ETV Bharat / bharat

ତବଲିଗୀ ଜମାତ କ’ଣ ?

author img

By

Published : Apr 2, 2020, 5:01 PM IST

ତବଲିଗୀ ଜମାତ (ଧାର୍ମିକ ଆସ୍ଥାର ପ୍ରସାର ପାଇଁ ଗଠିତ ସମାଜ) ହେଉଛି, ଭାରତରୁ ଆରମ୍ଭ ହୋଇଥିବା ବିଶ୍ବସ୍ତରୀୟ ସୁନ୍ନୀ ଇସଲାମିକ ଧର୍ମ ପ୍ରଚାରକମାନଙ୍କର ଏକ ଅଣରାଜନୈତିକ ସଂଗଠନ । ଅଧିକ ପଢନ୍ତୁ...

Tablighi Jamaat, world level sunni islamic religion, relogious believe, tablighi's lifestyle, ତବଲିଗୀ ଜମାତ, ବିଶ୍ବସ୍ତରୀୟ ସୁନ୍ନୀ ଇସଲାମିକ ଧର୍ମ, ଧାର୍ମିକ ଆସ୍ଥା, ତବଲିଗୀମାନଙ୍କ ଜୀବନ ଶୈଳୀ
ତବଲିଗୀ ଜମାତ କ’ଣ ?

ତବଲିଗୀ ଜମାତ

- ତବଲିଗୀ ଜମାତ (ଧାର୍ମିକ ଆସ୍ଥାର ପ୍ରସାର ପାଇଁ ଗଠିତ ସମାଜ) ହେଉଛି, ଭାରତରୁ ଆରମ୍ଭ ହୋଇଥିବା ବିଶ୍ବସ୍ତରୀୟ ସୁନ୍ନୀ ଇସଲାମିକ ଧର୍ମ ପ୍ରଚାରକମାନଙ୍କର ଏକ ଅଣରାଜନୈତିକ ସଂଗଠନ ।

- 1927 ମସିହାରେ ମହମ୍ମଦ ଇଲିଆସ ଅଲ-କାନ୍ଧଲାୱିଙ୍କ ଦ୍ବାରା ଏହି ଅଭିଯାନ ଆରମ୍ଭ ହୋଇଥିଲା ।

- ଜର୍ଜଟାଉନ ବିଶ୍ବବିଦ୍ୟାଳୟର ବର୍କଲେ ସେଣ୍ଟର ଦ୍ବାରା ପ୍ରକାଶିତ ଏକ ଲେଖା ଅନୁସାରେ, ଧର୍ମ ପ୍ରଚାରକ ମହମ୍ମଦଙ୍କ ଦ୍ବାରା ପ୍ରଣୀତ ଇସଲାମ ଧର୍ମର ଛଅଟି ସ୍ତମ୍ଭକୁ ଆମନ୍ତ୍ରଣ (ତବଲିଗ) ଜରିଆରେ ନାମମାତ୍ର ମୁସଲମାନମାନଙ୍କର ପ୍ରତ୍ୟାବର୍ତ୍ତନ ସହିତ ଇସଲାମ ଧର୍ମର ‘ସ୍ବର୍ଣ୍ଣିମ ଯୁଗ’ (ଖିଲାଫତ) ସୃଷ୍ଟି କରିବା ଏହାର ଲକ୍ଷ୍ୟ ।

- ବିଶେଷତଃ ଧାର୍ମିକ ଅନୁଷ୍ଠାନ, ପୋଷାକ ପରିଚ୍ଛଦ ଏବଂ ବ୍ୟକ୍ତିଗତ ଆଚରଣ କ୍ଷେତ୍ରରେ ମୁସଲମାନମାନଙ୍କୁ ପ୍ରାଥମିକ ସୁନ୍ନୀ ଇସଲାମକୁ ଫେରାଇ ଆଣିବା ଲାଗି ନିବେଦନ କରିବା ଉପରେ ତବଲିଗୀ ଜମାତ ଧ୍ୟାନ କେନ୍ଦ୍ରିତ କରେ ।

