ନିଶାମୁକ୍ତ ଭାରତ ଗଠନ ପାଇଁ ଅଗଷ୍ଟ ୧୮ରେ ରାଜ୍ୟବ୍ୟାପୀ ଶପଥ ଅଭିଯାନ; ଅତିକମରେ ୧୦% ଲୋକଙ୍କୁ ସାମିଲ କରିବା ଲକ୍ଷ୍ୟ
ଦେଶର ୧୦ରୁ ୧୨ କୋଟି ନାଗରିକଙ୍କୁ ଏହି ଅଭିଯାନରେ ସାମିଲ କରି ନିଶାଦ୍ରବ୍ୟ ବିରୋଧରେ ସାମୂହିକ ଶପଥ ଗ୍ରହଣ କରାଇବା ଏହାର ପ୍ରମୁଖ ଉଦ୍ଦେଶ୍ୟ । ରିପୋର୍ଟ- ଭବାନୀ ଶଙ୍କର ଦାସ


Published : July 24, 2026 at 7:23 PM IST
PLEDGE CAMPAIGN FOR DRUG FREE INDIA, ଭୁବନେଶ୍ବର: ନିଶାମୁକ୍ତ ସମାଜ ଗଠନ ଦିଗରେ ବୃହତ ଜନସଚେତନତା ସୃଷ୍ଟି ପାଇଁ ଆସନ୍ତା ଅଗଷ୍ଟ ୧୮ରେ ସାରା ରାଜ୍ୟରେ ‘ଜାତୀୟ ନିଶା ବିରୋଧୀ ଶପଥ’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଅବସରରେ ରାଜ୍ୟର ଅତିକମରେ ୧୦ ପ୍ରତିଶତ ଜନସଂଖ୍ୟାଙ୍କୁ ଏହି ଶପଥ ଅଭିଯାନରେ ସାମିଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର-ତଥା-ସଚିବ, ରେଭେନ୍ୟୁ ଡିଭିଜନାଲ କମିଶନର ଓ ଜିଲାପାଳମାନଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ପାଳନ କରାଯାଉଥିବା ‘ନିଶା ମୁକ୍ତ ଭାରତ ଅଭିଯାନ (ଏନଏମବିଏ)’ର ଷଷ୍ଠ ବାର୍ଷିକୀ ଅବସରରେ ଏହି ଦେଶବ୍ୟାପୀ କାର୍ୟ୍ୟକ୍ରମ ଆୟୋଜନ ହେବ । ଦେଶର ୧୦ରୁ ୧୨ କୋଟି ନାଗରିକଙ୍କୁ ଏହି ଅଭିଯାନରେ ସାମିଲ କରି ନିଶାଦ୍ରବ୍ୟ ବିରୋଧରେ ସାମୂହିକ ଶପଥ ଗ୍ରହଣ କରାଇବା ଏହାର ପ୍ରମୁଖ ଉଦ୍ଦେଶ୍ୟ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ବିଭାଗ ଅଧୀନରେ ଥିବା ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ବେସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ ସଂସ୍ଥା ସହ ଜିଲ୍ଲା, ବ୍ଲକ ଏବଂ ସହରାଞ୍ଚଳ ସ୍ତରରେ ଶପଥ କାର୍ୟ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟକ୍ରମର ସଫଳ ସମନ୍ୱୟ ଓ ପରିଚାଳନା ପାଇଁ ରାଜ୍ୟ ଓ ଜିଲ୍ଲା ସ୍ତରରେ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ମଧ୍ୟ କୁହାଯାଇଛି ।
ଛାତ୍ରଛାତ୍ରୀ, ଯୁବବର୍ଗ, ମହିଳା, ସରକାରୀ କର୍ମଚାରୀ ଏବଂ ସାଧାରଣ ଲୋକଙ୍କୁ ବ୍ୟାପକ ଭାବେ ସାମିଲ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ସମସ୍ତଙ୍କୁ ଅନଲାଇନ୍ ‘ଇ-ପ୍ଲେଜ୍’ ମାଧ୍ୟମରେ ଶପଥ ଗ୍ରହଣ କରି ପ୍ରମାଣପତ୍ର ଡାଉନଲୋଡ୍ କରିବାକୁ ଉତ୍ସାହିତ କରିବାକୁ ବିଭାଗଗୁଡ଼ିକୁ କୁହାଯାଇଛି । ଏହାସହ ରାଜ୍ୟ ଓ ଜିଲ୍ଲା ମୁଖ୍ୟାଳୟର ଅଧିକାରୀମାନେ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ଅଭିଯାନ ପ୍ରତି ସମର୍ଥନ ପ୍ରଦର୍ଶନ କରିବେ । ‘ନଶା ମୁକ୍ତ ଭାରତ ଅଭିଯାନ’ର ଲୋଗୋ, ମାସ୍କଟ, ହେଲ୍ପଲାଇନ ନମ୍ବର ୧୪୪୪୬ ଏବଂ ସୂଚନା, ଆଇଇସି ସାମଗ୍ରୀର ବ୍ୟାପକ ବ୍ୟବହାର କରି ଅଭିଯାନର ପ୍ରଚାର ଓ ସଚେତନତା ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ଚିଠିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନଙ୍କୁ କାର୍ଯ୍ୟସୂଚୀ ଅନୁଯାୟୀ ସମନ୍ୱୟ ରକ୍ଷା କରି ସର୍ବାଧିକ ଜନସହଭାଗିତା ସୁନିଶ୍ଚିତ କରିବାକୁ କୁହାଯାଇଛି । କେନ୍ଦ୍ର ସରକାର ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ମିଳିଲେ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ସମସ୍ତ ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ବାବୁଙ୍କ ପାଇଁ ନିୟମ ହେଲା କଡ଼ାକଡ଼ି; ଦେଶ କିମ୍ବା ବିଦେଶ ଗସ୍ତର ୨୧ ଦିନ ପୂର୍ବରୁ ନେବାକୁ ପଡ଼ିବ ଅନୁମତି
ଏହା ମଧ୍ୟ ପଢ଼ନ୍ତୁ: ଅର୍ଥ ବିଭାଗର କଡ଼ା ନିର୍ଦ୍ଦେଶ; ବଦଳି ଆଦେଶ ଅମାନ୍ୟ କଲେ ଦରମା ବନ୍ଦ
ଇଟିଭି ଭାରତ, ଭୁବନେଶ୍ବର

