ETV Bharat / bharat

Delhi: ୩୦ବର୍ଷ ପରେ କେସ୍‌ ଜିତିଲେ କଣ୍ଡକ୍ଟର, ୧୫ଦିନ ଛୁଟି ନେବାରୁ ଯାଇଥିଲା ଚାକିରି

author img

By ETV Bharat Odisha Team

Published : Nov 14, 2023, 9:38 PM IST

DTC Case in Delhi High Court: ଦୀର୍ଘ ୩୦ ବର୍ଷ ପରେ ଚାକିରି ଫେରିପାଇଲେ କଣ୍ଡକ୍ଟର । ୧୫ ଦିନ ଛୁଟି ନେଇଥିବାରୁ ଚାକିରିରୁ ବହିଷ୍କାର କରିଥିଲା ଦିଲ୍ଲୀ ପରିବହନ ବିଭାଗ । ଅଧିକ ପଢନ୍ତୁ

Delhi High Court
Delhi High Court

ନୂଆଦିଲ୍ଲୀ: ଦୀର୍ଘ ୩୦ ବର୍ଷ ପରେ ଚାକିରି ଫେରି ପାଇଲେ କଣ୍ଡକ୍ଟର ବା ପରିଚାଳକ । ଦୀର୍ଘ ଦିନ ଆଇନଗତ ଲଢେଇ କରିବା ପରେ ଶେଷରେ ଦିଲ୍ଲୀ ହାଇକୋର୍ଟ କଣ୍ଡକ୍ଟରଙ୍କ ସପକ୍ଷରେ ଶୁଣାଇଛନ୍ତି ରାୟ । ଏକଦା ୧୫ ଦିନ ଛୁଟି ନେଇଥିବା କାରଣରୁ ଏହି କଣ୍ଡକ୍ଟର ଜଣକୁ ଚାକିରି ହରାଇବାକୁ ପଡ଼ିଥିଲା । ଦିଲ୍ଲୀ ପରିବହନ ବିଭାଗ (DTC) କାର୍ଯ୍ୟରତ କଣ୍ଡକ୍ଟରଙ୍କୁ ଚାକିରିରୁ ବହିଷ୍କାର କରିଥିଲା । ହାଇକୋର୍ଟ ରାୟ ଶୁଣାଇ ୩୧ ବର୍ଷର ବେତନ ସମେତ ବାକି ଥିବା ସମସ୍ତ ଅର୍ଥ କଣ୍ଡକ୍ଟରଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ ସଞ୍ଜୀବ ନରୁଲାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାରେ ରାୟ ଶୁଣାଇ କହିଛନ୍ତି ଯେ କଣ୍ଡକ୍ଟର ଜଣକ ଦୀର୍ଘ ସମୟ ଧରି ନିଜ ଅଧିକାର ପାଇଁ ଆଇନଗତ ଲଢ଼େଇ କରିଥିଲେ । ଏବେ ସେ ଜୀବିତ ନାହାନ୍ତି । ସାକ୍ଷ ପ୍ରମାଣକୁ ଭିତ୍ତି କରି କଣ୍ଡକ୍ଟର ଜଣକ ନିଜ ସ୍ଥାନରେ ସମ୍ପୂର୍ଣ୍ଣ ଠିକ ଥିବା ପ୍ରତୀୟମାନ ହୋଇଛି । ହେଲେ ସେ ନେଇଥିବା ୧୫ ଦିନ ଛୁଟିକୁ ଭୁଲ୍‌ ଦର୍ଶାଇ ତାଙ୍କଠାରୁ ଚାକିରି ଛଡ଼ାଇ ନିଆଯାଇଥିଲା । ୨୦୦୩ ମସିହାରେ ଏହି ମାମଲାରେ ଲେବର କୋର୍ଟ ମଧ୍ୟ କଣ୍ଡକ୍ଟରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ଯାହାକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରିଛନ୍ତି ।

ଏହା ବି ପଢନ୍ତୁ- ପାଞ୍ଚ ବର୍ଷ ପରେ ଶ୍ରୀକାନ୍ତଙ୍କୁ ମିଳିଲା ନ୍ୟାୟ

ଦିଲ୍ଲୀ ପରିବହନ ବିଭାଗ ଆବେଦନକାରୀ କଣ୍ଡକ୍ଟରଙ୍କ ବିଧବା ପତ୍ନୀ ଓ ତାଙ୍କ ସନ୍ତାନକୁ ୩୧ ବର୍ଷର ଦରମା ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ବାବଦକୁ ଦିଆଯାଇଥିବା ଅର୍ଥକୁ ମଧ୍ୟ ପ୍ରଦାନ କରନ୍ତୁ । ସୂଚନା ଥାଉ କି ୧୯୯୨ ମସିହାରେ ଜଣେ କଣ୍ଡକ୍ଟର ୧୫ ଦିନ ଛୁଟି ନେଇଥିବାରୁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ବିଭାଗ ଅଭିଯୋଗ କରିଥିଲା ଯେ, କଣ୍ଡକ୍ଟର ଜଣକ ମାର୍ଚ୍ଚ ୩୧ ୧୯୯୧ରୁ ଏପ୍ରିଲ ୧୪ ୧୯୯୧ ପର୍ଯ୍ୟନ୍ତ ବିନା କୌଣସି ଦରଖାସ୍ତ ଦେଇ ଛୁଟିରେ ରହିଥିଲେ । ୨୦୦୭ରେ କଣ୍ଡକ୍ଟରଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ମୃତ କଣ୍ଡକ୍ଟରଙ୍କ ବିଧବା ପତ୍ନୀ ଓ ସନ୍ତାନ ଆଇନଗତ ଲଢ଼େଇ କରିଥିଲେ । ୧୬ ବର୍ଷ ପରେ ହାଇକୋର୍ଟ ପରିବାର ସପକ୍ଷରେ ରାୟ ଶୁଣାଇଛନ୍ତି ।

ସେପଟେ ୨୦୦୩ ମାର୍ଚ୍ଚ ୩୧ ତାରିଖରେ ଲେବର କୋର୍ଟ କଣ୍ଡକ୍ଟରଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ପରିଚାଳକକୁ କ୍ଲିନଚିଟ୍‌ ଦେବା ସହ ତାଙ୍କୁ ଚାକିରି ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ପୂର୍ବ ବକେୟା ଅର୍ଥକୁ ପ୍ରଦାନ କରିବାକୁ ମଧ୍ୟ ଡିଟିସିକୁ ନିର୍ଦ୍ଦେଶ ଦେଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଡିଟିସି ପକ୍ଷରୁ ଆବେଦନ ହୋଇଥିଲା । ହେଲେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ପରିଚାଳକଙ୍କୁ କ୍ଲିନଚିଟ୍‌ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.