ETV Bharat / bharat

ଆମେ ନୁହେଁ, ମହାରାଜା ହରି ସିଂହ ଭୟରେ ଧାରା 370 ଆଣିଥିଲେ: ଫାରୁକ ଅବଦୁଲ୍ଲା

author img

By ETV Bharat Odisha Team

Published : Jan 9, 2024, 8:02 AM IST

Farooq Abdullah On Article 370: ଧାରା 370କୁ ନେଇ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଫାରୁକ ଅବଦୁଲ୍ଲା । ଏହି ଆଇନ ଆମେ ନୁହେଁ ବରଂ ମହାରାଜା ହରି ସିଂହ ଲାଗୁ କରିଥିଲେ ବୋଲି କହିଲେ । ଅଧିକ ପଢନ୍ତୁ

Farooq Abdullah on article 370
ଧାରା 370କୁ ନେଇ ସରକାରଙ୍କୁ ଫାରୁକ ଅବଦୁଲ୍ଲାଙ୍କ ଟାର୍ଟେଟ୍

ନୂଆଦିଲ୍ଲୀ: 370 ଧାରାକୁ ନେଇ ଥମିବାର ନାଁ ଧରୁନି ରାଜନୀତି । ଏହାକୁ ଆଳ କରି ପୁଣି ସରକାରଙ୍କୁ କଟାକ୍ଷ କରିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ପାର୍ଟିର ସୁପ୍ରିମୋ ଫାରୁକ ଅବଦୁଲ୍ଲା । ଏହି ଆଇନ ଆମେ ନୁହେଁ ବରଂ ମହାରାଜା ହରି ସିଂହ ସ୍ବାଧୀନତା ପରେ ଜମ୍ମୁ କାଶ୍ମୀର ଲୋକମାନେ ସେମାନଙ୍କ ଜମି ହରାଇବା ଭୟ କରି ଏହାକୁ ପ୍ରଣୟନ କରିଥିଲେ ବୋଲି କହିଛନ୍ତି ଫାରୁକ ।

ଅଗଷ୍ଟ 2019ରେ ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ରତା ପ୍ରଦାନ କରୁଥିବା ଧାରା 370ର ଉଚ୍ଛେଦ କରାଯାଇଥିଲା । ଏହାକୁ 4 ବର୍ଷ ପୁରିଥିଲେ ବି ଏବେବି ଏହାକୁ ନେଇ ରାଜନୀତି ଥମିବାର ନାଁ ଧରୁନି । ସୁପ୍ରିମକୋର୍ଟ ଧାରା 370 ଉଚ୍ଛେଦକୁ ବୈଧ ଘୋଷଣା କରିବା ସହ ଏହି ସମ୍ବନ୍ଧୀୟ ତମାମ ଆବେଦନକୁ ଖାରଜ କରିଛନ୍ତି । ହେଲେ ଜମ୍ମୁ-କାଶ୍ମୀରରେ ପୁଣି 370 ଧାରା ଉଚ୍ଛେଦକୁ ନେଇ ରାଜନୀତିକରଣ ଥମିବାର ନାଁ ନେଉନି । ସୋମବାର ଏହି ଧାରା 370କୁ ପୁଣି ମନେ ପକାଇଛନ୍ତି ଫାରୁକ ଅବଦୁଲ୍ଲା । ଫାରୁକ ଅବଦୁଲ୍ଲା ଏହି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, "ଧାରା 370କୁ ଆମେମାନେ ଆଣିନଥିଲୁ । ଏହାକୁ ମହାରାଜା ହରି ସିଂହ 1947 ମସିହାରେ ଲାଗୁ କରିଥିଲେ । ସେ ରାଜ୍ୟବାସୀଙ୍କ ଜମି ହରାଇବାର ଭୟକୁ ନେଇ ଚିନ୍ତିତ ଥିଲେ । ତାଙ୍କୁ ଭୟ ଥିଲା ଯେ, ସ୍ୱାଧୀନତା ପରେ ପଞ୍ଜାବର ଲୋକେ ଜମ୍ମୁ କାଶ୍ମୀରର ଗରିବ ଲୋକମାନଙ୍କ ଠାରୁ ଅତି ଶସ୍ତା ଦରରେ ଏଠାକାର ଜମି କିଣି ନ ନିଅନ୍ତୁ । ଏଥିସହ ସେ ସ୍ଥାନୀୟ ଲୋକମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ଏହା ସବୁ ଧାରା 370 ଯୋଗୁଁ ସମ୍ଭବ ଥିଲା ।"

