'V' ଆକାରର MacBook Pro ଟିଜର ପୋଷ୍ଟ ଜାରି କଲା ଆପଲ୍; M5 ଚିପ୍ ସହ ହୋଇପାରେ ଅପଗ୍ରେଡ୍
ଆପଲ୍ ଏକ ଟିଜର ପୋଷ୍ଟ ଜାରି କରିଛି, ଯେଉଁଥିରେ 'V' ଆକାରର ମ୍ୟାକ୍ବୁକ୍ ପ୍ରୋ ଦେଖିବାକୁ ମିଳିଛି । ଏହା M5 ଚିପ୍ ସହ ଆସିପାରେ । ଅଧିକ ପଢନ୍ତୁ

Published : October 15, 2025 at 11:44 AM IST
ହାଇଦ୍ରାବାଦ: କୁପର୍ଟିନୋ ଭିତ୍ତିକ ଟେକ୍ ଜାଏଣ୍ଟ ଆପଲ୍ ଏହାର Mac ଲାଇନଅପ୍କୁ ଖୁବଶୀଘ୍ର ଲାଟେଷ୍ଟ M5 ଚିପ୍ ସହ ଅପଗ୍ରେଡ୍ କରିବ ବୋଲି ଚର୍ଚ୍ଚା ମଧ୍ୟରେ ଏକ ଟିଜର ପୋଷ୍ଟ ସାମ୍ନାକୁ ଆସିଛି । ଯେଉଁଥିରେ 'V' ଆକାରର ମ୍ୟାକ୍ବୁକ୍ ପ୍ରୋ ଦେଖିବାକୁ ମିଳିଛି । ଆପଲ୍ର ଜଣେ ଅଧିକାରୀ Greg Joswiak ନିଜ ଏକ୍ସ ସାଇଟ୍ରେ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ଏହି ନୂଆ ମ୍ୟାକୁବକ୍ ପ୍ରୋକୁ ଦେଖିବାକୁ ମିଳିଛି । ଆଶା କରାଯାଉଛି ଏହି ଡିଭାଇସକୁ M5 ଚିପ୍ ସହ ଲଞ୍ଚ କରିବ କମ୍ପାନୀ ।
ଧ୍ୟାନ ଦେବା କଥା ହେଉଛି, V ରୋମାନ ସଂଖ୍ୟାରେ 5କୁ ବୁଝାଏ, ଯାହା ସୂଚାଇ ଦେଉଛି ଯେ Apple M5 ଚିପ୍ ସହ ମ୍ୟାକ୍ବୁକ୍ ପ୍ରୋକୁ ଲଞ୍ଚ କରିବାକୁ ଯାଉଛି । ଏହା ବ୍ୟତୀତ, ଉକ୍ତ ପୋଷ୍ଟରେ କ୍ୟାପସନ ରହିଛି, "Mmmmm… something powerful is coming।" ଏଥିରେ 5ଟି 'M' ରହିଥିବାରୁ ଏହା ସୂଚାଇ ଦେଉଛି ଯେ Apple M5 ଚିପସେଟ୍ ସହିତ ଏକ ନୂତନ MacBook Pro ଲଞ୍ଚ କରିପାରେ । ଭିଡିଓରେ "ଶୀଘ୍ର ଆସୁଛି" ଶବ୍ଦ ଏବଂ ଶେଷରେ ଆପଲ୍ ଲୋଗୋ ମଧ୍ୟ ରହିଛି ।
Mmmmm… something powerful is coming. pic.twitter.com/hHDYwuisJC
— Greg Joswiak (@gregjoz) October 14, 2025
ଖୁବଶୀଘ୍ର ଆସୁଛି M5 MacBook Pro
ଏହି ଭିଡିଓ ଟିଜରରେ ଦେଖାଯାଉଥିବା ଲାପଟପ୍ଟି ଆକାଶ ନୀଳ ରଙ୍ଗର ରହିଛି । ଏହା ପ୍ରାୟତଃ MacBook Air ବା iPhone Air ପରି ଦେଖାଯାଉଛି । ଯଦିଓ ଆପଲ୍ ଏପର୍ଯ୍ୟନ୍ତ ଏହାର ଆଗାମୀ MacBookର ସମ୍ପୂର୍ଣ୍ଣ ଡିଜାଇନ ସମ୍ପର୍କରେ ତଥ୍ୟ ପ୍ରକାଶ କରିନାହିଁ, ତଥାପି ଟିଜର ପୋଷ୍ଟରୁ ଆପଲ୍ର ଆଗାମୀ ଯୋଜନା ଏବଂ ପ୍ରସ୍ତୁତି ବିଷୟରେ କିଛି ତଥ୍ୟ ମିଳିପାରିଛି ।
