ETV Bharat / bharat

Excise policy case: 13 ଯାଏଁ ବଢିଲା ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧି

author img

By ETV Bharat Odisha Team

Published : Oct 10, 2023, 6:36 PM IST

13 ତାରିଖ ଯାଏଁ ଇଡି ଦ୍ବାରା ଜେରା ହେବେ ସଞ୍ଜୟ ସିଂ । ଆଜି ଦ୍ବିତୀୟ ପର୍ଯ୍ୟାୟରେ ବଢିଲା ରିମାଣ୍ଡ ଅବଧି । 4 ତାରିଖରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢ଼ନ୍ତୁ

Excise policy case: 13 ଯାଏ ବଢିଲା ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧି
Excise policy case: 13 ଯାଏ ବଢିଲା ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କ ରିମାଣ୍ଡ ଅବଧିକୁ ଆଜି କୋର୍ଟ 13 ତାରିଖକୁ ବୃଦ୍ଧି କରିଛନ୍ତି । ଚଳିତ ମାସ 4 ତାରିଖରେ ତାଙ୍କ ବାସଭବନରେ ଏକାଧିକ ଘଣ୍ଟାର ଚଢାଉ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । 5 ତାରିଖରେ ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ପ୍ରଥମ ପର୍ଯ୍ୟାୟରେ 5 ଦିନିଆ (ଅକ୍ଟୋବର 10 ପର୍ଯ୍ୟନ୍ତ) ଅଧିକ ଜେରା ପାଇଁ ତାଙ୍କୁ ଇଡି ରିମାଣ୍ଡରେ ପଠାଇଥିଲେ । ତେବେ ଆଜି ତାଙ୍କ ପ୍ରଥମ ରିମାଣ୍ଡ ଅବଧି ଶେଷ ହେବା ସହ ପୁଣି ଏହି ଅବଧିକୁ 13 ତାରିଖକୁ ବୃଦ୍ଧି କରାଯାଇଛି ।

ଆଜି ସଞ୍ଜୟଙ୍କର ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା କେନ୍ଦ୍ରୀୟ ସଂସ୍ଥା । ଏହି ମାମଲାରେ ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣି ରିମାଣ୍ଡ ଆବେଦନ କରିଥିଲା । କୋର୍ଟ ସଞ୍ଜୟଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ 3 ଦିନିଆ ଅର୍ଥାତ 13 ତାରିଖ ପର୍ଯ୍ୟନ୍ତ ଇଡି ରିମାଣ୍ଡରେ ପଠାଇଛନ୍ତି ।

4 ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସଞ୍ଜୟଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚଢ଼ାଉ କରିଥିଲା । ଏକାଧିକ ଘଣ୍ଟା ଚଢାଉ ଓ ଜେରା କରିବା ପରେ ତାଙ୍କୁ ସଂଧ୍ୟାରେ ଗିରଫ କରି ମୁଖ୍ୟାଳୟକୁ ନିଆଯାଇଥିଲା । ପରଦିନ (5 ତାରିଖ) ସ୍ବାସ୍ଥ୍ୟ ପରୀକ୍ଷା କରି କୋର୍ଟରେ ହାଜର କରିଥିଲା । ଏହି ମାମଲାରେ ଜେରା ଓ ଡିଜିଟାଲ ପ୍ରମାଣ ସଂଗ୍ରହର ଆବଶ୍ୟକତା ଥିବା ଦର୍ଶାଇ ଇଡି ରିମାଣ୍ଡ ଆବେଦନ କରିଥିଲା । ଏବେ ସଞ୍ଜୟ 13 ତାରିଖ ଯାଏ ଇଡି କଷ୍ଟଡିରେ ଜେରା ହେବେ । ତଦନ୍ତକାରୀ ସଂସ୍ଥା ତାଙ୍କୁ ଜେରା କରି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ପ୍ରୟାସ କରିବ ।

ଏହା ମଧ୍ୟ ପଢନ୍ତୁ :-ଅନଲାଇନ ଠକେଇ ଶିକାର ପୂର୍ବତନ କେନ୍ଦ୍ରମନ୍ତ୍ରୀ, କହିଲେ ‘ଡିଜିଟାଲ ଇଣ୍ଡିଆ’ରେ ସୁରକ୍ଷିତ ନୁହେଁ ବ୍ୟକ୍ତିଗତ ଡାଟା

ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇ ବିଚାର ବିଭାଗୀୟ ଜେଲ୍‌ରେ ଅଛନ୍ତି । ଏକାଧିକ ପର୍ଯ୍ୟାୟରେ ତାଙ୍କ ବେଲ ଆବେଦନ ଖାରଜ ହେବା ପରେ ସିସୋଦିଆ ଏବେ ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛନ୍ତି । ପୂର୍ବରୁ ଆମ ଆଦମୀ ପାର୍ଟିର ଅନ୍ୟ ଜଣେ ବରିଷ୍ଠ ନେତା ତଥା ପୂର୍ବତନ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହୋଇ ଏପର୍ଯ୍ୟନ୍ତ ବେଲ ପାଇବାରେ ସଫଳ ହୋଇପାରି ନାହାନ୍ତି । ଏହି ଗିରଫଦାରୀ ଧାରାରେ ସାମିଲ ହୋଇଥିବା ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ହେଉଛନ୍ତି ତୃତୀୟ ବଡ଼ ନେତା । ଗିରଫଦାରୀକୁ ରାଜନୈତିକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ କହିବା ସହ ପ୍ରଧାନମନ୍ତ୍ରୀ ମୋଦି ଭୟଭୀତ ବୋଲି ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.