- ‘ବିଂଶ ଶତାବ୍ଦୀର ଇସଲାମ ଧର୍ମରେ ଅନ୍ୟତମ ସର୍ବାଧିକ ପ୍ରଭାବଶାଳୀ ଧାର୍ମିକ ଅଭିଯାନ’ ଭାବରେ ଏହା ଜଣାଶୁଣା ।

- ସମଗ୍ର ଭାରତୀୟ ଉପ ମହାଦେଶ ଅଞ୍ଚଳରେ ତବଲିଗୀ ନେଟୱାର୍କ ବେଶ ସୁଦୃଢ଼ ଏବଂ ବିଭିନ୍ନ ଜୀବନଧାରା ଓ ବର୍ଗର ଲୋକେ ଏହି ଧାର୍ମିକ ସଂଗଠନ ସହିତ ସଂପୃକ୍ତ ।

- ତବଲିଗୀ ଧର୍ମ ପ୍ରବଚକ ଗୋଷ୍ଠୀ ମସଜିଦରୁ କାର୍ଯ୍ୟ ସଂଚାଳନ କରନ୍ତି । ଅନ୍ୟାନ୍ୟ ସହର ଓ ଦେଶରୁ ‘ଜମାତ’ ଆସିଛି ବୋଲି ସଂଗଠନ ନିୟନ୍ତ୍ରଣରେ ଥିବା ମସଜିଦ ସମୂହରୁ ପ୍ରଚାରିତ ହେବା ଏକ ସାଧାରଣ କଥା । ସେମାନେ ‘ଗସ୍ତ’ ବା ଆଖପାଖ ଅଞ୍ଚଳରେ ବିଚରଣ କରନ୍ତି, ମୁସଲମାନମାନଙ୍କ ସହ ବାର୍ତ୍ତାଳାପ କରନ୍ତି ଏବଂ ସେମାନଙ୍କୁ ‘ନମାଜ’ ଏବଂ‘ଇଜ୍‌ତେମା’ କିମ୍ବା ମସଜିଦରେ ଆୟୋଜିତ ପାଠଚକ୍ରକୁ ନିମନ୍ତ୍ରଣ କରନ୍ତି ।

- ସାଧାରଣତଃ 40 ଦିନିଆ ଅଭିଯାନରେ ବାହାରୁଥିବା ପ୍ରବଚକମାନେ ବିଭିନ୍ନ ମସଜିଦରେ ରହନ୍ତି । ଲକଡାଉନ ବା ତାଲାବନ୍ଦ ଯୋଗୁଁ ସମବେତ ପ୍ରାର୍ଥନା ଉପରେ କଟକଣା ଜାରି ହେବା ପରେ ପ୍ରବଚକମାନେ ବିଭିନ୍ନ ମସଜିଦ ଛାଡ଼ି ଚାଲିଯାଇଥିଲେ

ଛଅଟି ସ୍ତମ୍ଭ :

- ତବଲିଗୀ ଜମାତ ଛଅଟି ସ୍ତମ୍ଭ ଉପରେ ଧ୍ୟାନ କେନ୍ଦ୍ରିତ କରେ- କଲିମା (ଆଲ୍ଲାଙ୍କ ଏକରୂପୀ ଅସ୍ତିତ୍ବରେ ବିଶ୍ବାସ), ସାଲାହ (ଦୈନନ୍ଦିନ ପ୍ରାର୍ଥନା), ଇଲମ ଏବଂ ଜିକ୍ର (ଆଲ୍ଲାଙ୍କ ସୁମରଣା ଏବଂ ସାହଚର୍ଯ୍ୟ), ଇକରାମ-ଏ-ମୁସଲିମ (ସାଥୀ ମୁସଲମାନଙ୍କ ପ୍ରତି ସମ୍ମାନଜନକ ବ୍ୟବହାର), ତାସ’ହି-ଇ-ନିୟତ (ସଂସ୍କାର ସାଧନ ଏବଂ ଇସଲାମ ଆଦର୍ଶ ପ୍ରତି ନିଜର ଜୀବନ ସମର୍ପଣ କରିବା), ଏବଂ ଦାୱାହ (ଆଲ୍ଲାଙ୍କ ବାର୍ତ୍ତା ପ୍ରଚାର କରିବା)

