ETV Bharat / bharat

ପତ୍ନୀଙ୍କୁ ତିନି ତଲାକ ଦେଇ ଦେଶ ଛାଡି ଯାଉଥିଲେ ଡାକ୍ତର, ବିମାନବନ୍ଦରରୁ ଉଠାଇନେଲା ପୋଲିସ

author img

By

Published : Feb 13, 2023, 9:25 PM IST

ପତ୍ନୀଙ୍କୁ ତିନି ତଲାକ ଦେଇ ବ୍ରିଟେନ ପଳାଇବାକୁ ଉଦ୍ୟମ କରୁଥିଲେ ଦିଲ୍ଲୀର ଡାକ୍ତର । ବେଙ୍ଗାଲୁର ବିମାନ ବନ୍ଦରରୁ ଉଠାଇ ନେଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

ପତ୍ନୀଙ୍କୁ ତିନି ତଲାକ ଦେଇ ଦେଶ ଛାଡି ପଳାଉଥିଲେ ଡାକ୍ତର: ବିମାନ ବନ୍ଦରରୁ ଉଠାଇନେଲା ପୋଲିସ
ପତ୍ନୀଙ୍କୁ ତିନି ତଲାକ ଦେଇ ଦେଶ ଛାଡି ପଳାଉଥିଲେ ଡାକ୍ତର: ବିମାନ ବନ୍ଦରରୁ ଉଠାଇନେଲା ପୋଲିସ

ନୂଆଦିଲ୍ଲୀ: ପତ୍ନୀଙ୍କୁ ତିନି ତଲାକ ଦେଇ ଦେଶ ଛାଡି ପଳାଇବାକୁ ଉଦ୍ୟମ କରୁଥିବା ଦିଲ୍ଲୀର ଜଣେ 40 ବର୍ଷୀୟ ଡାକ୍ତରଙ୍କୁ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ପତ୍ନୀଙ୍କୁ ତିନି ତଲାକ ଦେବା ପରେ ଡାକ୍ତର ଜଣଙ୍କ ବ୍ରିଟେନ ଯାଉଥିଲେ । ଡାକ୍ତରଙ୍କ 36 ବର୍ଷୀୟ ପତ୍ନୀ ଦିଲ୍ଲୀର କଲ୍ୟାଣପୁରୀ ପୋଲିସ ଷ୍ଟେସନରେ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପତ୍ନୀଙ୍କ ଏତଲା ଓ ସୂଚନା ଆଧାରରେ ଡାକ୍ତରଙ୍କୁ ବିମାନ ବନ୍ଦରରୁ ଗିରଫ କରିବା ପାଇଁ ପୋଲିସ ସମସ୍ତ ପ୍ରସ୍ତୁତି କରିଥିଲା । ଆଜି (ସୋମବାର) ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବ୍ରିଟେନ ଅଭିମୁଖେ ଉଡାଣ ଭରିବା ପୂର୍ବରୁ ଡାକ୍ତର ସ୍ବାମୀକୁ ପୂର୍ବ ଯୋଜନାବଦ୍ଧ ଭାବେ ଦିଲ୍ଲୀ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା ।

ପତ୍ନୀଙ୍କ ଅଭିଯୋଗ ଆଧାରରେ ପୋଲିସ କହିଛି, ତିନି ତଲାକ ମାମଲାଟି ଗତବର୍ଷ ଅକ୍ଟୋବର 13 ତାରିଖର । ଭାରତରେ ନିଷେଧ ଘୋଷିତ ହୋଇଥିବା ତିନି ତଲାକ ଉଚ୍ଚାରଣ କରି ଡାକ୍ତର ପତି ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ଘର ଛାଡିଥିଲେ । ପରେ ବିଦେଶ ପଳାଇବା ପାଇଁ ଯୋଜନା କରିଥିଲେ । ଏନେଇ ପତ୍ନୀ ସ୍ଥାନୀୟ ଥାନାରେ ଦ୍ବାରସ୍ଥ ହେବା ସହ ସ୍ବାମୀଙ୍କ ବିରୋଧରେ ଏତଲା ଦେଇଥିଲା । ମୁସଲିମ୍‌ ମହିଳା ବିବାହ ଅଧିକାର ସୁରକ୍ଷା ଅଧିନିୟମ (Protection of Rights on Marriage) ଅନୁସାରେ ପୋଲିସ ଏକ ମାମଲା ରୁଜୁ କରିଥିଲା । 2019 ରେ କେନ୍ଦ୍ର ସରକାର ଆଣିଥିବା ଏହି ଅଧିନିୟମ ବଳରେ ଏହି ଇସଲାମ ସମାଜରେ ପ୍ରଚଳିତ ମୌଖିକ ଛାଡପତ୍ରକୁ ସମ୍ପୂର୍ଣ୍ଣ ବେଆଇନ ଘୋଷଣା କରାଯିବା ସହ ତିନି ବର୍ଷର ଦଣ୍ଡାଦେଶ ବ୍ୟବସ୍ଥା ମଧ୍ୟ ରହିଛି ।

2017 ମସିହାରେ ମୁସଲିମ ସମାଜରେ ପୂର୍ବ ପ୍ରଚଳିତ ତିନି ତଲାକ ପରମ୍ପରାକୁ ସର୍ବୋଚ୍ଚ କୋର୍ଟ ନିଷେଧ ଘୋଷଣା କରିଥିଲେ । ପରେ 2019 ରେ ଏହି ବହୁଚର୍ଚ୍ଚିତ ପ୍ରସଙ୍ଗରେ କେନ୍ଦ୍ର ସରକାର ବିଲ୍‌ ପାସ କରି ଆଇନରେ ପରିଣତ କରିଥିଲେ । ଏହାକୁ ଦେଶରେ ଆଇନତଃ ସମ୍ପୂର୍ଣ୍ଣ ନିଷେଧ ଘୋଷଣା କରାଯିବା ସହ ତିନି ବର୍ଷର ଦଣ୍ଡ ବିଧାନ ବ୍ୟବସ୍ଥା ରଖାଗଲା । ଏପରି ଘଟଣା ଘଟୁଥିବା ସ୍ଥାନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଏକାଧିକ ନଜିର ମଧ୍ୟ ରହିଛି । ସମ୍ପୃକ୍ତ ଡାକ୍ତରଙ୍କୁ ବିମାନ ବନ୍ଦରରୁ ଗିରଫ କରିବା ଦିଲ୍ଲୀ ଅଣାଯାଇଛି । ପରେ କୋର୍ଟ ଚାଲାଣ କରାଯିବା ନେଇ ମଧ୍ୟ ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.