ETV Bharat / bharat

ଇତିହାସର ସବୁଠୁ ବଡ ନକ୍ସଲ ଆକ୍ରମଣ: ଶହୀଦ ହୋଇଥିଲେ 76 ଯବାନ

author img

By

Published : Apr 26, 2023, 8:05 PM IST

2010 ଏପ୍ରିଲ 6 ତାରିଖରେ ଛତିଶଗଡରେ ହୋଇଥିଲା ଦେଶର ଇତିହାସରେ ସବୁଠୁ ବଡ ଲାଲ ହିଂସା । ନକ୍ସଲଙ୍କ ଆକ୍ରମଣରେ ଏକକାଳୀନ ଶହୀଦ ହୋଇଥିଲେ 76 ଯବାନ । ଅଧିକ ପଢନ୍ତୁ

ଇତିହାସର ସବୁଠୁ ବଡ ନକ୍ସଲ ଆକ୍ରମଣ: ଶହୀଦ ହୋଇଥିଲେ 76 ଯବାନ
ଇତିହାସର ସବୁଠୁ ବଡ ନକ୍ସଲ ଆକ୍ରମଣ: ଶହୀଦ ହୋଇଥିଲେ 76 ଯବାନ

ହାଇଦ୍ରାବାଦ: ସ୍ବାଧୀନତାର ଦୀର୍ଘ 70 ବର୍ଷ ପରେ ମଧ୍ୟ ଦେଶରେ ବାମପନ୍ଥୀ ସଶସ୍ତ୍ର ତଥା ହିଂସାତ୍ମକ ବିପ୍ଳବକୁ ସମାପ୍ତ କରିବାରେ ସଫଳ ହୋଇନି ସରକାର । ଆଜି ମଧ୍ୟ ଦେଶର ଏକାଧିକ ରାଜ୍ୟର କିଛି ଉପାନ୍ତ ତଥା ଦୁର୍ଗମ ଅଞ୍ଚଳ ଲାଲ ବାହିନୀର କବଜାରେ ରହିଛି । ମାଓ ଦମନ ପାଇଁ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ସହ ସ୍ଥାନୀୟ ପୋଲିସ ବ୍ୟାପକ କାର୍ଯ୍ୟାନୁଷ୍ଠାନ ହାତକୁ ନେଉଛି । ଏହି ଅପରେସନରେ କ୍ରମାଗତ ସଫଳତା ମଧ୍ୟ ମିଳୁଛି । ହେଲେ ସମ୍ପୂର୍ଣ୍ଣ ଲାଲ ବାହିନୀର ଅସ୍ଥିତ୍ବକୁ ନିଶ୍ଚିହ୍ନ କରିବାରେ ଏପର୍ଯ୍ୟନ୍ତ ସଫଳତା ମିଳିନି । ହିଂସାକାଣ୍ଡ ଘଟାଇ ଯବାନଙ୍କୁ ହତ୍ୟା କରି ଲାଲ ବାହିନୀ ତାର ଅସ୍ଥିତ୍ବ ଓ ସାଙ୍ଗଠନିକ ପ୍ରଭାବ ବିସ୍ତାର କରିବା ସହ ଉକ୍ତ ଅଞ୍ଚଳରେ ତାର ପ୍ରଭାବକୁ ଦର୍ଶାଉଛି ।

ଆଜି (ବୁଧବାର) ଛତିଶଗଡ ଦାନ୍ତେଓ୍ବାଡାରେ ନକ୍ସଲ ଆକ୍ରମଣରେ 10 ଯବାନ ଶହୀଦ ହେବା ସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏହି ହିଂସା ପୁଣି ଥରେ ଦେଶର ଲାଲ ଆତଙ୍କର ପୁରୁଣା ଫର୍ଦ୍ଦକୁ ସାମ୍ନାକୁ ଆଣିଛି । କାରଣ ଏହି ଦାନ୍ତେଓ୍ବାଡାରେ ଘଟିଥିଲା ଦେଶ ଇତିହାସର ସବୁଠୁ ବଡ ଲାଲ ହାମଲା । ଏକକାଳୀନ ଶହୀଦ ହୋଇଥିଲେ କେନ୍ଦ୍ରୀୟ ଫୋର୍ସର 76 ସିଆରପିଏଫ ଯବାନ । ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା ।