- ଦାୱାହ ଉପରେ ଗୁରୁତ୍ବ ପ୍ରଦାନ କରାଯାଉଥିବାରୁ, ତବଲିଗୀକୁ କେହି କେହି ‘ମୁସଲମାନଙ୍କ ଜେହୋଭାଙ୍କ ଦ୍ରଷ୍ଟା’ ରୂପେ ବର୍ଣ୍ଣନା କରିଛନ୍ତି ।

- ସାଧାରଣତଃ, ଅନୁଯାୟୀମାନେ 40 ଦିନିଆ ଅଭିଯାନ ବା ଚିଲ୍ଲାହ ପାଇଁ ବାହାରିବେ ଏବଂ ଏହି ସମୟ ମଧ୍ୟରେ ସେମାନେ ଅନ୍ୟ ମୁସଲମାନମାନଙ୍କୁ ପ୍ରବଚନ ଦେଇ ସେମାନଙ୍କୁ ସେମାନଙ୍କ ମସଜିଦରେ ଆୟୋଜିତ ପ୍ରାର୍ଥନାରେ ଯୋଗ ଦେବା ସହିତ ପ୍ରବଚନ ଶୁଣିବାକୁ ପ୍ରୋତ୍ସାହିତ କରିବେ ।

- ଏହାର ଅନୁଗାମୀମାନଙ୍କୁ ଖୁରୁଜ ରୂପେ ଅଭିହିତ ସ୍ବଳ୍ପକାଳୀନ ପ୍ରବଚନ ଅଭିଯାନରେ ଘରଠାରୁ ଦୂରକୁ ଯିବାକୁ ଏହି ଗୋଷ୍ଠୀ ଉତ୍ସାହିତ କରେ । ଏଭଳି ଅଭିଯାନ ଅଳ୍ପ କେଇ ଦିନରୁ ଆରମ୍ଭ କରି କିଛି ମାସ ପର୍ଯ୍ୟନ୍ତ ଚାଲିପାରେ ।

ତବଲିଗୀମାନଙ୍କ ଜୀବନ ଶୈଳୀ :

- ପୁରୁଷ ଅନୁଗାମୀମାନେ ଦାଢ଼ି ବଢ଼ାନ୍ତି ଏବଂ ଲମ୍ବା କୁର୍ତ୍ତା ପିନ୍ଧନ୍ତି, ସେମାନଙ୍କ ପାଇଜାମାର ଶେଷ ଭାଗ ଗୋଇଠି ଉପରେ ଥାଏ ।

- ମହିଳାମାନେ ସର୍ବସାଧାରଣ ସ୍ଥାନରେ ଶରୀରକୁ ଆବରଣ ତଳେ ରଖନ୍ତି ଏବଂ ସାଧାରଣତଃ ପରିବାର ମଧ୍ୟରେ ଏବଂ ଧାର୍ମିକ ଜୀବନରେ ସୀମାବଦ୍ଧ ହୋଇ ରହନ୍ତି ।

- ଘର ଭିତରେ, ଅନୁଗାମୀମାନେ ସରଳ ଜୀବନଧାରା ପସନ୍ଦ କରନ୍ତି ଏବଂ ସାଧାରଣତଃ, ବସିବା ପାଇଁ ଆଭିଜାତ୍ୟପୂର୍ଣ୍ଣ ସୋଫା ବଦଳରେ ଗାଲିଚା ଏବଂ ତକିଆ ବ୍ୟବହାର କରନ୍ତି । ସେମାନେ ଟେଲିଭିଜନ ଏବଂ ସଙ୍ଗୀତରୁ ଦୂରେଇ ରହନ୍ତି ।

