ETV Bharat / bharat

ଗେହଲଟଙ୍କୁ ଘାରିଲା ଘୋଡାବେପାର ଭୟ, ସ୍ଥାନାନ୍ତର ହୋଇପାରନ୍ତି ବିଧାୟକ

author img

By

Published : Jul 31, 2020, 12:10 PM IST

ଅଶୋକ ଗେହଲଟ୍ କ୍ୟାମ୍ପର ବିଧାୟକଙ୍କୁ ଶୁକ୍ରବାର ସ୍ଥାନାନ୍ତରଣ କରାଯିବ । ସେମାନଙ୍କୁ ଜୈସାଲମେରର ଏକ ହୋଟେଲକୁ ସ୍ଥାନାନ୍ତର କରିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ଗେହଲଟଙ୍କୁ ଘାରିଲା ଘୋଡାବେପାର ଭୟ
ଗେହଲଟଙ୍କୁ ଘାରିଲା ଘୋଡାବେପାର ଭୟ

ଜୟପୁର: ରାଜସ୍ଥାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଜୟପୁର-ଦିଲ୍ଲୀ ରାଜପଥରେ ଥିବା ଏକ ହୋଟେଲରେ ରହୁଥିବା ଅଶୋକ ଗେହଲଟ୍ କ୍ୟାମ୍ପର ବିଧାୟକଙ୍କୁ ଶୁକ୍ରବାର ସ୍ଥାନାନ୍ତରଣ କରାଯିବ । ସେମାନଙ୍କୁ ଜୈସଲମେରର ଏକ ହୋଟେଲକୁ ସ୍ଥାନାନ୍ତର କରିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ହୋଟେଲରେ କଂଗ୍ରେସ ବିଧାନସଭା ପାର୍ଟି ବୈଠକ ପରେ ବିଧାୟକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ସମ୍ବୋଧିତ କରିବେ । ଏହାପରେ ସେମାନଙ୍କୁ ସ୍ଥାନାନ୍ତରଣ କରାଯିବ ବୋଲି ଜଣାପଡିଛି ।

ରାଜ୍ୟପାଳଙ୍କ ଦ୍ବାରା ଅଗଷ୍ଟ 14ରେ ବିଧାନସଭା ଅଧିବେଶନ ପାଇଁ ଅନୁମତି ମିଳିବା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଘୋଡା ବେପାର ଭୟ ଘାରିଛି । ଏହାକୁ ଦୃଷ୍ଟିରେ ରଖି ଗେହଲଟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ହୋଟେଲ ଫେୟାରମାଉଣ୍ଟ ହୋଟେଲରେ ରଖାଯାଇଥିବା ସମସ୍ତ ବିଧାୟକଙ୍କୁ ଶୁକ୍ରବାର ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଜୈସାଲମେର ଅଣାଯିବ । ସେମାନଙ୍କୁ ଜୈସାଲମେରର ହୋଟେଲ ସୂର୍ଯ୍ୟଗଡରେ ରଖାଯିବ ବୋଲି ଜଣାପଡିଛି ।

ଜୈସାଲମେର ପୋଲିସ ଏବଂ ପ୍ରଶାସନ ଦଳର ବିଧାୟକଙ୍କ ସୁରକ୍ଷା ଦେବା ପାଇଁ ହୋଟେଲରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି । ଏଥି ସହିତ ହୋଟେଲ ସମ୍ମୁଖ ରାସ୍ତାରେ ବ୍ୟାରିକେଡ ସ୍ଥାପନ କରି ସୁରକ୍ଷାକୁ ବୃଦ୍ଧି କରାଯାଇଛି। ବାୟୁମାର୍ଗରେ ଜୈସାଲମେର ପହଞ୍ଚୁଥିବା ବିଧାୟକଙ୍କୁ ନେଇ ସିଭିଲ ବିମାନବନ୍ଦରରେ ଉତ୍ତେଜନା ଆହୁରି ତୀବ୍ର ହୋଇଛି।

ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଜୟପୁରରେ ରହିବେ । କେବଳ ବିଧାୟକମାନଙ୍କୁ ଜୈସାଲମେରରେ ରଖାଯିବ । ତେବେ ବିଧାୟକଙ୍କ ବ୍ୟକ୍ତିଗତ ସଚିବ ଏବଂ ପରିବାର ସଦସ୍ୟଙ୍କୁ ସେମାନଙ୍କ ସହିତ ଆସିବାକୁ ଅନୁମତି ଦିଆଯାଇ ନ ଥିବା ସୂଚନା ରହିଛି । ଏହି ବିଧାୟକଙ୍କ ସୁରକ୍ଷା ପାଇଁ ଜୟପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ମଧ୍ୟ ଜୈସାଲମେର ପହଞ୍ଚିଛନ୍ତି ।

ବିଧାନସଭା ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାୟକଙ୍କ ଘୋଡାବେପାରକୁ ନେଇ ଭୟଭୀତ ହୋଇଛନ୍ତି । ବିଜେପି ବିଧାୟକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବ । ତେଣୁ ଏପରି ପରିସ୍ଥିତିରେ ବିଧାୟକମାନଙ୍କୁ ବର୍ତ୍ତମାନ ଜୟପୁରରୁ ଜୈସାଲମେର ଅଣାଯାଉଛି। ସେମାନେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଜୈସାଲମେରରେ ରହିବେ ବୋଲି ଜଣାପଡୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.