଛନ୍ତି, ହେଲେ ଏହା କେତେ ଦୂର ପାଳନ ହେଉଛି ତାହା ସ୍ଥିତି ଦେଖିଲେ ବେଶ ଅନୁମେୟ । ଗୋଟିଏ ପକ୍ଷେ ସାମାଜିକ ଦୂରତାକୁ ଜୋର ଦିଆଯାଉଥିବାବେଳେ ଅନ୍ୟପକ୍ଷେ ମଦ ଦୋକାନ ଆଗରେ ଲାଗୁଛି ପ୍ରବଳ ଭିଡ । ଆଉ ନିର୍ବାଚନୀ ରାଲି କଥା ନ କହିଲେ ଚଳେ । ଲକ୍ଷଲକ୍ଷ ଜନସମାଗମ ଭିତରେ ଦୁଇ ଗଜ ସାମାଜିକ ଦୂରତାକୁ ମାପିବା କାଠିକର ପାଠ ।

ଏପଟେ ଯଦି ସ୍ୱାସ୍ଥ୍ୟ ବିଭାଗ କଥା କହିବା, ତାହେଲେ ଗତବର୍ଷର ସ୍ଥିତିରୁ ସରକାର ଅନେକ କିଛି ଶିକ୍ଷା ଲାଭ କରିଥିଲେ ବୋଲି ମନେ ହେଉଥିଲା । ବିଶେଷ କରି ଅଚାନକ ବଡ ଚ୍ୟାଲେଞ୍ଜକୁ ସାମ୍ନା କରିଥିବା ସ୍ବାସ୍ଥ୍ୟ ବିଭାଗ ହୁଏତ ପରବର୍ତ୍ତୀ ସମୟରେ ଏଭଳି ସ୍ଥିତିର ସୁରୁଖୁରୁରେ ମୁକାବିଲା କରିବାକୁ ସକ୍ଷମ ହେବ ବୋଲି ଆଶା କରାଯାଉଥିଲା । ହେଲେ ହସ୍ପିଟାଲେ ଅକ୍ସିଜେନ ଓ ଆଇସିୟୁ ଶଯ୍ୟାର ଅଭାବ, ଏହି ଆଶାକୁ ଏବେ ଆଶାରେ ହିଁ ରଖିଦେଇଛି । ଏନେଇ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରି ଅକ୍ସିଜେନ ଯୋଗାଣଠୁ ଆରମ୍ଭ କରି ମେଡିକାଲରେ ବେଡ ବଢାଇବାକୁ ତରତର ସରକାର । ହେଲେ କାହିଁକି ଏଯାଏଁ ଶୋଇଥିଲେ ସରକାର ? ବର୍ଷ ତମାମ କୋରୋନା କହର ଲାଗି ରହିଥିବା ବେଳେ ସରକାରୀ ଅବହେଳା କାଳ ହେଲା କି ?

ପରିସ୍ଥିତି ହାତରୁ ଖସିଯିବା ପରେ ଏବେ ସରକାରଙ୍କ ନିଦ ହଜିଯାଇଛି । କୋରୋନା ଦ୍ୱିତୀୟ ଲହରୀ ମାଡ ସରକାରଙ୍କ ପାଦ ତଳୁ ମାଟି ଖସାଇଦଉଛି । ପୁଣି ପୂର୍ବ ସ୍ଥିତି ଉପୁଜିବା ପର୍ଯ୍ୟନ୍ତ ସରକାର କାହିଁକି ଅପେକ୍ଷା କରିଥିଲେ ତାହା ବଡ ପ୍ରଶ୍ନବାଚୀ । ସରକାରଙ୍କ ଖାମଖିଆଲି ମନୋଭାବ ଯେ ଏଭଳି ସ୍ଥିତିକୁ ପୁନର୍ବାର ଆମନ୍ତ୍ରିତ କରିଛି ଏ କଥାକୁ ଅସ୍ୱୀକାର କରିହେବ ନାହିଁ । ତେବେ କୋରୋନାର ଭୟାବହତାକୁ ଯଦି ସରକାର କ୍ରମାଗତ ଅଣଦେଖା କରିଚାଲନ୍ତି, ତାହେଲେ ଅନ୍ଧାରରେ ବାଡି ବୁଲାଇବା ବ୍ୟତିତ ଆଉ ଅନ୍ୟ କୌଣସି ଚାରା ରହିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 20, 2021, 7:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.