- ତବଲିଗୀ ଜମାତର ଅନୁଗାମୀମାନଙ୍କ ମଧ୍ୟରେ ପାକିସ୍ତାନର ବହୁ ବିଶିଷ୍ଟ ବ୍ୟକ୍ତି ଅନ୍ତର୍ଭୁକ୍ତ । ସେମାନଙ୍କ ମଧ୍ୟରେ ଅଛନ୍ତି ଗାୟକ ଜୁନୈଦ ଜାମଶେଦ, କ୍ରିକେଟ ଖେଳାଳି ସାହିଦ ଆଫ୍ରିଦି, ସୟିଦ ଅନୱାର, ଇଞ୍ଜାମାମ-ଉଲ-ହକ, ମୁସ୍ତାକ ଅହମ୍ମଦ, ସାକଲେନ୍‌ ମୁସ୍ତାକ ଏବଂ ମହମ୍ମଦ ୟୁସୁଫ (ପୂର୍ବରୁ ୟୁସୁଫ ୟୁହାନା), ପାକିସ୍ତାନର ଆଇଏସଆଇର ପୂର୍ବତନ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଜାବେଦ ନାସିର ଏବଂ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ମହମୁଦ ଅହମଦ । ଏମାନେ ସମସ୍ତେ ତବଲିଗୀ ଜମାତ୍‌ର ସଦସ୍ୟ ।

କିପରି ଏହି ଧାର୍ମିକ ମଣ୍ଡଳୀ ସରକାରଙ୍କ ଲକଡାଉନ ନିର୍ଦ୍ଦେଶର ଅବମାନନା କଲେ:

13 ମାର୍ଚ୍ଚ: ଏକ ଧର୍ମସଭାର ଅଂଶ ଭାବେ ବିବେଚିତ ନିଜାମୁଦ୍ଦିନ ମରକଜରେ 3400 ଲୋକ ଏକତ୍ରିତ ହୁଅନ୍ତି ।

16 ମାର୍ଚ୍ଚ: ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ 50 ଜଣରୁ ଅଧିକ ଲୋକ ଯୋଗ ଦେଉଥିବା କୌଣସି ଧାର୍ମିକ, ସାମାଜିକ ଏବଂ ରାଜନୈତିକ ସମ୍ମିଳନୀକୁ ଦିଲ୍ଲୀରେ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରନ୍ତି । ତଥାପି ନିଜାମୁଦ୍ଦିନ ମରକଜରେ ଲୋକେ ରହିବାରେ ଲାଗନ୍ତି ।

20 ମାର୍ଚ୍ଚ: ଦିଲ୍ଲୀର ଏହି ଧର୍ମସଭାରେ ଯୋଗ ଦେଇଥିବା ଇଣ୍ଡୋନେସିଆର 10 ଜଣ ନାଗରିକ ସଂକ୍ରମିତ ବା ପଜିଟିଭ ବୋଲି ତେଲଙ୍ଗାନାରେ ଡାକ୍ତରୀ ଯାଞ୍ଚରୁ ଜଣାପଡ଼େ ।

22 ମାର୍ଚ୍ଚ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ସାରା ଦେଶରେ ଜନତା କର୍ଫ୍ୟୁ ପାଳିତ ହୁଏ । ଦିନକ ପାଇଁ ସର୍ବସାଧାରଣ ସ୍ଥାନରେ କୌଣସି ସମାବେଶକୁ ଅନୁମତି ଦିଆଯାଏ ନାହିଁ ।

23 ମାର୍ଚ୍ଚ: ମରକଜ ଛାଡ଼ି 1500 ଲୋକ ଚାଲିଯାଆନ୍ତି ।

24 ମାର୍ଚ୍ଚ: ଦେଶବ୍ୟାପୀ 21 ଦିନିଆ ଲକଡାଉନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରନ୍ତି । କୌଣସି ସର୍ବସାଧାରଣ ସମାବେଶ ଏବଂ ଅଣ-ଜରୁରୀ କାମରେ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯାଏ ନାହିଁ । କେବଳ ଅତ୍ୟାବଶ୍ୟକ ସେବା କାର୍ଯ୍ୟକ୍ଷମ ରହିବାକୁ ଅନୁମତି ମିଳେ ।

24 ମାର୍ଚ୍ଚ: ମରକଜରେ ଥିବା ଅବଶିଷ୍ଟ ଲୋକେ ଅଞ୍ଚଳ ଛାଡ଼ି ଚାଲିଯିବାକୁ ନିଜାମୁଦ୍ଦିନ ପୋଲିସ ନିର୍ଦ୍ଦେଶ ଦିଏ ।

