ETV Bharat / bharat

ପାକିସ୍ତାନୀ ରେଞ୍ଜର୍ସଙ୍କ ଗୁଳିମାଡରେ BSF ଯବାନ ଶହୀଦ

author img

By ETV Bharat Odisha Team

Published : Nov 9, 2023, 10:33 AM IST

ଜମ୍ମୁର ସାମ୍ବା ଜିଲ୍ଲାରେ ପାକିସ୍ତାନୀ ରେଞ୍ଜର୍ସଙ୍କ ଗୁଳିମାଡରେ BSF ଯବାନ ଶହୀଦ । ଅଧିକ ପଢନ୍ତୁ

ପାକିସ୍ତାନୀ ରେଞ୍ଜର୍ସଙ୍କ ଅସ୍ତ୍ରବିରତି ଉଲ୍ଲଙ୍ଘନ
ପାକିସ୍ତାନୀ ରେଞ୍ଜର୍ସଙ୍କ ଅସ୍ତ୍ରବିରତି ଉଲ୍ଲଙ୍ଘନ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ପାକିସ୍ତାନୀ ରେଞ୍ଜର୍ସ ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛନ୍ତି । ଗତକାଲି(ବୁଧବାର) ମଧ୍ୟରାତ୍ରିରେ ସାମ୍ବା ରାମଗଡ ସେକ୍ଟର ଠାରେ ପାକ୍ ରେଞ୍ଜରମାନେ ଭାରତୀୟ ଯବାନଙ୍କୁ ଟାର୍ଗେଟ କରି ପ୍ରବଳ ଗୁଳିମାଡ଼ କରିଛନ୍ତି । ଏଥିରେ ଜଣେ BSF ଯବାନ ଶହୀଦ ହୋଇଯାଇଛନ୍ତି । ଗୁଳିମାଡରେ ଯବାନ ଜଣକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଗତ ୨୪ ଦିନ ମଧ୍ୟରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଙ୍ଘନର ଏହା ତୃତୀୟ ଘଟଣା ।

ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ସାମ୍ବ ଜିଲ୍ଲା ରାମଗଡ ସେକ୍ଟର ଅନ୍ତର୍ଗତ ଅନ୍ତର୍ଜାତୀୟ ବର୍ଡର ନିକଟରେ ପାକିସ୍ତାନୀ ରେଞ୍ଜର୍ସ ବର୍ଡର ଆଉଟପୋଷ୍ଟ ଗୁଡିକୁ ଟାର୍ଗେଟ କରି ଅତର୍କିତ ଗୁଳିମାଡ଼ କରିଥିଲେ । ସେଠାରେ ମୁତୟନ ଥିବା ଜଣେ ବିଏସଏଫ ଯବାନଙ୍କ ଦେହରେ ଏହି ଗୁଳି ବାଜିଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଯବାନଙ୍କୁ ଜମ୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରଣ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶହୀଦ ହୋଇଯାଇଥିବା ସମ୍ବାଦ ସରବରାହ ସଂସ୍ଥା PTI ରିପୋର୍ଟ କରିଛି ।

ଏହାମଧ୍ୟ ପଢନ୍ତୁ: Shopian Encounter: ସୁରକ୍ଷାକର୍ମୀଙ୍କୁ ସଫଳତା, ଏନକାଉଣ୍ଟରରେ ଜଣେ ଆତଙ୍କୀ ନିପାତ

ବିଏସଏଫ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ବୁଧବାର ଓ ଗୁରୁବାର ମଧ୍ୟରାତ୍ରିରେ ପାକିସ୍ତାନୀ ରେଞ୍ଜର୍ସ ରାମଗଡ ଅଞ୍ଚଳରେ ଅତର୍କିତ ଗୁଳିମାଡ କରିଥିଲେ । ବିଏସଏଫ ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ । ଅନ୍ୟପଟେ ରାମଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବ୍ଲକ ମେଡିକାଲ ଅଫିସର ଡାକ୍ତର ଲଖୱିନ୍ଦର ସିଂହ କହିଛନ୍ତି, ପାକ୍‌ର ଗୁଳିମାଡରେ ଜଣେ ବିଏସଏଫ ଯବାନଙ୍କ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ରାତି ପ୍ରାୟ ୧ଟା ବେଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏନେଇ ମୋହନ ସିଂହ ଭାଟ୍ଟି ନାମକ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ରାତି ପ୍ରାୟ ୧୨ଟା ୨୦ରେ ଗୁଳିମାଡ଼ ଆରମ୍ଭ ହୋଇଥିଲା । ପରେ ପ୍ରବଳ ଗୁଳିଗୋଳା ବର୍ଷା ହୋଇଥିଲା ।

ଏହି ଘଟଣା ପୂର୍ବରୁ ଅକ୍ଟୋବର ୨୮ରେ ପାକିସ୍ତାନୀ ରେଞ୍ଜର୍ସ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଥିଲେ । ଏଥିରେ ଦୁଇ ଜଣ ବିଏସଏଫ ଯବାନ ଓ ଜଣେ ମହିଳା ଆହତ ହୋଇଥିଲା । ଅକ୍ଟୋବର ୧୭ ତାରିଖରେ ଜମ୍ମୁ-କାଶ୍ମୀରର ଅର୍ନିଆ ସେକ୍ଟରରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଥିଲା । ଏଥିରେ ମଧ୍ୟ ଦୁଇ ଜଣ ବିଏସଏଫ ଯବାନ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.