ଶହୀଦ ହୋଇଥିଲେ 76 ଯବାନ :- ଆଜିକୁ 13 ବର୍ଷ ପୂର୍ବରୁ ଏହି ଦାନ୍ତେଓ୍ବାଡରେ ଘଟିଥିଲା ଦେଶର ସବୁଠୁ ବଡ ନକ୍ସଲ ଆକ୍ରମଣ । ଦାନ୍ତେଓ୍ବାଡାର ନକ୍ସଲ ପ୍ରବଣ ଜଙ୍ଗଲରେ କମ୍ବିଂ ଅପରେସନରେ ବାହାରିଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଯବାନଙ୍କୁ ଟାର୍ଗେଟ କରିଥିଲେ ନକ୍ସଲ । ଛତିଶଗଡ ବସ୍ତର ଆଦିବାସୀ ବହୁଳ ମୁକର୍ନା ଜଙ୍ଗଲରେ କମ୍ବିଂରେ ନିୟୋଜିତ ଥିଲେ କେନ୍ଦ୍ରୀୟ ଫୋର୍ସ ଓ ସ୍ଥାନୀୟ ପୋଲିସ ଯବାନଙ୍କୁ ମିଶାଇ ମୋଟ 85 ଯବାନଙ୍କ ଏକାଧିକ ଟିମ । ଏହି ସମୟରେ ନକ୍ସଲମାନେ ଯବାନଙ୍କ ଏହି ଟିମକୁ ଆମ୍ବ୍ୟୁସ କରି ଘେରି ଯାଇଥିଲେ । ସୁରକ୍ଷାକର୍ମୀଙ୍କୁ ଗାଡିକୁ ଆଇଡି ଲଗାଇ ବିସ୍ଫୋରଣ କରିବା ସହ ଅତର୍କିତ ଗୁଳିମାଡ କରିଥିଲେ । ଏଥିରେ 76 ଯବାନ ଶହୀଦ ହୋଇଥିଲେ ।

ଆକ୍ରମଣରେ ସାମିଲ ଥିଲେ 3 ଶହ ମାଓବାଦୀ- ଏହି ଆକ୍ରମଣକୁ ରୂପ ଦେବା ପାଇଁ ଲାଲ ବାହିନୀ ଏକ ବଡ ଯୋଜନା କରିଥିଲା । ଏଥିରେ ପ୍ରାୟ 3 ଶହରୁ ଅଧିକ ନକ୍ସଲ ସାମିଲ ହୋଇଥିଲେ । ଘଟଣା ସାରା ଦେଶରେ ଉଦବେଗ ସୃଷ୍ଟି କରିଥିଲା । ଏକକାଳୀନ ଏତେ ସଂଖ୍ୟକ ଯବାନଙ୍କ ନିଧନ ପରେ ସାରା ଦେଶରେ ମାଓବାଦୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଦାବି ଉଠିଥିଲା । ଏହାକୁ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ପି.ଚିଦାମ୍ବରମ କଡା ଭାଷାରେ ନିନ୍ଦା କରିବା ସହ ଯବାନଙ୍କ ବଳିଦାନ ସ୍ବରୂପ ମାଓବାଦୀଙ୍କୁ କଡା ଜବାବ ଦିଆଯିବା ନେଇ କହିଥିଲେ ।

ନିଜକୁ ଦାୟୀ କରିଥିଲା ସିପିଆଇ ମାଓବାଦୀ:- ପରେ ଏହି ଆକ୍ରମଣକୁ ସ୍ବୀକାର କରି ନିଜ ଅସ୍ଥିତ୍ବ ଜାହିର କରିଥିଲା ସିପିଆଇ ମାଓବାଦୀ ପାର୍ଟି । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସ୍ପଷ୍ଟ କରାଯାଇଥିଲା । ଏହି ଅପରେସନର ନତୃତ୍ବ ଦୁର୍ଦ୍ଦଶ ମାଓ କମାଣ୍ଡର ଗଣେଶାନ୍ନା ଓ ରମଣା ନେଇଥିବା ଓ ଏହା ଗ୍ରୀନହଣ୍ଟ ଅପରେସନର ପ୍ରତିଜବାବ ବୋଲି ମଧ୍ୟ ମାଓ ସଂଗଠନ କହିଥିଲା । ଜାରି ବିବୃତ୍ତିରେ ଏହା ମଧ୍ୟ କୁହାଯାଇଥିଲା, ଯେ କେନ୍ଦ୍ରୀୟ ଫୋର୍ସ ଲଗାଇ ସରକାର ମାଓ ଦମନ ନାମରେ ନୀରିହ ଆଦିବାସୀଙ୍କୁ ଉପରେ ଆକ୍ରମଣ କରୁଛନ୍ତି । ସେମାନଙ୍କୁ ହତ୍ୟା କରୁଛନ୍ତି । ତେଣୁ ଏହାକୁ ବନ୍ଦ କରାନଗଲେ ଏପରି ଜବାବ ଜାରି ରହିବା ନେଇ ମାଓ ସଂଗଠନ ଚେତାବନୀ ଦେଇଥିଲା ।

