ETV Bharat / bharat

ଏମିତି ବି ଆସେ ମୃତ୍ୟୁ; କ୍ଲାସ କରୁଥିବା ବେଳେ ଟଳିପଡିଲେ ଛାତ୍ର

author img

By ETV Bharat Odisha Team

Published : Jan 19, 2024, 7:57 AM IST

କ୍ଲାସ କରୁଥିବା ବେଳେ ଟଳି ପଡିଲେ ଛାତ୍ର
କ୍ଲାସ କରୁଥିବା ବେଳେ ଟଳି ପଡିଲେ ଛାତ୍ର

Student dies of heart attack: ଇନ୍ଦୋରର ଭଁୱର କୁଆଁ ଥାନା ଅନ୍ତର୍ଗତ ଏକ କୋଚିଙ୍ଗ ସେଣ୍ଟରରେ ପାଠ ପଢୁଥିବା ବେଳେ ଟଳିପଡିଲେ ଛାତ୍ର । ମୃତକ ୧୮ ବର୍ଷୀୟ ରାଜା ମାଧବ ଲୋଧୀ ପିଏସସିର କୋଚିଂ ନେଉଥିଲେ । ଅଧିକ ପଢନ୍ତୁ

ଭୋପାଳ: ଆଜିକାଲି ହୃଦଘାତ ଏକ ସାଧାରଣ ଘଟଣା ହୋଇଛି । ବିଶେଷ କରି ଯୁବପିଢିଙ୍କୁ ହୃଦଘାତ ହେବା ନିହାତି ଭାବେ ଚିନ୍ତାଜନକ ବିଷୟ । ମୁହୂର୍ତ୍ତକରେ ଅକାଳରେ ଝଡି ଯାଉଛି ନିରୀହ ଜୀବନ । ସେମିତି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋରରେ । କୋଚିଙ୍ଗ ସେଣ୍ଟରରେ କ୍ଲାସ କରୁଥିବା ସମୟରେ ହୃଦଘାତରେ ଟଳିପଡିଲେ ଜଣେ ଛାତ୍ର । ଇନ୍ଦୋରର ଭଁୱର କୁଆଁ ଥାନା ଅନ୍ତର୍ଗତ ଏକ କୋଚିଙ୍ଗ ସେଣ୍ଟରରେ ପାଠ ପଢୁଥିଲେ ୧୮ ବର୍ଷୀୟ ରାଜା ମାଧବ ଲୋଧୀ । ରାଜା କୋଚିଙ୍ଗ ସେଣ୍ଟରରେ ବସି କ୍ଳାସ କରୁଥିଲେ, ସେହି ସମୟରେ ବିଗିଡି ଯାଇଥିଲା ତାଙ୍କ ସ୍ବାସ୍ଥ୍ୟବସ୍ଥା ।

ଏହା ମଧ୍ୟ ପଢନ୍ତୁ... ଶୀତଦିନେ ବଢୁଛି ହୃଦଘାତ ମାମଲା; ଶୁଣନ୍ତୁ କ’ଣ କହୁଛନ୍ତି ହୃଦରୋଗ ବିଶେଷଜ୍ଞ

ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ରାଜା । କେହି କିଛି ବୁଝିବା ଆଗରୁ ବେଞ୍ଚରେ ବସିଥିବା ଅବସ୍ଥାରେ ସେ ଟଳି ପଡିଥିଲେ । ଫଳରେ ପାଖରେ ଥିବା ସହପାଠୀମାନେ ଓ କୋଚିଙ୍ଗ ସେଣ୍ଟର କର୍ତ୍ତୃପକ୍ଷ ତାଙ୍କୁ କାଳ ବିଳମ୍ବ ନ କରି ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିଛି ସମୟ ପରେ ଡାକ୍ତରମାନେ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ରାଜା ମାଧବ ସର୍ବାନନ୍ଦ ନଗରରେ ଭଡା ଘରେ ରହୁଥିଲେ ଏବଂ ଏଠାରେ ସେ ପିଏସସିର କୋଚିଂ ନେଉଥିଲେ । ରାଜାଙ୍କ ମୃତ୍ୟୁ ଖବର ମିଳିବା ମାତ୍ରେ ତାଙ୍କ ପରିବାର ବର୍ଗ ହସ୍ପିଟାଲକୁ ଧାଇଁ ଆସିଥିଲେ ।

ଏହା ମଧ୍ୟ ପଢନ୍ତୁ... ହାର୍ଟ ଉପରେ ପ୍ରଭାବ ପକାଏ ଶୀତ, ଜାଣନ୍ତୁ ବର୍ତ୍ତିବାର ତରିକା

ଏହି ଘଟଣାର ଏକ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ରାଜାଙ୍କୁ ହୃଦଘାତ ଆସିବାର ଦୃଶ୍ୟ ରହିଛି । ରାଜାଙ୍କୁ ପୂର୍ବାହ୍ନ ପ୍ରାୟ ୧୨ଟା ୪୯ ମିନିଟ ସମୟରେ ହୃଦଘାତ ଆସିଥିଲା । ପରବର୍ତ୍ତୀ ୧୦ ମିନିଟ ମଧ୍ୟରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଏହି ମାମଲା ସମ୍ପର୍କରେ ଭଁୱର କୁଆଁ ଥାନା ପୋଲିସ କହିଛି ଯେ, ଛାତ୍ରଙ୍କ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଉନ୍ମୋଚିତ ହେବ । ତେବେ ଜଣେ 18 ବର୍ଷୀୟ ଛାତ୍ରଙ୍କ ଏଭଳି ଦୁଃଖଦ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ଛାତ୍ରଙ୍କ ପରିବାର ବର୍ଗ ମଧ୍ୟ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.