ରଥଖଳା ହାଲଚାଲ: ନୃସିଂହ ଚତୁର୍ଦ୍ଦଶୀରେ ହେଲା ଗୁଜ ଅନୁକୂଳ - Ratha Khala Halchal

By ETV Bharat Odisha Team

Published : May 22, 2024, 9:19 PM IST

thumbnail
Ratha Khala Halchal (ETV Bharat Odisha)

Ratha Khala Halchal: ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ରଥ ନିର୍ମାଣ କାର୍ଯ୍ୟରେ ବିଶ୍ବକର୍ମା ମହାରଣା, ଭୋଇ, କମାର ଓ କରତିଆ ସେବକଙ୍କ ପରେ ଆଜି ରୂପକାର ସେବାୟତମାନେ ଏହି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ହୋଇଥିବାରୁ ରୂପକାର ସେବକମାନେ ଧଉରା ଓ ଅସନ କାଠରେ ଗୁଜ ନିର୍ମାଣର ଶୁଭାରମ୍ଭ କରିଛନ୍ତି । ଭୋଇ ସେବକମାନେ ୧୨ ଫୁଟିଆ କାଠ ଆଣି ରଥଖଳାରେ ରଖିବା ପରେ ବିଶ୍ବକର୍ମା ମହାରଣାମାନେ ବାର୍‌ସି ଦ୍ବାରା ଚଉପଟ କରି ରୂପକାରମାନଙ୍କୁ ଜିମା ଦେଇଛନ୍ତି । ତେବେ ଗୁଜ ଜଳଯନ୍ତ୍ର ଓ କୁଡୁକା ଆଦି ତିଆରି ହେବା ପରେ ରୂପକାରମାନେ ଗୁଜରେ ନୃସିଂହଙ୍କ ମୂର୍ତ୍ତି ଖୋଦେଇ ନିର୍ମାଣ ଆରମ୍ଭ କରିଛନ୍ତି ।

ତେବେ ରଥ ନିର୍ମାଣ କାର୍ଯ୍ୟକୁ ଆଜି ୧୨ ଦିନ ପୂରିଛି । ତିନି ରଥ ପାଇଁ ୪୨ ତୁମ୍ବ ଆବଶ୍ୟକ ଥିବାବେଳେ ସମସ୍ତ ତୁମ୍ବ ଓ ଏହାର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଏଥିରେ ଅର ଓ ପହି ଖଞ୍ଜା ହେବ । ଆଜି ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ହୋଇଥିବାରୁ ଏହି ଅବସରରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଭୋଇ ସେବକଙ୍କ ଦ୍ବାରା ଯନ୍ତାଗାଡ଼ ଖୋଳା ଯାଇଛି । ପୂର୍ବ ବର୍ଷରୁ ଏହାକୁ ମାଟି ଘୋଡ଼ାଇ ବନ୍ଦ ରଖାଯାଇଥିଲା । ପୂଜା ପରେ ଏହି ଯନ୍ତାଗାଡ଼ରେ ଭୋଇ ସେବକମାନଙ୍କ ଦ୍ବାରା ସିଙ୍ଗଡ଼ା ବାଡ଼ିଆ ହେବ ବୋଲି ଭୋଇ ସର୍ଦ୍ଦାର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରଥଖଳା ହାଲଚାଲ: ତିନି ରଥର ତୁମ୍ବ ଗୁଡିକରେ ପନ୍ଦାରି ଗାଡ ଖୋଦେଇ ଆରମ୍ଭ - Ratha Khala Halchal

ସେପଟେ ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶ୍ରୀମନ୍ଦିରର ଆଜି ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତମାନେ ଚକ୍ରତୀର୍ଥ ରୋଡସ୍ଥିତ ଚକ୍ରନାରାୟଣଙ୍କୁ ପ୍ରଦାନ କରିବେ । ସନ୍ଧ୍ୟାଧୂପ ସରିବା ପରେ ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରୀମନ୍ଦିରରେ ଆଜି ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.