ETV Bharat / bharat

ଇଡି ସମନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ କେଜ୍ରିୱାଲ, ଆଜି ହେବେନି ହାଜର

author img

By ETV Bharat Odisha Team

Published : Dec 21, 2023, 11:13 AM IST

Arvind Kejriwal on ED Summon: ଇଡି ସମନର ଜବାବ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । କହିଲେ ଏହି ସମନ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଅଧିକ ପଢନ୍ତୁ

ଇଡି ସମନର ଜବାବ ଦେଲେ କେଜ୍ରିୱାଲ
ଇଡି ସମନର ଜବାବ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ହାଜିରା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଡକାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହେଲେ କେଜ୍ରିୱାଲ ହାଜର ହେବା ବଦଳରେ ଇଡି ସମନର ଜବାବ ପଠାଇଛନ୍ତି । ସେ ତଦନ୍ତ ଏଜେନ୍ସିର ଏହି ସମନକୁ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ଏଥିସହ ୧୦ ଦିନ ପାଇଁ ଦିଲ୍ଲୀ ବାହାରକୁ ଚାଲି ଯାଇଛନ୍ତି ।

ଆମ୍ ଆଦମୀ ପାର୍ଟି ସୁପ୍ରିମୋ କହିଛନ୍ତି, ''ମୁଁ ସବୁପ୍ରକାର ଆଇନଗତ ସମନକୁ ଗ୍ରହଣ କରିବାକୁ ପ୍ରସ୍ତୁତ । କିନ୍ତୁ ଇଡର ଏହି ସମନ ପୂର୍ବ ସମନଗୁଡିକ ଭଳି ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଏହି ସମନ ଫେରାଇ ନିଆଯିବା ଉଚିତ୍ । ମୁଁ ମୋର ପୁରା ଜୀବନ ସଚ୍ଚୋଟତା ଏବଂ ପାରଦର୍ଶିତାର ସହ ବଞ୍ଚିଛି । ମୋ ପାଖରେ ଲୁଚାଇବାକୁ କିଛି ନାହିଁ ।''

କହିରଖୁଛି କି, ଏହା ଦ୍ବିତୀୟ ଥର, ଯେତେବେଳେ କେଜ୍ରିୱାଲ ଇଡି ସମନରେ ହାଜର ହୋଇନାହାନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସେ ୧୦ ଦିନ ପାଇଁ ପଞ୍ଜାବାର ବିପାସନା କ୍ୟାମ୍ପ ଗସ୍ତ କରିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ମଦ ଘୋଟାଲା ମାମଲାରେ ପଚରାଉଚରା କରିବା ପାଇଁ ଆଜି ହାଜର ହେବାକୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ପଠାଇଥିଲା । ପୂର୍ବରୁ ଏହି ମାମଲାରେ ସିବିଆଇ ଗତ ଏପ୍ରିଲରେ କେଜ୍ରିୱାଲଙ୍କୁ ଦୀର୍ଘ ଘଣ୍ଟା କାଳ ଜେରା କରିଥିଲା । ଏହାପରେ ନଭେମ୍ବର ୨ରେ ଇଡି ପ୍ରଥମ ଥର ଆପ୍ ସୁପ୍ରିମୋଙ୍କୁ ଜେରା ପାଇଁ ସମନ କରିଥିଲା । ହେଲେ ସେତେବେଳେ ମଧ୍ୟ ସେ ନିଜର କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ଇଡିରେ ହାଜର ହୋଇନଥିଲେ ।

ଏହା ମଧ୍ୟ ପଢନ୍ତୁ : ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ED ସମନ

ଏହା ମଧ୍ୟ ପଢନ୍ତୁ : 2024ରେ ବିଜେପିକୁ କ୍ଷମତାରୁ ହଟାଇବା ହିଁ ଦେଶଭକ୍ତି: ଅରବିନ୍ଦ କେଜ୍ରିୱାଲ

ପ୍ରକାଶ ଥାଉକି, ଅରବିନ୍ଦ କେଜ୍ରିୱାଲ ବିପାସନା ସାଧାନା ପାଇଁ ହିମାଚଳ, ବେଙ୍ଗାଲୁରୁ, ମହରାଷ୍ଟ୍ରର କୌଣସି ଏକ ସ୍ଥାନକୁ ଯାଆନ୍ତି । ହେଲେ ଏଥର ପ୍ରଥମ ଥର ସେ ପଞ୍ଜାବର ହୋଶିଆରପୁର ଯାଇଛନ୍ତି । ବିପାସନା ସାଧନା ନିୟମ ଅନୁସାରେ, କେଜ୍ରିୱାଲ ୧୦ ଦିନ ପର୍ଯ୍ୟନ୍ତ କାହା ସହ ଯୋଗାଯୋଗରେ ରହିବେ ନାହିଁ । ତାଙ୍କର ଅନୁପସ୍ଥିତିରେ ମନ୍ତ୍ରୀ ଆତିଶୀ ସମସ୍ତ କାର୍ଯ୍ୟଭାର ସମ୍ଭାଳିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.