ETV Bharat / bharat

ଆମେରିକାରେ ହିନ୍ଦୁ ମନ୍ଦିର ଭଙ୍ଗା ଘଟଣା: ଉଗ୍ରବାଦକୁ କେଉଁଠାରେ ମଧ୍ୟ ସ୍ଥାନ ମିଳିବା ଉଚିତ ନୁହେଁ କହିଲେ ଜୟଶଙ୍କର

author img

By ETV Bharat Odisha Team

Published : Dec 23, 2023, 7:41 PM IST

Vandalism of Hindu temple in US: ଉଗ୍ରବାଦକୁ କେଉଁଠାରେ ମଧ୍ୟ ସ୍ଥାନ ମିଳିବା ଉଚିତ ନୁହେଁ କହିଲେ ବିଦେଶ ମନ୍ତ୍ରୀ । ଭାରତର ତୀବ୍ର ବିରୋଧ ଓ କାର୍ଯ୍ୟାନୁଷ୍ଠାନ ଦାବି ପରେ ଆମେରିକା ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ଆମେରିକାରେ ହିନ୍ଦୁ ମନ୍ଦିର ଭଙ୍ଗା ଘଟଣା: ଉଗ୍ରବାଦକୁ କେଉଁଠାରେ ମଧ୍ୟ ସ୍ଥାନ ମିଳିବା ଉଚିତ ନୁହେଁ କହିଲେ ଜୟଶଙ୍କର
ଆମେରିକାରେ ହିନ୍ଦୁ ମନ୍ଦିର ଭଙ୍ଗା ଘଟଣା: ଉଗ୍ରବାଦକୁ କେଉଁଠାରେ ମଧ୍ୟ ସ୍ଥାନ ମିଳିବା ଉଚିତ ନୁହେଁ କହିଲେ ଜୟଶଙ୍କର

ହାଇଦ୍ରାବାଦ: ଆମେରିକାର କାର୍ଲିଫର୍ଣ୍ଣିଆରେ ଥିବା ଏକ ହିନ୍ଦୁ ମନ୍ଦିରକୁ ସନ୍ଦିଗ୍ଧ ଖଲିସ୍ତାନୀ ସମର୍ଥକମାନେ ଭାଙ୍ଗାରୁଜା କରିବା ଓ ମନ୍ଦିର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖିବା ମାମଲାରେ ନୂଆଦିଲ୍ଲୀ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି । ଭାରତୀୟ ଦୂତାବାସ ଆମେରିକା ସରକାରଙ୍କ ନିକଟରେ କଡା ଆପତ୍ତି ଉଠାଇବା ସହ ଘଟଣାର ତଦନ୍ତ ଦାବି କରିଛି । ବାଇଡେନ ପ୍ରଶାସନ ମଧ୍ୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ନିଜେ ବିଦେଶ ମନ୍ତ୍ରୀ ଜୟଶଙ୍କର ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଉଗ୍ରବାଦକୁ ପ୍ରସୟ ଦିଆଯିବା ପ୍ରସଙ୍ଗରେ ବର୍ଷିଛନ୍ତି । ଉଗ୍ରବାଦକୁ କେଉଁଠାରେ ମଧ୍ୟ ସ୍ଥାନ ମିଳିବା ଉଚିତ ନୁହେଁ ବୋଲି ଜୟଶଙ୍କର କହିଛନ୍ତି ।

ଆଜି (ଶନିବାର) ଗୁଜୁରାଟ ଗାନ୍ଧୀଗନରରେ ଏକ କାର୍ଯ୍ୟକ୍ରମ ବେଳେ ଜୟଶଙ୍କର ଏହି ଘଟଣାରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଜୟଶଙ୍କର କହିଛନ୍ତି, ‘‘ମୁଁ ଏହି ଘଟଣା ସମ୍ପର୍କରେ ଅବଗତ ଅଛି । ଉଗ୍ରବାଦୀ, ବିଚ୍ଛିନ୍ନତାବାଦୀ ଓ ଭାରତ ବିରୋଧୀ କୌଣସି ଶକ୍ତି ବିଦେଶ ମାଟିରେ ସ୍ଥାନ ପାଇବା ଉଚିତ ନୁହେଁ । ଏହି ଘଟଣାରେ ଭାରତ ଆମେରିକା ନିକଟରେ କଡା ଆଭିମୁଖ୍ଯ ରଖିଛି । ଭାରତୀୟ ଦୂତାବାସ ସ୍ଥାନୀୟ ସରକାରଙ୍କୁ ଅଭିଯୋଗ କରିସାରିଛି । ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେବା ପରେ ଆମେରିକା ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି ।’’

ନିକଟରେ କାନାଡାରେ ଖଲିସ୍ତାନୀଙ୍କୁ ଆଶ୍ରୟ ମିଳିବା ପ୍ରସଙ୍ଗରେ ମଧ୍ୟ ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଥିଲା । ଏପରିକି ବିଦେଶ ମନ୍ତ୍ରୀ ଜୟଶଙ୍କର ଜାତିସଂଘରେ ମଧ୍ୟ କାନାଡା ନାମ ନନେଇ ଉଗ୍ରବାଦ ଓ ଭାରତ ବିରୋଧୀ ଶକ୍ତିକୁ ପୃଷ୍ଠପୋଷକତା ପ୍ରଦାନ କରୁଥିବା କହି ବର୍ଷିଥିଲେ । ଏପରିକି ଭାରତ ଆତଙ୍କବାଦ ଓ ଉଗ୍ରବାଦର କୌଣସି ରୂପକୁ ବରଦାସ୍ତ କରିବ ନାହିଁ ବୋଲି ଜୟଶଙ୍କର ଚେତାବନୀ ମଧ୍ୟ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଆମେରିକାର ହିନ୍ଦୁ ମନ୍ଦିର କାନ୍ଥରେ ଲେଖାହେଲା ଭାରତ ବିରୋଧୀ ସ୍ଲୋଗାନ

ସୂଚନା ଅନୁସାରେ, କାର୍ଲିଫର୍ଣ୍ଣିଆରେ ଥିବା ଶ୍ରୀ ସ୍ବାମୀନାରାୟଣ ମନ୍ଦିର କାନ୍ଥରେ ଭାରତ ବିରୋଧି ଏବଂ ଖଲିସ୍ତାନୀ ସମର୍ଥିତ ସ୍ଲୋଗାନ ଲେଖାଯାଇଥିବା ଦେଖିବାକୁ ମିଳିଛି । ଗୁରୁବାର ରାତିରେ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ହିନ୍ଦୁ ଆମେରିକୀୟ ଫାଉଣ୍ଡସେନ ସୋସିଆଲ ମିଡିଆ ‘ଏକ୍ସ’ରେ ଏହାର ଫଟୋ ସେୟାର କରିବା ପରେ ସେଠାରେ ଥିବା ଭାରତୀୟ ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଘଟଣାକୁ ସାନ ଫ୍ରାନ୍ସିସ୍କୋ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଦୃଢ ନିନ୍ଦା କରାଯାଇଥିବା ବେଳେ ନେୱାର୍କ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.