ETV Bharat / bharat

କୋରୋନା ମୁକାବିଲା ପାଇଁ ଦ୍ବିତୀୟ ଟିକା ‘ଏପିଭାକକୋରୋନା’ ପ୍ରସ୍ତୁତ କଲା ଋଷ୍

author img

By

Published : Aug 23, 2020, 4:12 PM IST

କୋରୋନା ମୁକାବିଲା ପାଇଁ ଦ୍ବିତୀୟ ଟିକା ‘ଏପିଭାକକୋରୋନା’ ପ୍ରସ୍ତୁତ କଲା ଋଷ୍
କୋରୋନା ମୁକାବିଲା ପାଇଁ ଦ୍ବିତୀୟ ଟିକା ‘ଏପିଭାକକୋରୋନା’ ପ୍ରସ୍ତୁତ କଲା ଋଷ୍

ଋଷ ନିଜର ପ୍ରଥମ ଟିକା ସଫଳତାର ସହ ପ୍ରସ୍ତୁତ କରିସାରିଥିବା ବେଳେ ଏବେ କୋରୋନାର ମୁକାବିଲା ପାଇଁ ଋଷ ନିଜର ଦ୍ବିତୀୟ ଟିକା ପ୍ରସ୍ତୁତ କରିଛି। ଋଷ ପ୍ରଥମ ଟିକାର ନାଁ ‘ସ୍ପୁଟନିକ-ଭି’ ଥିବା ବେଳେ ଦ୍ୱିତୀୟ ଟୀକାର ନାମ ‘ଏପିଭାକକୋରୋନା’ ରଖାଯାଇଛି । ତେବେ ଦ୍ବିତୀୟ ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିବା ଦାବି କରିଛି ଋଷ। ଅଧିକ ପଢନ୍ତୁ...

ମସ୍କୋ: ଋଷ ନିଜର ପ୍ରଥମ ଟିକା ସଫଳତାର ସହ ପ୍ରସ୍ତୁତ କରିସାରିଥିବା ବେଳେ ଏବେ କୋରୋନାର ମୁକାବିଲା ପାଇଁ ଋଷ ନିଜର ଦ୍ବିତୀୟ ଟିକା ପ୍ରସ୍ତୁତ କରିଛି। ଏହାପୂର୍ବରୁ ଅଗଷ୍ଟ ୧୧ରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ସ୍ପୁଟନିକ-ଭି ନାମରେ ବିଶ୍ୱର ପ୍ରଥମ କୋରୋନା ଟିକା ସୃଷ୍ଟି କରିଥିବା ଘୋଷଣା କରିଥିଲେ । ଏଥିସହ ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ପ୍ରଥମ ଟିକା ଦିଆଯାଇଥିଲା। ପ୍ରଥମ ଟିକାକୁ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିଲା । ଏହି ଟିକାକୁ ପ୍ରଥମେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଦିଆଯିବ ବୋଲି ଋଷ କହିଥିଲେ । ହେଲେ ପ୍ରଥମ ଟିକାରେ ଅନେକ ପାର୍ଶ୍ବ ପ୍ରତିକ୍ରିୟା ଥିବାରୁ ଋଷ ଏବେ ଦ୍ବିତୀୟ ଟିକା ପ୍ରସ୍ତୁତ କରିଛି। ଦ୍ବିତୀୟ ଟିକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିବା ଦାବି କରିଛି ଋଷ।

ଋଷ ପ୍ରଥମ ଟିକାର ନାଁ ‘ସ୍ପୁଟନିକ-ଭି’ ଥିବା ବେଳେ ଦ୍ୱିତୀୟ ଟୀକାର ନାମ ‘ଏପିଭାକକୋରୋନା’ ରଖାଯାଇଛି । ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ​​ଯେ 2021 ପୂର୍ବରୁ କୌଣସି କୋରୋନା ଟିକା ଆସିବ ନାହିଁ। ତେବେ ଏହି ଟିକା ସାଇବେରିଆର ୱାର୍ଲ୍ଡ କ୍ଲାସ୍ ଭାଇରୋଲୋଜି ଇନଷ୍ଟିଚ୍ୟୁଟ୍ ରେ ପ୍ରସ୍ତୁତ ହେଉଛି । ଋଷର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଟିକା ଦିଆଯାଇଥିବା ୫୭ ସ୍ୱେଚ୍ଛାସେବୀଙ୍କ ମଧ୍ୟରୁ କାହା ପାଖରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନାହିଁ। ସମସ୍ତ ସ୍ୱେଚ୍ଛାସେବୀ ସୁସ୍ଥ ଏବଂ ଭଲ ଅନୁଭବ କରୁଛନ୍ତି। ତେବେ ଏହି ଟିକାର କ୍ଲିନିକାଲ୍ ପରୀକ୍ଷା ସେପ୍ଟେମ୍ବରରେ ଶେଷ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ସ୍ବେଚ୍ଛାସେବୀମାନଙ୍କୁ ଏହି ନୂତନ ଟିକା ମାତ୍ରା 14 ରୁ 21 ଦିନ ମଧ୍ୟରେ ଦୁଇଥର ଦିଆଯାଇଥିଲା । ଋଷ ଆଶା କରୁଛି ଯେ ଏହି ଟିକା ଅକ୍ଟୋବର ସୁଦ୍ଧା ପଞ୍ଜୀକୃତ ହେବ ଏବଂ ନଭେମ୍ବରରୁ ଉତ୍ପାଦନ ଆରମ୍ଭ ହେବ। ଏହି ଟିକା ଭେକ୍ଟର ଷ୍ଟେଟ ରିସର୍ଚ୍ଚ ସେଣ୍ଟର ଅଫ୍ ଭାଇରୋଲୋଜି ଏବଂ ବାୟୋଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.