ETV Bharat / bharat

୬ ଦିନିଆ ED ହେପାଜତରେ ଅନୀଲ ଦେଶମୁଖ

author img

By

Published : Nov 2, 2021, 6:46 PM IST

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ୬ଦିନଆ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଗତକାଲି ମାରାଥନ ଜେରା ପରେ ଗିରଫ ହୋଇଥିଲେ ଅନିଲ । ଆଜି ଜାମିନ ନାମଞ୍ଜୁର ହେବା ସହ ୬ ଦିନିଆ ରିମାଣ୍ଡରେ ନେଲା ଇଡି । ଅଧିକ ପଢନ୍ତୁ...

୬ ଦିନିଆ ଇଡି ହେପାଜତରେ ଅନୀଲ ଦେଶମୁଖ
୬ ଦିନିଆ ଇଡି ହେପାଜତରେ ଅନୀଲ ଦେଶମୁଖ

ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ପୂର୍ବରୁ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ରିମାଣ୍ଡରେ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । କୋର୍ଟ EDର ରିମାଣ୍ଡ ଆବେଦନକୁ ଗ୍ରହଣ କରି ନଭେମ୍ବର 6 ପର୍ଯ୍ୟନ୍ତ ଅନୀଲଙ୍କୁ ED ହେପାଜତକୁ ପଠାଇ ଦେଇଛନ୍ତି । ଗତକାଲି ଅନିଲଙ୍କୁ ତାଙ୍କ କାର୍ଯ୍ୟାଳୟରେ 12 ଘଣ୍ଟା ମାରାଥନ ଜେରା କରିବା ପରେ ଗିରଫ କରିଥିଲା ED । ତେବେ ଆଜି କୋର୍ଟରେ ହାଜର ପରେ ତାଙ୍କ ଜାମିନ ଆବେଦନ ଖାରଜ ହେବା ସହ ତାଙ୍କୁ ରିମାଣ୍ଡରେ ପଠାଇଛନ୍ତି କୋର୍ଟ ।

ଲାଞ୍ଚ ଅଭିଯୋଗ ପରେ ପଦରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଦେଶମୁଖଙ୍କୁ ହାଜର ହୋଇ ଜେରାର ସାମ୍ନା କରିବାକୁ ସମନ ଜାରି କରିଥିଲା ଇଡି । ତେବେ ଇଡିର ସମନକୁ ବାତିଲ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅନିଲ। ସେହିପରି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଦୂର୍ନୀତି ଓ ଲାଞ୍ଚ ଅଭିଯୋଗ ଭିତ୍ତିହୀନ ଏବଂ ଅମୂଳକ ବୋଲି ଏକ ଭିଡିଓ ବିବୃତ୍ତିରେ ସଫେଇ ଦେଇଥିଲେ ଅନିଲ । ତେବେ ଗତକାଲି ତାଙ୍କୁ ମାରାଥନ ଜେରା ପରେ ଗିରଫ କରିଥିଲା ଇଡି ।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଚିଠିରେ ତତ୍କାଳୀନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ପ୍ରତି ମାସରେ 100 କୋଟି ଟଙ୍କା ପର୍ଯ୍ୟନ୍ତ ଚାନ୍ଦା ଆଦାୟ କରିବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରିଥିଲେ । ଏପରି ବିବାଦୀୟ ଚିଠି ପରେ ଦେଶମୁଖଙ୍କ ଅଡୁଆ ବଢିବା ସହ ପଦରୁ ତାଙ୍କୁ ବହିସ୍କୃତ କରିବା ପାଇଁ ରାଜନୈତିକ ମହଲରେ ଚାପ ପଡିଥିଲା । ପରେ ଅନିଲ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଆର୍ଥିକ ହେରଫେର, ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ED ତଦନ୍ତ ପରିସରକୁ ଆସିଥିଲେ ।

ତେବେ ଗତକାଲି ତାଙ୍କୁ ନିଜ କାର୍ଯ୍ୟାଳୟରେ ମାରାଥନ ଜେରା ପରେ ଗିରଫ କରିଥିଲା ପ୍ରବର୍ତ୍ତନ ED । ଆଜି ତାଙ୍କୁ କୋର୍ଟରେ ହାଜର କରିବା ସହ ଘଟଣାର ଅଧିକ ତଦନ୍ତ ଲାଗି ରିମାଣ୍ଡ ଆବେଦନ ହୋଇଥିଲା । ଘଟଣାରେ ଅଧିକ ତଦନ୍ତର ଆବଶ୍ୟକତାକୁ ଅନୁଭବ କରି କୋର୍ଟ ଅନିଲଙ୍କ ଜାମିନ ନାମଞ୍ଜୁର କରିବା ସହ ୬ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ଏହି ରିମାଣ୍ଡ ଅବଧି ମଧ୍ୟରେ ଅନିଲଙ୍କ ଅର୍ଥନୈତିକ ସାମ୍ରାଜ୍ୟ ସମ୍ପର୍କରେ ଜେରା କରିବା ସହ ତଥ୍ୟ ଯୋଗାଡ କରିବାକୁ ପ୍ରୟାସ କରିବ ED ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.