ETV Bharat / state

ସେପ୍ଟେମ୍ବର 23ରୁ ଦୁଇ ଦିନ ପ୍ରବଳ ବର୍ଷା: ଖୋରଧା, ଗଞ୍ଜାମ ଜିଲ୍ଲାରେ ୩ ଦିନ ସ୍କୁଲ ଓ ଅଙ୍ଗନବାଡି ବନ୍ଦ

ସେପ୍ଟେମ୍ବର ୨୨ ସନ୍ଧ୍ୟାରୁ ପ୍ରାୟ ୫୫ ରୁ ୬୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବଳ ପବନ ବହିବା ଆରମ୍ଭ ହେବାର ଆଶଙ୍କା ରହିଛି। ରିପୋର୍ଟ ଗୋବିନ୍ଦ ଚନ୍ଦ୍ର ପଣ୍ଡା

Rain alert Odisha
ସେପ୍ଟେମ୍ବର 23ରୁ ଦୁଇ ଦିନ ପ୍ରବଳ ବର୍ଷା (ETV Bharat Odisha)
author img

By ETV Bharat Odisha Team

Published : September 22, 2026 at 7:39 AM IST

2 Min Read
Choose ETV Bharat

Odisha Weather Heavy Rain Alert ଖୋରଧା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଆସନ୍ତା ସେପ୍ଟେମ୍ବର ୨୩ ଏବଂ ୨୪ ତାରିଖରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ଏହି ଅବପାତ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୨୨ ସନ୍ଧ୍ୟାରୁ ପ୍ରାୟ ୫୫ ରୁ ୬୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବଳ ପବନ ବହିବା ଆରମ୍ଭ ହେବାର ଆଶଙ୍କା ରହିଛି। ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷାରେ ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ଏହି ଗଭୀର ଅବପାତ ସେପ୍ଟେମ୍ବର ୨୩ ରାତି ଏବଂ ସେପ୍ଟେମ୍ବର ୨୪ ସକାଳ ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି। ଏହି ଦୁଇ ଦିନ ଅନେକ ସ୍ଥାନରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। କେତେକ ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆଇଏମଡି ଡିଜି କହିଛନ୍ତି। ଏହି ପାଣିପାଗ ସିଷ୍ଟମ ଯୋଗୁଁ ସେପ୍ଟେମ୍ବର ୨୫ ସୁଦ୍ଧା ଓଡ଼ିଶାର ଆଭ୍ୟନ୍ତରୀଣ ଭାଗରେ ମଧ୍ୟ ବର୍ଷାର ପରିମାଣ ବୃଦ୍ଧି ପାଇବ। ପ୍ରବଳ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇପାରେ । ବିଶେଷ କରି ଯେଉଁ ଅଞ୍ଚଳରେ କ୍ରମାଗତ ଭାବରେ ପ୍ରବଳ ବର୍ଷା ହେଉଛି ସେଠାରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ। ସେହିପରି ସହରାଞ୍ଚଳରେ ମଧ୍ୟ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରିଛନ୍ତି ଆଇଏମଡି ଡିଜି ।

ଖୋରଧାରେ ତିନି ଦିନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ

ପାଣିପାଗ ବିଭାଗର ପୂର୍ବାନୁମାନକୁ ନଜରରେ ରଖି ଖୋରଧା ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ୩ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରକଳ୍ପ କାର୍ଯ୍ୟାଳୟ ସମଗ୍ର ଶିକ୍ଷା ଖୋରଧା ପକ୍ଷରୁ ଜାରି ଆଦେଶ ଅନୁସାରେ ୨୨ ସେପ୍ଟେମ୍ବରରୁ ୨୪ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ, ଆଦର୍ଶ ବିଦ୍ୟାଳୟ , କେନ୍ଦ୍ରୀୟ ବିଦ୍ୟାଳୟ , ଜବାହାର ନବୋଦୟ ବିଦ୍ୟାଳୟ ଏବଂ ଘରୋଇ ପରିଚାଳିତ ବିଦ୍ୟାଳୟ ବନ୍ଦ ରହିବ ବୋଲି ନିର୍ଦ୍ଧେଶନାମା ଜାରି କରାଯାଇଛି ।