‘ଅପରେସନ ଗ୍ରୀନହଣ୍ଟ’କୁ ଥିଲା ବିରୋଧ :-ବର୍ଷ 2009 ରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର କ୍ଷମତାକୁ ଆସିବା ପରେ ସେହିବର୍ଷ ନଭେମ୍ବରରେ ଆରମ୍ଭ ହୋଇଥିଲା ‘ଅପରେସନ ଗ୍ରୀନହଣ୍ଟ’ । ନକ୍ସଲ ଦମନ ପାଇଁ କେନ୍ଦ୍ରୀୟ ଫୋର୍ସ ନିୟୋଜିତ ଏହି ସ୍ବତନ୍ତ୍ର ଅପରେସନ ଆରମ୍ଭ କରାଯାଇଥିଲା । ଏଥିରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ସକ୍ରିୟ ଭୂମିକା ଗ୍ରହଣ କରିଥିଲା । ସ୍ଥାନୀୟ ପୋଲିସ ପ୍ରଶାସନ ନେତୃତ୍ବରେ ଏହି ଅପରେସନ ଆରମ୍ଭ ହୋଇଥିଲା । ଏହାକୁ ମାଓବାଦୀ ସଂଗଠନ ତୀବ୍ର ବିରୋଧ କରିଥିଲା । ବିଭିନ୍ନ ଛୋଟ ମୋଟ ହିଂସାକାଣ୍ଡ ଘଟାଇବା ପରେ ମାଓବାଦୀ ଛାଡି ଯାଉଥିବା ପୋଷ୍ଟରରେ ସେମାନେ ଗ୍ରୀନହଣ୍ଟ ଅପରେସନ ବନ୍ଦ କରିବା ପାଇଁ ବାରମ୍ବାର କରୁଥିଲେ ।

ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ ଜାରି ରହିଛି ପ୍ରୟାସ:- ତେବେ ଏହି ଆକ୍ରମଣରେ ପରେ ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶାର ମାଓପ୍ରବଣ ଜିଲ୍ଲାରେ ମାଓ ଦମନ ଅପରେସନ ବ୍ୟାପକ କରାଯାଇଥିଲା । ଉପାନ୍ତ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ମଧ୍ୟ ସ୍ଥାପନ କରାଯାଇଥିଲା । ସେବେଠାରୁ ଅପରେସନରେ କ୍ରମାଗତ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବଳକୁ ସଫଳତା ମିଳିଛି । କିଛି ଟପ ମାଓନେତାଙ୍କୁ ନିପାତ କରିବାରେ ସୁରକ୍ଷାବାହିନୀକୁ ସଫଳତା ମିଳିଛି । ସରକାର ମଧ୍ୟ ମାଓ ସମସ୍ୟାର ସମାଧାନ କରିବା ପାଇଁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଆଦିବାସୀ ଯୁବକଙ୍କୁ ପୋଲିସ ଫୋର୍ସରେ ଭର୍ତ୍ତି କରିବା ପାଇଁ ପ୍ରତ୍ସାହନ ସୃଷ୍ଟି କରିବା ସହ ଲାଲ ବାହିନୀ ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରୁଥିବା ମାଓବାଦୀଙ୍କୁ ସରକାରୀ କାର୍ଯ୍ୟକ୍ରମ ଅନୁସାରେ ନିଯୁକ୍ତି ଆଦି ମାଧ୍ୟମରେ ଥଇଥାନ କରାଯାଉଛି । ହେଲେ ତମାମ ଯୋଜନା ଓ ନକ୍ସଲ ଦମନ କାର୍ଯ୍ୟକ୍ରମ ସତ୍ତ୍ବେ ମଧ୍ୟ ନକ୍ସଲ ସମସ୍ୟାର ସମାଧାନ ହୋଇପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.