ଏହା ବ୍ୟତୀତ, ଆପଲ୍ର ଆଗାମୀ ଡିଭାଇସ୍ ବିଷୟରେ ସୂଚନା ପ୍ରଦାନ କରୁଥିବା ବ୍ଲୁମବର୍ଗର ମାର୍କ ଗୁରମ୍ୟାନ୍ ମଧ୍ୟ ଆଗାମୀ ନୂତନ MacBookର ଟିଜରକୁ ନିଶ୍ଚିତ କରି ଲେଖିଛନ୍ତି, "M5 MacBook Pro" । ଏହି ସମସ୍ତ ସୂଚନାକୁ ଯୋଡ଼ିଲେ ଗୋଟିଏ କଥା ସ୍ପଷ୍ଟ ଯେ ଆପଲ୍ ଖୁବଶୀଘ୍ର M5 ଚିପ୍ ସହିତ ଏକ ନୂତନ MacBook Pro ଲଞ୍ଚ କରିବାକୁ ଯାଉଛି, ଯାହା ଆକାଶ ନୀଳ ରଙ୍ଗର ହେବ ।
M5 MacBook Pro. https://t.co/plgiSUrkN9
— Mark Gurman (@markgurman) October 14, 2025
ବ୍ଲୁମବର୍ଗର ପୂର୍ବ ରିପୋର୍ଟ ଅନୁଯାୟୀ, ଆପଲ୍ ଏକାଧିକ ନୂଆ ଡିଭାଇସ ଲଞ୍ଚ କରିବାକୁ ଯାଉଛି, ଯେଉଁଥିରେ ନୂଆ M5 ପ୍ରୋସେସର ସହିତ 14-ଇଞ୍ଚ MacBook Pro, ଏକ ଅପଡେଟେଡ୍ iPad Pro ଏବଂ ଏକ ରିଫ୍ରେସଡ୍ Vission Pro ସାମିଲ । ଆପଲ୍ ପ୍ରଥମେ M5 MacBook Pro ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ଓ ଏହାପରେ ଅନ୍ୟ ଶକ୍ତିଶାଳୀ ଭାରିଏଣ୍ଟ M5 Pro ଓ M5 Max ପ୍ରୋସେସର ସହ ମ୍ୟାକବୁକ୍ ପ୍ରୋକୁ ଲଞ୍ଚ କରିବ ।
ଗୋଟିଏ ପଟେ ଅନେକ ଆପଲ୍ ପ୍ରଶଂସକ ସମ୍ପୂର୍ଣ୍ଣ ଡିଜାଇନ ପରିବର୍ତ୍ତନ ପାଇଁ ଆଶା କରୁଥିବାବେଳେ, ପ୍ରାରମ୍ଭିକ ଲିକ୍ ସୂଚିତ କରୁଛି ଯେ ଆଗାମୀ ମ୍ୟାକ୍ବୁକ୍ ପ୍ରୋ ଏହାର ପରିଚିତ ଲୁକ୍ ବଜାୟ ରଖିପାରେ । ଏଥର ବାହ୍ୟ ଡିଜାଇନ ପରିବର୍ତ୍ତନ ଅପେକ୍ଷା ଭିତରେ ଅତ୍ୟାଧୁନିକ M5 ଚିପ୍ ଉପରେ ଦୃଢ଼ ଭାବରେ ଧ୍ୟାନ ଦିଆଯାଇଛି । ଏହି ଉନ୍ନତିଗୁଡ଼ିକ ଦ୍ରୁତ କାର୍ଯ୍ୟଦକ୍ଷତା, ଉନ୍ନତ ବ୍ୟାଟେରୀ ଲାଇଫ୍ ଏବଂ ଉନ୍ନତ AI-ଚାଳିତ ଫିଚର ପ୍ରଦାନ କରିବ ବୋଲି ଆଶା କରାଯାଉଛି, ଯାହା M5କୁ ଆପଲ୍ର ଏପର୍ଯ୍ୟନ୍ତ ସବୁଠାରୁ ଉନ୍ନତ ପ୍ରୋସେସର୍ ଭାବରେ ସ୍ଥାନିତ କରିବ ।