Schools and anganwadi close for two days in khordha and ganjam
ଖୋରଧାରେ ତିନି ଦିନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ (ETV Bharat Odisha)

ଏହି ନିର୍ଦ୍ଦେଶ ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବ । ତେବେ ୨୨ ସେପ୍ଟେମ୍ବରରେ ନିର୍ଦ୍ଧାରିତ ୧୩ଟି କେନ୍ଦ୍ରରେ BSE ଓଡ଼ିଶାର NRST ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଆୟୋଜିତ ହେବ । ଅନ୍ୟପକ୍ଷରେ ବିଦ୍ୟାଳୟ ବନ୍ଦ ଥିଲେ ମଧ୍ୟ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ । ୨୨ରୁ ୨୪ ସେପ୍ଟେମ୍ବର ମଧ୍ୟରେ କୌଣସି ଛୁଟି ଅନୁମତି ଦିଆଯିବ ନାହିଁ । ବର୍ଷାଜନିତ ପରିସ୍ଥିତିରେ ଯେକୌଣସି ଜରୁରୀ ପରିସ୍ଥିତି ଆବଶ୍ୟକତା ପାଇଁ ବିଦ୍ୟାଳୟ ଭିତ୍ତିଭୂମି ଓ ଆବଶ୍ୟକ ସୁବିଧା ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏଥିସହ ପ୍ରଧାନ ଶିକ୍ଷକମାନେ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରି ୨୪ ଘଣ୍ଟା ବିଦ୍ୟାଳୟ ଖୋଲିବାର ବ୍ୟବସ୍ଥା ରଖିବା ସହ ଆବଶ୍ୟକ ସମୟରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ପ୍ରବଳ ବର୍ଷାକୁ ନଜରରେ ରଖି ପ୍ରଶାସନର ଏହି ସତର୍କତାମୂଳକ ପଦକ୍ଷେପକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଏହି ତିନିଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Schools and anganwadi close for two days in khordha and ganjam
ଖୋରଧାରେ ତିନି ଦିନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ (ETV Bharat Odisha)

ଗଞ୍ଜାମରେ ତିନି ଦିନ ଅଙ୍ଗନବାଡି କେନ୍ଦ୍ର ବନ୍ଦ

ଗଭୀର ଅବପାତ ଯୋଗୁଁ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା, ବିଶେଷକରି ଶିଶୁମାନଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ‘ଶୂନ୍ୟ ମୃତାହତ’ ନୀତି ଅନୁସରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ୨୨, ୨୩ ଓ ୨୪ ସେପ୍ଟେମ୍ବର, ତିନିଦିନ ପାଇଁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ଏହି ସମୟରେ ଶିଶୁମାନଙ୍କ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହେବାକୁ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଛି। ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା କିମ୍ବା ବନ୍ଦ ରଖିବା ସମ୍ପର୍କିତ ନିଷ୍ପତ୍ତି ସମ୍ଭାବ୍ୟ ପାଣିପାଗ ପରିସ୍ଥିତି ଓ ଅନ୍ୟାନ୍ୟ ସ୍ଥିତିକୁ ବିଚାର କରି ପରବର୍ତ୍ତୀ ସମୟରେ ନିଆଯିବ।

ଏହା ମଧ୍ୟ ପଢନ୍ତୁ ଲଘୁଚାପ ପ୍ରଭାବରେ ପୁରୀରେ ପ୍ରବଳ ବର୍ଷା ସମ୍ଭାବନା: ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ

ଏହା ମଧ୍ୟ ପଢନ୍ତୁ ଲଘୁଚାପକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରମୁଖ ବାତ୍ୟା ଆଶ୍ରୟସ୍ଥଳକୁ ବୁଲ୍ଲି ଦେଖିଲେ ଗଞ୍ଜାମ ଜିଲ୍ଲାପାଳ

ଇଟିଭି ଭାରତ, ଖୋରଧା