ବୋଲଗଡ଼ କାଉଁରୀପାଟଣା ବୁଥରେ ଭାଙ୍ଗିଲା ଇଭିଏମ୍‌, ପ୍ରଶାନ୍ତ ଜଗଦେବ ଥାନାରେ ଅଟକ - EVM vandalized in Bolagarh

By ETV Bharat Odisha Team

Published : May 25, 2024, 7:05 PM IST

thumbnail
EVM vandalized in Bolagarh (ETV Bharat Odisha)

EVM vandalized in Bolagarh: ଖୋର୍ଦ୍ଧା: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ । ଅନେକ ସ୍ଥାନରେ ଶାନ୍ତି ଶୃଙ୍ଖଳାରେ ଏହି ନିର୍ବାଚନ ଚାଲିଥିବାବେଳେ କିଛି ସ୍ଥାନରେ ସାମ୍ନାକୁ ଆସିଛି ବିଶୃଙ୍ଖଳା ଏବଂ ଇଭିଏମ୍‌ ଭାଙ୍ଗିବା ଭଳି ଘଟଣା । ଏଭଳ ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼କୁମାରୀ ପଞ୍ଚାୟତର କାଉଁରୀପାଟଣା ଉନ୍ନୀତ ମଧ୍ୟ ଇଂରାଜୀ ସ୍କୁଲରେ ଚାଲିଥିବା ବୁଥରେ । ଏହି ଘଟଣାରେ ବିଜେପି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ନିଜ ପତ୍ନୀଙ୍କ ସହ ଉକ୍ତ ବୁଥକୁ ମତଦାନ ପାଇଁ ଆସି ଭୋଟ ଦେଉଥିଲେ । ଏହି ସମୟରେ ବୁଥ ମଧ୍ୟରେ କେହି ଯୁବକ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେ ଅଭିଯୋଗ କରିଥିଲେ । ଆଉ ଏହି ଘଟଣାକୁ ନେଇ ବୁଥ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଗୋଟିଏ ଏଭିଏମ୍‌ ମେସିନ ତଳକୁ ଖସି ପଡିଥିଲା । ଖବର ପାଇ ବୋଲଗଡ଼ ଅଞ୍ଚଳରେ ବିଭିନ୍ନ ବୁଥ ବୁଲୁଥିବା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଅନ୍ୟ ବୁଥ ବୁଲିବା ପାଇଁ ଯାଇଥିବାବେଳେ ପୋଲିସ ପ୍ରଶାନ୍ତଙ୍କୁ ନେଇ ବୋଲଗଡ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ତେବେ ବୁଥର ସିସିଟିଭି ଫୁଟେଜ ସାମ୍ନାକୁ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.