ଏହାମଧ୍ୟ ପଢନ୍ତୁ... ଧାରା 370 ଉଚ୍ଛେଦ ମାମଲା: ‘ସୁପ୍ରିମକୋର୍ଟଙ୍କ ରାୟ ଇଶ୍ବରଙ୍କ ନିଷ୍ପତ୍ତି ନୁହେଁ, ଲଢେଇ ଜାରି ରହିବ’

ସେ ଆଉ ମଧ୍ୟ କହିଛନ୍ତି, "ଯେତେବେଳେ ରାଜ୍ୟରେ ଧାରା 370 ଜାରି ରହିଥିଲା ସେତେବେଳେ ରାଜ୍ୟର ସମସ୍ତ ଚାକିରି ସ୍ଥାନୀୟ ଲୋକମାନଙ୍କ ପାଇଁ ସଂରକ୍ଷିତ ଥିଲା । କିନ୍ତୁ ଏବେ ଏହି ଧାରା ହଟିବା ପରେ ଲୋକମାନେ ପ୍ରକୃତ କଥାକୁ ହୃଦୟଙ୍ଗମ କରୁଛନ୍ତି । ଜମ୍ମୁ ପାଇଁ ଗୋଟିଏ ସରକାରୀ ପୋଷ୍ଟ ବାହାରିବା ବେଳେ ସେଥିରେ ବି କେରଳର ଜଣେ ଲୋକ ନିଯୁକ୍ତି ପାଇଛନ୍ତି । କଣ ଆମ ଲୋକମାନଙ୍କ ମଧ୍ୟରେ ସେହି ଯୋଗ୍ୟତା ନାହିଁ କି ସେମାନେ ପୋଲିସ ପ୍ରଶାସନରେ ଉଚ୍ଚ ପଦବୀ ପର୍ଯ୍ୟନ୍ତ ଯାଇପାରିବେ ?"

ସେ ଆଉ ମଧ୍ୟ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, "ଭଗବାନ ରାମ କେବଳ ତାଙ୍କର ନୁହେଁ ସମସ୍ତଙ୍କର । ବହିରେ ମଧ୍ୟ ଲେଖାଅଛି ଯେ ଭଗବାନ ରାମ ସମସ୍ତଙ୍କର । କିନ୍ତୁ ସେମାନେ ଶ୍ରୀରାମଙ୍କୁ କେବଳ ନିଜର କହିବେ । ନିର୍ବାଚନ ସମୟରେ ଆସିବେ ଓ କହିବେ ରାମ ମନ୍ଦିର ଆମେ ନିର୍ମାଣ କଲୁ । ଆମକୁ ଭୋଟ ଦିଅ । ଏଥିରେ ସେମାନେ ଯଦିଓ ବିଜୟ ହାସଲ କରନ୍ତି କିନ୍ତୁ ଦେଶ ସତରେ ସେବେ ଜିତିବ ଯେବେ ସବୁ ଲୋକ ମିଳିମିଶି ଚାଲିବେ ।"

ଅଗଷ୍ଟ 2019ରେ ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ରତା ପ୍ରଦାନ କରୁଥିବା ଧାରା 370ର ଉଚ୍ଛେଦ କରାଯାଇଥିଲେ କେନ୍ଦ୍ର ସରକାର । ଯାହାଫଳରେ ଜମ୍ମୁ କାଶ୍ମୀର ନିଜର ସ୍ବତନ୍ତ୍ର କ୍ଷମତା ହରାଇଥିଲା । ଏହାକୁ ନେଇ ରାଜନୀତି ଜୋରଦାର ହେବାରେ ଲାଗିଛି । 370 ଧାରା ଉଚ୍ଛେଦକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାୟର କରାଯାଇଥିଲା । ହେଲେ ସେସବୁକୁ ଖାରଜ କରି ଡିସେମ୍ବର 2023ରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବୈଧ ବୋଲି ଘୋଷଣା କରି ଐତିହାସିକ ରାୟ ପ୍ରଦାନ କରିଥିଲେ ଦେଶର ସର୍ବୋଚ୍ଚ ଅଦାଲତ । ହେଲେ ଏବେ ବି ଏହି ଆଇନକୁ ନେଇ ରାଜନୀତିକରଣ ଥମିବାର ନାଁ ଧରୁନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.