25 ମାର୍ଚ୍ଚ: ଲକଡାଉନ ନିର୍ଦ୍ଦେଶର ଅବମାନନା କରି ପ୍ରାୟ 1000 ଲୋକେ ସେହି ଅଞ୍ଚଳରେ ରହନ୍ତି । ମରକଜକୁ ଏକ ଡାକ୍ତରୀ ଦଳ ଯାଆନ୍ତି ଏବଂ ସନ୍ଦିଗ୍‌ଧ ସଂକ୍ରମିତ ବ୍ୟକ୍ତିମାନଙ୍କୁ ସେହି କୋଠାରେ ଥିବା ଏକ ହଲ ମଧ୍ୟରେ ଅଲଗା କରି ରଖାଯାଏ । ଜମାତର କାର୍ଯ୍ୟକର୍ତ୍ତାମାନେ ଏସଡିଏମଙ୍କ ଅଫିସକୁ ଯାଆନ୍ତି । ଘର ଖାଲି କରି ଚାଲିଯିବା ଲାଗି ଅନୁମତି ଦେବାକୁ ଆବେଦନ ଦାଖଲ କରନ୍ତି । ପାସ ବା ଅନୁମତି ପତ୍ର ଲାଗି ଯାନବାହନର ଏକ ତାଲିକା ମଧ୍ୟ ଦିଆଯାଇଥିଲା।

26 ମାର୍ଚ୍ଚ: ଦିଲ୍ଲୀ ସମାବେଶରେ ଯୋଗ ଦେଇଥିବା ଜଣେ ଭାରତୀୟ ପ୍ରବଚକ ସଂକ୍ରମିତ ବୋଲି ଯାଞ୍ଚରୁ ଜଣାପଡ଼େ ଏବଂ ସେ ଶ୍ରୀନଗରରେ ପ୍ରାଣ ହରାଇଲେ ।

26 ମାର୍ଚ୍ଚ: ଏସଡିଏମ ମରକଜ ଗସ୍ତ କରନ୍ତି ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ବୈଠକରେ ଯୋଗ ଦେବାକୁ ଜମାତ କାର୍ଯ୍ୟକର୍ତ୍ତାମାନଙ୍କୁ କହନ୍ତି ।

27 ମାର୍ଚ୍ଚ: କରୋନା ଭାଇରସ ସଂକ୍ରମଣ ସନ୍ଦେହରେ ମର୍‌କଜରୁ ଛଅ ଜଣଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଏ ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ହରିୟାଣାର ଝାଝରରେ ଥିବା ପୃଥକୀକରଣ କେନ୍ଦ୍ରରେ ରଖାଯାଏ ।

28 ମାର୍ଚ୍ଚ: ଏସଡିଏମଙ୍କ ସହିତ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ଏକ ଟିମ ମରକଜ ପରିଦର୍ଶନ କରନ୍ତି । ଡାକ୍ତରୀ ପରକ୍ଷା ପାଇଁ 33 ଜଣ ଲୋକଙ୍କୁ ନିଆଯାଏ ଏବଂ ସେମାନଙ୍କୁ ଦିଲ୍ଲୀର ରାଜୀବ ଗାନ୍ଧି କ୍ୟାନ୍ସର ହାସପାତାଳରେ ଅଲଗା ଘରେ ରଖାଯାଏ ।

