ବର୍ଷକ ମଧ୍ୟରେ ଦ୍ଵିତୀୟ ଥର ପୁନର୍ଗଠନ ହେଲା ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ, ମନ୍ତ୍ରୀଙ୍କ ବଦଳରେ ସିଏସ୍ ଅଧ୍ୟକ୍ଷ
ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । କମିଟିରେ ଅଧ୍ୟକ୍ଷଙ୍କ ସମେତ 15 ଜଣ ସଦସ୍ୟ ରହିଛନ୍ତି । ରିପୋର୍ଟ- ଭବାନୀ ଶଙ୍କର ଦାସ ।

Published : April 21, 2026 at 10:51 PM IST
ଭୁବନେଶ୍ବର: ବର୍ଷକ ମଧ୍ୟରେ ଦ୍ଵିତୀୟ ଥର ପାଇଁ ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ପୁନର୍ଗଠନ କରିଛନ୍ତି ରାଜ୍ୟ ସରକାର । କମିଟିରେ ଅଧ୍ୟକ୍ଷଙ୍କ ସମେତ 15 ଜଣ ସଦସ୍ୟ ରହିଛନ୍ତି । ବୋର୍ଡର ଅଧ୍ୟକ୍ଷ ଭାବେ ପୂର୍ବ ବିଜ୍ଞପ୍ତିରେ ବିଭାଗୀୟ ମନ୍ତ୍ରୀ ଥିବା ବେଳେ ଏଥର ଅଧ୍ୟକ୍ଷ ଦାୟିତ୍ୱରେ ରହିବେ ମୁଖ୍ୟ ଶାସନ ସଚିବ । ବୋର୍ଡର ଉପାଧ୍ୟକ୍ଷ ଭାବେ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବଙ୍କୁ ଦାୟିତ୍ୱ ମିଳିଛି । ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ଅତିରିକ୍ତ ସଚିବ ସୋନାଲି ବେହେରାଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗ ଅନ୍ତର୍ଗତ ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ପୁନର୍ଗଠନ ହୋଇଛି । ଗତବର୍ଷ ମେ 15 ତାରିଖରେ ମୋହନ ସରକାର ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ ପୁନର୍ଗଠନ କରିଥିବା ବେଳେ ଆଜି ପୁନର୍ବାର ପୁନର୍ଗଠନ ବିଜ୍ଞପ୍ତି ପ୍ରକାଶ କରିଛି ବିଭାଗ । ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ମୁଖ୍ୟ ଶାସନ ସଚିବ ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡର ଅଧ୍ୟକ୍ଷ । ରାଜ୍ୟ ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ସଚିବ ବୋର୍ଡର ଉପାଧ୍ୟକ୍ଷ ରହିବେ । ବିଭାଗୀୟ ନିର୍ଦ୍ଦେଶକ ସଦସ୍ୟ ସଚିବ ରହିଥିବା ବେଳେ ସଦସ୍ୟ ଭାବେ ରାଜ୍ୟ ପୋଲିସ ଡିଜି, ବିଭାଗର ଅତିରିକ୍ତ ସଚିବ ସଦସ୍ୟ ରହିବେ ।
ସେହିଭଳି ସଦସ୍ୟ ଭାବେ ବିଭିନ୍ନ ବିଭାଗ ଯଥା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗ, ପଞ୍ଚାୟତରାଜ୍ ଓ ପାନୀୟ ଜଳ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଉଚ୍ଚ ଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା ସଦସ୍ୟ ଭାବେ ରହିବେ । ଏଥିସହିତ ସଦସ୍ୟ ଭାବେ ରାଜ୍ୟର ପ୍ରଥମ ତୃତୀୟ ଲିଙ୍ଗ ଡକ୍ଟରେଟ ପାଇଥିବା ଦୀପ୍ତି ମହାପାତ୍ର ଓ ତୃତୀୟ ଲିଙ୍ଗ ଅଧିକାର କର୍ମୀ ସୌମ୍ୟ ଦାସ ସଦସ୍ୟ ଭାବେ ରହିଛନ୍ତି । ଭୁବନେଶ୍ବରସ୍ଥିତ ଟ୍ରାନ୍ସଜେଣ୍ଡର ସୁରକ୍ଷା ଟ୍ରଷ୍ଟ ଏବଂ ବାଲୁଗାଁ ସ୍ଥିତ ଚେତନା ସଂଗଠନର ଜଣେ ଲେଖାଏଁ ପ୍ରତିନିଧି ସଦସ୍ୟ ଭାବେ ରହିବେ । ଏମାନଙ୍କ ବ୍ୟତିତ ବଲାଙ୍ଗିର, ଅନୁଗୋଳ ଏବଂ ଖୋର୍ଦ୍ଧାର ଜିଲାପାଳମାନେ ପର୍ଯ୍ୟାୟକ୍ରମେ ସଦସ୍ୟ ଭାବେ ସ୍ଥାନ ପାଇବେ ।
