ETV Bharat / bharat

ଚରିତ୍ର ସନ୍ଦେହରୁ ପତ୍ନୀକୁ ହତ୍ୟା ! ମୃତଦେହକୁ ଖଣ୍ଡ ଖଣ୍ଡି କରି ପାଣି ଟାଙ୍କିରେ ରଖିଥିଲା ସ୍ବାମୀ

author img

By

Published : Mar 6, 2023, 10:23 PM IST

ଚରିତ୍ର ସନ୍ଦେହରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ । ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡି କରି ପାଣି ଟାଙ୍କିରେ ରଖିଥିଲା । ଅଭିଯୁକ୍ତକୁ ଧରିଲା ପୋଲିସ । ଅଧିକ ପଢନ୍ତୁ

ପାଣି ଟାଙ୍କିରୁ ମହିଳାଙ୍କ ଖଣ୍ଡି ବିଖଣ୍ଡିତ ମୃତଦେହ ଉଦ୍ଧାର, ସ୍ବାମୀ ଅଟକ
ପାଣି ଟାଙ୍କିରୁ ମହିଳାଙ୍କ ଖଣ୍ଡି ବିଖଣ୍ଡିତ ମୃତଦେହ ଉଦ୍ଧାର, ସ୍ବାମୀ ଅଟକ

ରାୟପୁର: ଛତିଶଗଡର ବିଲାସପୁର ଜିଲ୍ଲାରେ ଏକ ବିଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ପାଣି ଟାଙ୍କିରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଯୁବକ ନିଜ ପତ୍ନୀକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ପାଣି ଟାଙ୍କିରେ ରଖିଥିବା ପୋଲିସ ସୂଚନା ଦେଇଛି । ତେବେ ଘଟଣାରେ ହତ୍ୟାର ଶିକାର ମହିଳାଙ୍କ ସ୍ବାମୀଙ୍କୁ ପୋଲିସ ଗିରଫ ରଖି ଜେରା କରୁଛି । ତେବେ ହତ୍ୟାକାଣ୍ଡର କାରଣ ମହିଳାଙ୍କ ଚରିତ୍ରକୁ ସନ୍ଦେହ ବୋଲି ପୋଲିସ କହିଛି ।

ଘଟଣାଟି ବିଳାଶପୁରେ ସାକ୍ରି ପୋଲିସ ଷ୍ଟେସନ ଅଧୀନରେ ଘଟିଛି । ପ୍ରାୟ ଦୁଇ ମାସ ପୂର୍ବରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ଭାବେ ସନ୍ଦେହ କରୁଛି । ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ବିଳାଶପୁରର ଗୀତାଞ୍ଜଳି ନଗରରେ ରହୁଥିବା ତାଖତପୁରର ଯୁବକ ପୱନ ଠାକୁର ସତୀ ସାହୁ ନାମକ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲା । ଅଭିଯୁକ୍ତ ଯୁବକ ସିସିଟିଭି ଇନଷ୍ଟଲ କରିବା କାର୍ଯ୍ୟ କରୁଥିଲା । ଦମ୍ପତିଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି । କିନ୍ତୁ ଅଭିଯୁକ୍ତ ପୱନ ଠାକୁର ନିଜ ପତ୍ନୀର ଚରିତ୍ରକୁ ନେଇ ସର୍ବଦା ସନ୍ଦେହ କରୁଥିଲା । ଏହି ସନ୍ଦେହ ହେତୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିଥିଲା । ଏଥିରେ ସ୍ବାମୀ ପଓ୍ବନ ପତ୍ନୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା । ଦୁଇ ମାସ ପୂର୍ବେ ସେ ପ୍ରଥମେ ନିଜର ଦୁଇ ପିଲାଙ୍କୁ ନେଇ ଗାଁରେ ଛାଡି ଆସିଥିଲା । ପରେ ପତ୍ନୀକୁ ହତ୍ୟା କରିବା ସହ ମୃତଦେହକୁ ଖଣ୍ଡ ଖଣ୍ଡ କରି ପାଣି ଟାଙ୍କିରେ ରଖିଥିଲା । ଏପରି କରିବା ଦ୍ବାରା ମୃତଦେହ ନଷ୍ଟ ହୋଇଯିବ ଓ ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିବ ନାହିଁ ବୋଲି ଭାବିଥିଲା ଅଭିଯୁକ୍ତ ।

ତେବେ ପୋଲିସ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ଏକ ଚୋରି ମାମଲାର ତଦନ୍ତ କରିବାକୁ ଯାଇ ପଓ୍ବନର ଘରେ ଚଢାଉ କରିଥିଲା । ଏହି ସମୟରେ ଟାଙ୍କି ଭିତରେ ଏକ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହ ଥିବା ପୋଲିସ ଜାଣିବାକୁ ପାଇଥିଲା । ମୃତଦେହ ଉଦ୍ଧାର ପରେ ଅଭିଯୁକ୍ତ ସ୍ବାମୀକୁ ପୋଲିସ ଗିରଫ କରି ଜେରା କରୁଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.