28 ମାର୍ଚ୍ଚ: ତୁରନ୍ତ ମରକଜ ଖାଲି କରିବା ପାଇଁ ଲଜପତ ନଗର ଏସିପି ନୋଟିସ ପଠାନ୍ତି ।

29 ମାର୍ଚ୍ଚ: ଏସିପିଙ୍କ ଚିଠିର ଉତ୍ତର ଦେଇ ମର୍‌କଜ କର୍ମକର୍ତ୍ତାମାନେ କହନ୍ତି ଯେ ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯିବା ପରେ କୌଣସି ନୂଆ ଲୋକଙ୍କୁ ଏଠାରେ ସମବେତ ହେବାକୁ ଦିଆଯାଇନାହିଁ । ବର୍ତ୍ତମାନ ଏଠାରେ ସମବେତ ଲୋକେ ପ୍ରଧାନ ମନ୍ତ୍ରୀଙ୍କ ଲକଡାଉନ ଘୋଷଣାର ବହୁ ପୂର୍ବରୁ ଏଠାରେ ରହିବା ଆରମ୍ଭ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ତାଙ୍କ ଲକଡାଉନ ଭାଷଣରେ କହିଥିଲେ ‘ଯେ ଜୋ ଜହାଁ ହୈ, ୱହିଁ ରହେ’ (ଯିଏ ଯେଉଁଠି ଅଛନ୍ତି ସେହିଠାରେ ହିଁ ରହନ୍ତୁ) ।

29 ମାର୍ଚ୍ଚ ରାତି: ପୋଲିସ ଓ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ମରକଜରୁ ଲୋକଙ୍କୁ ବାହାର କରନ୍ତି ଏବଂ ବିଭିନ୍ନ ହାସପାତାଳ ଏବଂ ପୃଥକୀକରଣ କେନ୍ଦ୍ରକୁ ପଠାଇ ଦିଅନ୍ତି । ଦିଲ୍ଲୀ ପୋଲିସର କହିବା ମୁତାବକ ସେମାନେ ମସଜିଦ କମିଟିକୁ ଦୁଇଟି ନୋଟିସ ପଠାଇଥିଲେ ହେଁ ତଥାପି ସେମାନେ ସେମାନଙ୍କ କାର୍ଯ୍ୟଧାରା ପରିବର୍ତ୍ତନ କଲେ ନାହିଁ । ମାର୍ଚ୍ଚ 23 ଏବଂ ମାର୍ଚ୍ଚ 28ରେ ନୋଟିସ ପଠାଯାଇଥିଲା ।

ବିଭିନ୍ନ ସୂତ୍ରରୁ ପ୍ରକାଶ ଯେ, ମାର୍ଚ୍ଚ 23 ତାରିଖ ଦିନ ପ୍ରାୟ 1500 ଲୋକଙ୍କୁ ମର୍‌କଜରୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଯାଇଥିଲା । କିନ୍ତୁ, ସେମାନଙ୍କ ମଧ୍ୟରୁ କେତେ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ମସଜିଦ କମିଟି କହିଛନ୍ତି ଯେ ଲୋକମାନଙ୍କୁ ବାହାରକୁ ପଠାଇବା ଲାଗି ଯାନବାହନକୁ ଅନୁମତି ଦେବା ସକାଶେ ସେମାନେ ମାର୍ଚ୍ଚ 23 ତାରିଖ ଦିନ ପୋଲିସକୁ ଏକ ଚିଠି ଲେଖିଥିଲେ ।

ମରକଜ ମସଜିଦ ତରଫରୁ ମୌଲାନା ୟୁସୁଫଙ୍କ ଦ୍ବାରା ଲଜପତ ନଗର ଏସିପି ଅତୁଲ କୁମାରଙ୍କୁ ପଠାଯାଇଥିବା ଏକ ପତ୍ରରେ ଉଲ୍ଲେଖ ରହିଛି ଯେ, କୌଣସି ନୂଆ ଲୋକଙ୍କୁ ମସଜିଦରେ ପ୍ରବେଶ କରାଇ ଦିଆଯାଇନାହିଁ ଏବଂ ଜନତା କର୍ଫ୍ୟୁ ଏବଂ ପରବର୍ତ୍ତୀ ସମୟରେ ଲକଡାଉନ ନିର୍ଦ୍ଦେଶ ପରେ ଏହି ସ୍ଥାନରେ ଭିଡ଼ କମ କରିବା ଦିଗରେ ପ୍ରୟାସ କରାଯାଉଛି । ଏହି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ନିଜାମୁଦ୍ଦିନରେ ଉପୁଜିଥିବା ପରିସ୍ଥିତି ସଂପର୍କରେ ଦିଲ୍ଲୀ ସରକାର ଜାଣିଥିଲେ ।

ସୂତ୍ର: ଗଣମାଧ୍ୟମ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.