ETV Bharat / bharat

୪ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ: ନେତାଙ୍କ ଛାତି ଧଡ୍‌ଧଡ୍, ସତ ହେବ କି ଏକଜିଟ୍ ପୋଲ ?

author img

By ETV Bharat Odisha Team

Published : Dec 3, 2023, 8:07 AM IST

Updated : Dec 3, 2023, 9:33 AM IST

Assembly Election results 2023: ଆରମ୍ଭ ହେଲା ୪ ରାଜ୍ୟର ବିଧାନସଭା ନିର୍ବାଚନ ଭୋଟ ଗଣତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବେ ଦେଖାଯାଉଛି । ତେଣୁ କିଏ ମାରୁଛି ବାଜି, ସତ ହେଉଛି କାହାର ଦାବି, ତାହା ଆଉ କେଇ ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇଯିବ । ଅଧିକ ପଢନ୍ତୁ

୪ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ
୪ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ

ହାଇଦ୍ରାବାଦ: ଆଜି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ରେଜଲ୍ଟ । ଏଥିପାଇଁ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । କଡା ସୁରକ୍ଷା ବଳୟ ଭିତରେ ଗଣତି କରାଯାଉଛି । ଗଣତି ଆରମ୍ଭ ସହ ପାର୍ଟି ଗୁଡିକର ସ୍ପନ୍ଦନ ବଢିବାରେ ଲାଗିଛି । ତେବେ ସତ ହେବ କି ବୁଥ୍ ବାହୁଡା ମତ ? ସତରେ କ'ଣ ବିଆରଏସ୍ ହାତରୁ ଖସିଯିବ ତେଲେଙ୍ଗାନା ! ରାଜସ୍ଥାନରେ ଭାଙ୍ଗିବ ପରମ୍ପରା ନା ବଦଳିବ ଶାସନ ? ମଧ୍ୟପ୍ରଦେଶରେ ପୁଣି ଫୁଟିବ କମଳ ନା ଛତିଶଗଡରେ ରିପିଟ୍ ହେବ ଭୂପେଶ ସରକାର ? ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଆଉ କେଇ ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇଯିବ । ୪ଟି ରାଜ୍ୟ ଭିତରୁ ୨ଟି ରାଜ୍ୟରେ କଂଗ୍ରେସ ଓ ଆଉ ୨ଟି ରାଜ୍ୟରେ ବିଜେପି ସପକ୍ଷରେ ବୁଥ ବାହୁଡା ମତ ରହିଛି । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ୫ ରାଜ୍ୟର ବିଧାନସଭା ଫଳାଫଳ ଗୁରୁତ୍ବ ବହନ କରୁଛି ।

ମଧ୍ୟପ୍ରଦେଶରେ ୨୩୦ ଆସନରେ, ଛତିଶଗଡରେ ୯୦ ଆସନ, ତେଲେଙ୍ଗାନାରେ ୧୧୯ ଓ ରାଜସ୍ଥାନରେ ୧୯୯ ଆସନ ପାଇଁ କଡା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି କରାଯାଉଛି । ଆସନ୍ତକାଲି(ସୋମବାର) ମିଜୋରାମରେ ମତଗଣନା ହେବ । ନିର୍ବାଚନ ଅଧିକାରୀଙ୍କ ଅନୁସାରେ, ୪ଟି ରାଜ୍ୟର ଭୋଟ ଗଣତି କେନ୍ଦ୍ର ଗୁଡିକରେ ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ବୁଥ ବାହୁଡା ମତ କହୁଛି, ତେଲେଙ୍ଗାନାରେ ବିଆରଏସ ଠାରୁ କଂଗ୍ରେସ ବାଜି ଛଡାଇନେବ । ଛତିଶଗଡରେ ପୁଣିଥରେ କଂଗ୍ରେସ ଏବଂ ମଧ୍ୟପ୍ରଦେଶରେ ବିଜେପି ସରକାର ଆସିବ । ରାଜସ୍ଥାନରେ ବିଜେପି ବହୁମତ ହାସଲ କରିବା ନେଇ ଆକଳନ କରାଯାଉଥିବା ବେଳେ ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟ ଟକ୍କର କଡା ହେଉଛି ।

