ETV Bharat / bharat

ଲୋହିତ ସାଗର ସଙ୍କଟ ମଧ୍ୟରେ ଆସନ୍ତାକାଲି ଇରାନ ଗସ୍ତ କରିବେ ବିଦେଶ ମନ୍ତ୍ରୀ

author img

By ETV Bharat Odisha Team

Published : Jan 13, 2024, 10:56 PM IST

EAM Jaishankar is to embark on a visit to Iran tomorrow: ଲୋହିତ ସାଗର ସଙ୍କଟ ମଧ୍ୟରେ ଆସନ୍ତାକାଲି ଇରାନ ଯିବେ ବିଦେଶ ମନ୍ତ୍ରୀ ଜୟଶଙ୍କର । ଅଧିକ ପଢନ୍ତୁ

ଲୋହିତ ସାଗର ସଙ୍କଟ ମଧ୍ୟରେ ଆସନ୍ତାକାଲି ଇରାନ ଯିବେ ବିଦେଶ ମନ୍ତ୍ରୀ
ଲୋହିତ ସାଗର ସଙ୍କଟ ମଧ୍ୟରେ ଆସନ୍ତାକାଲି ଇରାନ ଯିବେ ବିଦେଶ ମନ୍ତ୍ରୀ

ନୂଆଦିଲ୍ଲୀ: ଲୋହିତ ସାଗରରେ ଦେଖାଦେଇଥିବା ସଙ୍କଟ ମଧ୍ୟରେ ଆସନ୍ତାକାଲି ଇରାନ ଗସ୍ତ କରିବାକୁ ଯାଉଛନ୍ତି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର । ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ଉଚ୍ଚସ୍ତରୀୟ ଆଲୋଚନାର ଏକ ଅଂଶ ଭାବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର ଜାନୁଆରୀ 14 ଓ 15 ରେ ଦୁଇଦିନିଆ ଇରାନ ଗସ୍ତ କରିବାକୁ ଯାଉଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି (ଶନିବାର) କହିଛି ।

ଲୋହିତ ସାଗରରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ ନିକଟରେ ବୃଦ୍ଧି ପାଇଛି । ଯାହାକୁ ନେଇ ବିଭିନ୍ନ ଦେଶ ଚିନ୍ତା ପ୍ରକଟ କରିଛନ୍ତି । ଏନେଇ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ତିକ୍ତତା ମଧ୍ୟ ବଢିଛି । ଭାରତ ସମେତ ଏକାଧିକ ଦେଶର ନୌସେନା ଲୋହିତ ସାଗରରେ ନିଜର ଅପରେସନକୁ ସକ୍ରିୟ କରିଛନ୍ତି । ଯୁଦ୍ଧ ଜାହାଜ ମଧ୍ୟ ବିଦ୍ରୋହୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି । ଏହି ସମୟରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ଇରାନ ଗସ୍ତ କୂଟନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । କାରଣ ୟେମେନର ଏହି ହୁତି ବିଦ୍ରୋହୀ ସଂଗଠନ ଇରାନ ଦ୍ୱାରା ସମର୍ଥିତ । ଏହି ଗସ୍ତରେ ଜୟଶଙ୍କର ନିଜ ପ୍ରତିପକ୍ଷ ତଥା ଇରାନର ବୈଦେଶିକ ମନ୍ତ୍ରୀ ହୋସେନ୍ ଆମୀର-ଅବଦୁଲ୍ଲାୟାନଙ୍କୁ ଭେଟି ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଭାରତ ଓ ଇରାନ ମଧ୍ୟରେ ରାଜନୈତିକ ସହଯୋଗ, ସଂଯୋଗୀକରଣ ପଦକ୍ଷେପ ଓ ଦୃଢ ଦ୍ବିପାକ୍ଷିକ ସମ୍ପର୍କର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା ଓ ମତ ବିନିମୟ ହେବ ।

ଏହା ମଧ୍ୟ ପଢନ୍ତୁ :- ‘ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀ ମନା କରିବା କ୍ରୁରତା, ଛାଡପତ୍ରର ପାଇଁ ଗ୍ରହଣଯୋଗ୍ୟ କାରଣ’

ଅନ୍ୟ ସୂଚନାନୁସାରେ, ଇରାନର ଚବାହର ବନ୍ଦର ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଆଞ୍ଚଳିକ ସଂଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଜୟଶଙ୍କର ଏବଂ ପ୍ରତିପକ୍ଷ ଅମୀର ଅବଦୁଲ୍ଲାହାନଙ୍କ ମଧ୍ୟରେ ଆଲୋଚନା ହେବାର ମଧ୍ୟ ସମ୍ଭାବନା ରହିଛି । ଏହି ବନ୍ଦର ଇରାନର ଦକ୍ଷିଣ ଉପକୂଳରେ ଥିବା ସିସ୍ତାନ-ବାଲୁଚିସ୍ତାନ ପ୍ରଦେଶରେ ଅବସ୍ଥିତ । ଦୁଇ ଦେଶ ମଧ୍ୟରେ ଜଳପଥ ସଂଯୋଗୀକରଣ ଏବଂ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଉଦ୍ଦେଶ୍ୟରେ ଏହା ଭାରତ ଏବଂ ଇରାନ ଦ୍ୱାରା ମିଳିତ ଭାବେ ବିକଶିତ ହେଉଛି । ଏହା ବ୍ୟତୀତ ଉଭୟ ନେତା ଅନ୍ୟ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବେ । ଇରାନ ସମର୍ଥିତ ହୁତି ସଂଗଠନ ସଙ୍କଟ ସମ୍ପର୍କରେ ଆମେରିକାର ବୈଦେଶିକ ସଚିବ ଆନ୍ଥୋନୀ ବ୍ଲିଙ୍କେନ ମଧ୍ୟ ଜୟଶଙ୍କରଙ୍କ ସହ କଥା ହୋଇସାରିଛନ୍ତି । ଏବେ ଜୟଶଙ୍କରଙ୍କ ଇରାନ ଗସ୍ତ କରିବାକୁ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ନଜର ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.