ETV Bharat / bharat

Cyclone Biparjoy: କାଲି ଶାହଙ୍କ ତେଲେଙ୍ଗାନା ଗସ୍ତ ସ୍ଥଗିତ

author img

By

Published : Jun 14, 2023, 6:30 PM IST

ବାତ୍ୟା କାରଣରୁ ଅମିତ ଶାହଙ୍କ ତେଲେଙ୍ଗାନା ଗସ୍ତ ସ୍ଥଗିତ । ଖାମମରେ ମହାସମ୍ପର୍କ ସମାବେଶରେ ହୋଇଥାଆନ୍ତେ ସାମିଲ । ଆସନ୍ତାକାଲି ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବିପର୍ଯ୍ୟୟ’ । ଅଧିକ ପଢନ୍ତୁ

Cyclone Biparjoy: କାଲି ଶାହଙ୍କ ତେଲେଙ୍ଗାନା ଗସ୍ତ ସ୍ଥଗିତ
Cyclone Biparjoy: କାଲି ଶାହଙ୍କ ତେଲେଙ୍ଗାନା ଗସ୍ତ ସ୍ଥଗିତ

ହାଇଦ୍ରାବାଦ: ଆସନ୍ତାକାଲି ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିବାକୁ ଯାଉଛି ବାତ୍ୟା ‘ବିପର୍ଯ୍ୟୟ’ । ଏହି କାରଣରୁ ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ତେଲେଙ୍ଗାନା ଗସ୍ତ ମଧ୍ୟ ସ୍ଥଗିତ ରହିଛି । କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର 9ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଦଳ ପକ୍ଷରୁ ଜାରି ରହିଥିବା ମହାସମ୍ପର୍କ ଅଭିଯାନ ଅବସରରେ ତେଲେଙ୍ଗାନର ଖାମମରେ ହେବାକୁ ଥିବା ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମିଲ ହୋଇଥାଆନ୍ତେ । ତେବେ ବାତ୍ୟା କାରଣରୁ ଶାହଙ୍କ ଗସ୍ତ ସ୍ଥଗିତ ରହିଥିବା ପ୍ରଦେଶ ବିଜେପି ପକ୍ଷରୁ ସୂଚନା ମିଳିଛି ।

ତେଲେଙ୍ଗାନା ବିଜେପି ପ୍ରଦେଶ ଅଧ୍ୟକ୍ଷ ବଣ୍ଡି ସଞ୍ଜୟ ଟ୍ବିଟ୍‌ କରି କହିଛନ୍ତି,‘‘ପଶ୍ଚିମ ଉପକୂଳ ତଥା 3 ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ ଓ ରାଜସ୍ଥାନ ଉପକୂଳରେ ବାତ୍ୟା ସ୍ଥିତି କାରଣରୁ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ତେଲେଙ୍ଗାନା ଗସ୍ତ ସ୍ଥଗିତ ରହିଛି । ଖାମମରେ ଆସନ୍ତାକାଲି (ଗୁରୁବାର) ଏହି କାର୍ଯ୍ୟକ୍ରମ ହେବାର ଥିଲା ।’’

କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରର 9 ବର୍ଷ ପୂର୍ତ୍ତି ଅବସରରେ ଭାରତୀୟ ଜନତା ପାର୍ଟି ଦେଶବ୍ୟାପୀ ମହାସମ୍ପର୍କ ଅଭିଯାନ ଆରମ୍ଭ କରିଛି । କେନ୍ଦ୍ରମନ୍ତ୍ରୀ, ଦଳୀୟ ସାଂସଦମାନେ ଆୟୋଜିତ ସମାବେଶରେ ଲୋକଙ୍କ ନିକଟରେ ମୋଦି ସରକାରର ଉପଲବ୍ଧି ପହଞ୍ଚାଉଛନ୍ତି । ତେଲେଙ୍ଗାନା ପ୍ରଦେଶ ବିଜେପି ଦ୍ବାରା ଖାମମରେ ଆସନ୍ତାକାଲି (ଗୁରୁବାର) ଆୟୋଜିତ ହେବାକୁ ଥିବା ସମାବେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟ ଅତିଥି ଭାବେ ସାମିଲ ହେବାର ଥିଲା । ହେଲେ ବାତ୍ୟା କାରଣରୁ ଗୃହମନ୍ତ୍ରୀ ସମାବେଶରେ ସାମିଲ ହେବେ ନାହିଁ ।

ଆସନ୍ତାକାଲି ଗୁଜୁରାଟ ଉପକୂଳରେ ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ କରିବ । ଉପକୂଳରେ ବର୍ଷା,ପବନ ଆରମ୍ଭ ହୋଇଗଲାଣି । ଅସୁରକ୍ଷିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବା ପ୍ରକ୍ରିୟା ଜାରି ରହିଛି । ସ୍ଥାନୀୟ ପ୍ରଶାସନ ସହ ଭାରତୀୟ କୋଷ୍ଟଗାର୍ଡ ଓ ସୀମା ସୁରକ୍ଷା ବଳର ଯବାନମାନେ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଏବେ ସୁଦ୍ଧା କଚ୍ଛ, ଦ୍ବାରକା, ସ୍ବୌରାଷ୍ଟ୍ର ଉପକୂଳ ଅଞ୍ଚଳରୁ ପ୍ରାୟ 40 ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ କରାଯାଇ ସାରିଥିବା ଗୁଜୁରାଟ ସରକାରଙ୍କ ତଥ୍ୟ କହୁଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି ସଂଧ୍ୟା ମଧ୍ୟରେ ଏହି ଅତି ଭୀଷଣ ବାତ୍ୟା ସୌରାଷ୍ଟ୍ର ଓ କଚ୍ଚ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ । ସର୍ବାଧିକ 135 କିମି ପବନ ସହ 20 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ମଧ୍ୟ ହୋଇପାରେ । ଏଥିପାଇଁ ସମସ୍ତ ଆଗୁଆ ପଦକ୍ଷେପ ଗ୍ରହଣ କରୁଛି ପ୍ରଶାସନ । ଏବେ ସୁଦ୍ଧା ପ୍ରାୟ 40 ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇ ସାରିଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ଲଗାତର ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିବାରେ ଲାଗିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ନିଜେ ଗୁଜୁରାଟ ଗସ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.