ETV Bharat / bharat

ସାଇବର ଠକଙ୍କ କବଳରେ ଲଦାଖ ପୂର୍ବତନ ଉପରାଜ୍ୟପାଳ, ଲୁଟିନେଲେ ୨ ଲକ୍ଷ

author img

By ETV Bharat Odisha Team

Published : Dec 1, 2023, 7:48 PM IST

ଲଦାଖ ପୂର୍ବତନ ଉପରାଜ୍ୟପାଳଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କଲେ ସାଇବର ଠକ । ଲୁଟି ନେଲେ ୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ଅଧିକ ପଢନ୍ତୁ

former Ladakh LG RK Mathur
former Ladakh LG RK Mathur

ନୂଆଦିଲ୍ଲୀ: ସାଇବର ଠକଙ୍କ କବଳରେ ଲଦାଖର ପୂର୍ବତନ ଉପରାଜ୍ୟପାଳ ଆର.କେ ମାଥୁର । କିଛି ଦୁର୍ବୃତ୍ତ ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ମାଥୁର ନୋଏଡା ସେକ୍ଟର ୧୨୬ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ଇଣ୍ଟରନେଟ ବ୍ୟାଙ୍କିଂ ଜରିଆରେ ଏହି ଠକେଇ ହୋଇଛି ।

ନୋଏଡା-ଏନସିଆର ଅଞ୍ଚଳରେ ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି । ପ୍ରତିଦିନ ଲୋକେ ଅଭିଯୋଗ ନେଇ ସାଇବର ଥାନାରେ ପହଞ୍ଚୁଛନ୍ତି । ଏହି ଠକଙ୍କ କବଳରେ ପଡ଼ିଛନ୍ତି ବଡ଼ ବଡ଼ିଆ । ଲଦାଖର ପୂର୍ବତନ ଉପରାଜ୍ୟପାଳ ମାଥୁର ଏହି ଠକେଇର ଶିକାର ହୋଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ସାଇବର ଠକମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୨.୨୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଦିଲ୍ଲୀର ନିର୍ମାଣ ଭବନ ଶାଖାରେ ତାଙ୍କର ଏକ ଆକାଉଣ୍ଟ ଥିଲା । ଏହି ଆକାଉଣ୍ଟରୁ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଖାଲି କରିଦେଇଛନ୍ତି ।

ଏହା ବି ପଢନ୍ତୁ- Cyber Fraud: ଅନଲାଇନରେ ଜାଲ ବିଛାଇଛନ୍ତି ସାଇବର ଠକ, ଏପରି ରୁହନ୍ତୁ ସତର୍କ

ମାଥୁରଙ୍କ କହିବାନୁସାରେ ଦୁର୍ବୃତ୍ତମାନେ ୩ଟି ପର୍ଯ୍ୟାୟରେ ମୋଟ ୨.୨୮୩୬୦ ଟଙ୍କା ଲୁଟି ନେଇଛନ୍ତି । ପ୍ରଥମ ଟ୍ରାଞ୍ଜାକ୍ସନରେ ୧,୩୪,୯୯୯ ଟଙ୍କା ଉଠାଯାଇଥିବା ବେଳେ ଦ୍ବିତୀୟ ଓ ତୃତୀୟ ଟ୍ରାଞ୍ଜାକ୍ସନରେ ଯଥାକ୍ରମେ ୩୩,୫୬୪ ଓ ୫୯,୮୦୦ ଟଙ୍କା ଲୁଟି ନେଇଛନ୍ତି । ତେବେ ସେ ଇମେଲ୍‌ ଓ ମେସେଜ ଦେଖିବା ପରେ ଏହି ଠକେଇ ସମ୍ପର୍କରେ ଅବଗତ ହୋଇଥିଲେ । ଏହାପରେ ସେ ସେକ୍ଟର ୧୨୬ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆସିବା ପରେ ସାଇବର ସେଲ୍‌ ଅଧିକ ତଦନ୍ତ ଜାରି ରଖିଛି । ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯାଇ ଠକି ନେଇଥିବା ଅର୍ଥକୁ ଫେରସ୍ତ କରାଯିବ ବୋଲି ସାଇବର ଥାନାଧିକାରୀ ସୂଚନା ଦେଇଛନ୍ତି ।

ସମୟ ବଦଳିବା ସହ ସାଇବର ଲୁଟେରା ବିଭିନ୍ନ ଜାଲ ବିଛାଇ ଆପଣଙ୍କୁ ଲୁଟି ପାରନ୍ତି । ସଚେତନ ନାଗରିକ ଭାବେ ଅନଲାଇନ ସପିଂ ହେଉ ଅବା କୌଣସି ଅନଲାଇନ କାର୍ଯ୍ୟ କରୁଥିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଫଳରେ ଆପଣ ବି ସାଇବର ଠକେଇରୁ ନିଜକୁ ବଞ୍ଚାଇ ପାରିବେ । କାହାକୁ ନିଜର ଓଟିପି ସେୟାର କରନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.