ଟ୍ରାନ୍ସଜେଣ୍ଡରଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ଓ ସେମାନଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବାକୁ ରାଜ୍ୟରେ ଟ୍ରାନ୍ସଜେଣ୍ଡର ପଲିସି ଲାଗୁ ହୋଇଛି । 2021ରେ ନବୀନ ସରକାରଙ୍କ ଅମଳରେ ନୀତି ଲାଗୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର କାର୍ଯ୍ୟକାରିତା ଶୂନ୍ୟ । 2025 ମସିହା ମେ 15 ତାରିଖରେ ମୋହନ ସରକାର କଲ୍ୟାଣ ବୋର୍ଡ ଗଠନ ହୋଇଥିଲା । 12 ଜଣ ସଦସ୍ୟ ବୋର୍ଡରେ ଥିବା ବେଳେ କାର୍ଯ୍ୟକାଳ ତିନି ବର୍ଷ ରହିବ ବୋଲି କୁହାଯାଇଥିଲା । ବୋର୍ଡର ଅଧ୍ୟକ୍ଷ ଭାବେ ବିଭାଗୀୟ ମନ୍ତ୍ରୀ ଥିଲେ । କିନ୍ତୁ ମାତ୍ର ଗୋଟିଏ ବର୍ଷ ଭିତରେ ବୋର୍ଡର ପୁର୍ନଗଠନ ହୋଇଛି ।
ବୋର୍ଡ ଟ୍ରାନ୍ସଜେଣ୍ଡରଙ୍କ କଲ୍ୟାଣ ଏବଂ ପୁନର୍ବାସ ଦିଗରେ କାର୍ଯ୍ୟ କରିବ । ତୃତୀୟଲିଙ୍ଗଙ୍କ ଶିକ୍ଷା, ନିଯୁକ୍ତି, ବାସସ୍ଥାନ, ସ୍ୱାସ୍ଥ୍ୟ, ଟିଜି ପଲିସି ଓ କଲ୍ୟାଣକାରୀ ପଦକ୍ଷେପର କାର୍ଯ୍ୟକାରିତାକୁ ବୋର୍ଡ ସୁନିଶ୍ଚିତ କରିବ । ଟ୍ରାନ୍ସଜେଣ୍ଡର ଆଇନ-2019 ଅନୁପାଳନକୁ ଅନୁଧ୍ୟାନ କରିବ । କାର୍ଯ୍ୟସ୍ଥଳ, ଘର, ସର୍ବସାଧାରଣରେ ଟ୍ରାନ୍ସଜେଣ୍ଡରଙ୍କ ପ୍ରତି ଭେଦଭାବ ଓ ପକ୍ଷପାତିତାକୁ ରୋକିବା ଦିଗରେ କାର୍ଯ୍ୟ କରିବ । ତୃତୀୟଲିଙ୍ଗୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ଏବଂ ନିଯୁକ୍ତି ଲାଗି ମାର୍ଗଦର୍ଶନ ଦେବ ବୋର୍ଡ । ଟାନ୍ସଜେଣ୍ଡର ୱେଲଫେୟାର ବୋର୍ଡ ଗଠନରେ ଓଡ଼ିଶା ଦେଶର 20ତମ ରାଜ୍ୟ ହୋଇଥିଲେ ମଧ୍ୟ କାର୍ଯ୍ୟକାରିତା ଦୃଷ୍ଟିରୁ ପଛରେ ପଡ଼ିଯାଇଛି ।
ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଟ୍ରାନ୍ସଜେଣ୍ଡର ସାର୍ଟିଫିକେଟ ଓ ଆଇଡି କାର୍ଡ ମିଳିବା ଦିଗରେ ମଧ୍ୟ ବୋର୍ଡ ଅନୁଧ୍ୟାନ କରିବ । ଆବେଦନର 30 ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଟ୍ରାନ୍ସଜେଣ୍ଡର ସାର୍ଟିଫିକେଟ ଏବଂ ଆଇଡି କାର୍ଡ ପ୍ରଦାନ କରିବା ବାଧ୍ୟତାମୂଳକ । ନ୍ୟାସନାଲ ଟ୍ରାନ୍ସଜେଣ୍ଡର ପୋର୍ଟାଲ ତଥ୍ୟ ଅନୁଯାୟୀ, ମୋଟ 36 ହଜାର 364 ଟ୍ରାନ୍ସଜେଣ୍ଡର ପଞ୍ଜିକୃତ ହୋଇଛନ୍ତି । 31 ହଜାର 680 ଜଣଙ୍କୁ ସାର୍ଟିଫିକେଟ ଏବଂ 31 ହଜାର 658 ଜଣଙ୍କୁ ଆଇଡି କାର୍ଡ ମିଳିଛି । ତନ୍ମଧ୍ୟରୁ ଓଡ଼ିଶାରେ 3 ହଜାର 47 ଜଣଙ୍କୁ ଟ୍ରାନ୍ସଜେଣ୍ଡର ସାର୍ଟିଫିକେଟ ଏବଂ ଆଇଡି କାର୍ଡ ଦିଆଯାଇଛି । 239 ଜଣଙ୍କ ଆବେଦନ ଏବେ ବି ବିଚାରଧୀନ ରହିଛି । 2011 ଜନଗଣନା ଅନୁଯାୟୀ, ରାଜ୍ୟରେ 20 ହଜାର 332 ଜଣ ଟ୍ରାନ୍ସଜେଣ୍ଡର ଥିଲେ ।
ଏହା ମଧ୍ୟ ପଢନ୍ତୁ- ୬ ମାସରେ ସରିବ ନିର୍ମାଣାଧୀନ ୨୪୦ ପ୍ରକଳ୍ପ, ବ୍ରଜରାଜନଗରରେ ସମୀକ୍ଷା କରି ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ
ଏହା ମଧ୍ୟ ପଢନ୍ତୁ- ୨୦୨୭ ସୁଦ୍ଧା କାର୍ଯ୍ୟକାରୀ ହେବ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ
ଇଟିଭି ଭାରତ, ଭୁବନେଶ୍ୱର