ରାଜସ୍ଥାନରେ ଭାଙ୍ଗିବ କି ପରମ୍ପରା: ନିର୍ବାଚନ ଫଳାଫଳକୁ ନେଇ ରାଜସ୍ଥାନ ରାଜନୀତିରେ ସବୁଠୁ ଅଧିକ ହଲଚଲ ଚାଲିଛି । ରାଜସ୍ଥାନରେ ପ୍ରତି ୫ ବର୍ଷକୁ ସରକାର ବଦଳିବାର ପରମ୍ପରା ରହିଛି । ଏକାଧିକ ଜାତୀୟ ସଂସ୍ଥାର ବୁଥ ବାହୁଡା ମତରେ ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ମୁକାବିଲା ରହିଛି । ରାଜସ୍ଥାନରେ ୧୯୯ ଆସନରେ ୧୮୬୩ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ବିଗତ ୩ ଦଶନ୍ଧିରେ ପ୍ରତି ୫ ବର୍ଷରେ ଥରେ କଂଗ୍ରେସ ଓ ବିଜେପି ମଧ୍ୟରେ ସତ୍ତା ବଦଳିବାର ନଜିର ରହିଛି । ତେବେ ଚଳିତ ନିର୍ବାଚନରେ ବିଜେପି ଏଠି ନିଜର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରିନି । ତଥାପି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ହିଁ ଦଳ କମାଣ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ମଧ୍ୟପ୍ରଦେଶରେ ଫୁଟିବ କମଳ ନା ଆସିବେ କମଲନାଥ: ମଧ୍ୟପ୍ରଦେଶରେ ୨୩୦ ଆସନରେ ୨,୫୩୩ ପ୍ରାର୍ଥୀ ଲଢେଇ କରୁଛନ୍ତି । ବୁଥ ବାହୁଡା ମତରେ ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତା ଦଖଲ କରିବ ବୋଲି କୁହାଯାଇଛି । ତେବେ ରାଜ୍ୟରେ ଫୁଟିବ କମଳ ନା ବାଜିମାରିବେ କମଲନାଥ ତାହା ଆଜି ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ । ଏଠାରେ ଉଭୟ ବିଜେପି ଓ କଂଗ୍ରେସ ନିଜର ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ତେବେ କାହାର ଦାବି ସତ ହେଉଛି ତାହା ଆଉ କିଛି ଘଣ୍ଟାର ଅପେକ୍ଷା ପରେ ସ୍ପଷ୍ଟ ହୋଇଯିବ ।

ସତ ହେବ କି ତେଲେଙ୍ଗାନା ଏକଜିଟ ପୋଲ: ୪ ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରୁ ସବୁଠୁ ଅଧିକ ଚର୍ଚ୍ଚାର ରହିଛି ତେଲେଙ୍ଗାନା । ବୁଥ ବାହୁଡା ମତକୁ ନେଇ ଭୋଟ ଗଣତି ପୂର୍ବରୁ ଏଠାରେ ରାଜନୈତିକ ପାଣିପାଗ ଖୁବ୍ ଉଷ୍ଣ ରହିଛି । ଯଦିଓ ବୁଥ ବାହୁଡା ମତରେ କଂଗ୍ରେସ ସପକ୍ଷରେ ଜନାଦେଶ ଯିବ ବୋଲି କୁହାଯାଇଛି ହେଲେ ନିଜର ବିଜୟକୁ ନେଇ ଫୁଲ୍ ଦମ୍ଭ ଦେଖାଉଛନ୍ତି କେସିଆର । ଏକାଧିକ ଏକଜିଟ ପୋଲ ତେଲେଙ୍ଗାନାରେ କଂଗ୍ରେସ ସରକାର ଆସିବାକୁ ଇସାରା ଦେଉଛି । ହେଲେ ମୁଖ୍ୟମନ୍ତ୍ରୀ କେସିଆର ଚଳିତ ଥର ହାଟ୍ରିକ ମାରିବା ଆଶାରେ ଅଛନ୍ତି । ତେଲେଙ୍ଗାନାରେ ୨,୨୯୦ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଯଦି ସତକୁ ସତ କଂଗ୍ରେସ ସରକାର ଆସେ, ତାହେଲେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଉପରେ ନଜର ରହିବ ।

ଛଡିଶଗଡରେ ରିପିଟ୍ ହେବ ଭୂପେଶ ସରକାର: ବୁଥ ବାହୁଡା ମତ ଅନୁସାରେ ଛତିଶଗଡରେ ପୁଣିଥରେ କଂଗ୍ରେସ ସରକାର ଆସିବ । ବିଜେପିର ଭୋଟ ବ୍ୟବଧାନ ବଢିବ । ତେଣୁ ଯଦିଓ ଏକାଧିକ ସର୍ଭେ ସଂସ୍ଥା କଂଗ୍ରେସ ସପକ୍ଷରେ ମତ ଦେଇଛନ୍ତି ତଥାପି ଛତିଶଗଡ କଂଗ୍ରେସ ଶିବିରରେ ଛନକା ପଶିଛି । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଘାରିଛି ଘୋଡା ବେପାର ଚିନ୍ତା । ଏଥିପାଇଁ ନିର୍ବାଚନ ଫଳାଫଳ ଆସିବା ମାତ୍ରେ ବିଜୟୀ ବିଧାୟକଙ୍କୁ ଯେତେ ଶୀଘ୍ର ସମ୍ଭବ ରାୟପୁରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ବଘେଲ । ସେପଟେ ବିଜେପି ମଧ୍ୟ ନିଜ ସପକ୍ଷରେ ଜନାଦେଶ ଯିବା ନେଇ ଦାବି କରୁଛି । ତେବେ ବିଜେପି ପକ୍ଷରୁ ଏଠାରେ ନିଜର ମୁଖ୍ୟମନ୍ତ୍ରୀ ଚେହେରା ସ୍ପଷ୍ଟ କରାଯାଇନି ।

Last Updated : Dec 3, 2023, 9:33 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.