ଖୋର୍ଦ୍ଧାରୁ 8 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଭାଙ୍ଗ ଜବତ, ଦୁଇ ଗିରଫ - Bhang Seized

By ETV Bharat Odisha Team

Published : Apr 11, 2024, 2:16 PM IST

thumbnail

BHANG SEIZED: ଖୋର୍ଦ୍ଧା: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ନିଶା କାରବାର । ଚାଲାଣ ବେଳେ ଏକ ପିକଅପ ଭ୍ୟାନରୁ ଜବତ ହେଲା ବସ୍ତା ବସ୍ତା ଭାଙ୍ଗ । 28ଟି ବସ୍ତାରୁ 8 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଭାଙ୍ଗ ଜବତ କଲା ଖୋର୍ଦ୍ଧା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ । ପିକଅପ ଭ୍ୟାନରେ ଗଜପତି ଠାରୁ ପୁରୀ ଚାଲାଣ ହେଉଥିଲା ଭାଙ୍ଗ । ଗାଡ଼ିକୁ ଅବକାରୀ ବିଭାଗ ଜବତ କରିବା ସହ 2 ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଗଡ଼ିପଡ଼ା ଗ୍ରାମର ସନ୍ତୋଷ ପାତ୍ର ଓ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳର ମାଧବ ଦିଗଲ । ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ 8 ଲକ୍ଷ 40 ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଖୋର୍ଦ୍ଧା ଅବକାରୀ ଅଧୀକ୍ଷକଙ୍କ ସୂଚନା ଅନୁଯାଇ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ନିଶାଦ୍ରବ୍ୟ ଚାଲାଣ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯିବା ସହ ରାସ୍ତାରେ ଗାଡି ମୋଟର ଯାଞ୍ଚକୁ ଜୋରଦାର କରାଯାଉଛି । ବୁଧବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ନୟାଗଡ଼ ପଟୁ ଆସୁଥିବା ଏକ ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିବା ପରେ ଭାଙ୍ଗ ଜବତ ହୋଇଥିଲା । ଆଗକୁ ପଣା ସଂକ୍ରାନ୍ତି ଥିବାରୁ ଭାଙ୍ଗର ବିଶେଷ ଚାହିଦା ରହିଥାଏ, ତେଣୁ ନିଶା ମାଫିଆ ମାନେ ଅଧିକ ଲାଭ ପାଇଁ ବିପୁଳ ଭାଙ୍ଗ ଚାଲାଣ କରୁଥିଲେ । କିନ୍ତୁ ଏହା ପୂର୍ବରୁ ଅବକାରୀ ଟିମ ହାତରେ ଧରାପଡ଼ିଛନ୍ତି ଦୁଇ ଅଭିଯୁକ୍ତ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.