ETV Bharat / bharat

ଆଜି ୩ ରାଜ୍ୟରେ ବାଜିବ ନିର୍ବାଚନୀ ବିଗୁଲ, ଅପରାହ୍ନରେ ତାରିଖ ଘୋଷଣା

author img

By

Published : Jan 18, 2023, 11:03 AM IST

ଆଜି ଅପରାହ୍ନରେ ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଅଧିକ ପଢନ୍ତୁ

୩ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା
୩ ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆଜି ୩ ରାଜ୍ୟରେ ବାଜିବ ନିର୍ବାଚନୀ ବିଗୁଲ । ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରାରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଅପରାହ୍ନ ସାଢେ ୨ଟା ସମୟରେ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଫେବୃୟାରୀ ସୁଦ୍ଧା ଏହି ତିନୋଟି ପୂର୍ବୋତ୍ତର ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି ।

ଶନିବାର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଥିଲେ ଯେ, ''ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ୧୩.୯ ଲକ୍ଷରୁ ଅଧିକ ଭୋଟର ପଞ୍ଜିକୃତ ଅଛନ୍ତି । ସେହିପରି ଆସନ୍ତା ନିର୍ବାଚନରେ ୩୦ ହଜାରରୁ ଅଧିକ ନୂଆ ଭୋଟର ଯୋଡି ହୋଇଛନ୍ତି ।'' ଗତ ସପ୍ତାହରେ ନିର୍ବାଚନ କମିଶନର ଏକ ଟିମ୍ ନାଗାଲାଣ୍ଡ ଓ ତ୍ରିପୁରା ଗସ୍ତ କରି ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏହାପରେ ଆଜି ଏହିସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ ।

କହିରଖୁଛୁ କି, ଚଳିତ ବର୍ଷ ମାର୍ଚ୍ଚରେ ଉପରୋକ୍ତ ୩ ଉତ୍ତର-ପୂର୍ବ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ମାର୍ଚ୍ଚ ୧୨ରେ ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭା କାର୍ଯ୍ୟକାଳ ପୂରୁଥିବା ବେଳେ ୧୫ରେ ମେଘାଳୟ ଓ ୨୨ ମାର୍ଚ୍ଚରେ ତ୍ରିପୁରା କାର୍ଯ୍ୟକାଳ ଶେଷ ହେଉଛି । ଏହାପୂର୍ବରୁ ଏଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏବେ ତ୍ରିପୁରାରେ ବିଜେପି ସରକାର ରହିଛି । ସେହିପରି ଏହି ତିନୋଟି ପୂର୍ବୋତ୍ତର ରାଜ୍ୟ ବ୍ୟତୀତ ଚଳିତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଛତିଶଗଡ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.