ବାଲେଶ୍ୱରରେ 5ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଲା ବିଜେପି, 3 ପୁରୁଣା ସହ 2 ନୂଆ ଚେହେରା - BJP MLA Candidates In Balasore

By ETV Bharat Odisha Team

Published : Apr 2, 2024, 5:43 PM IST

thumbnail

BJP MLA Candidates In Balasore ବାଲେଶ୍ବର: ଓଡ଼ିଶାର 147ଟି ବିଧାନ ସଭା ଆସନରୁ 112 ଟି ଆସନରେ ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲାର 8ଟି ବିଧାନସଭା ଆସନ ମଧ୍ୟରୁ 5ଟି  ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ବାଲେଶ୍ଵର ସଦରରୁ ମାନସ କୁମାର ଦତ୍ତ, ରେମୁଣା ଆସନରୁ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ସିମୁଳିଆ ଆସନରୁ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରି ପ୍ରାର୍ଥୀ କରିଛି । ସେହିପରି ଜଳେଶ୍ବର ଆସନରୁ ନୂଆ ଚେହେରା ଭାବେ ବ୍ରଜକିଶୋର ପ୍ରଧାନଙ୍କୁ ଦଳ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବେଳେ ସୋର ବିଧାନସଭା ଆସନରୁ ଭଦ୍ରକ ଜିଲ୍ଲା ଧାମ ନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ ନୀଳଗିରି, ବସ୍ତା ଓ ଭୋଗରାଇ ଆସନରେ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ ।

ତେବେ ପ୍ରାର୍ଥୀ ଘୋଷଣା ପରେ ସଦର ବିଜେପି କାର୍ଯ୍ୟାଳୟରେ କର୍ମୀମାନଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ପ୍ରାର୍ଥୀ ମାନସ ଦତ୍ତଙ୍କ ସମର୍ଥକମାନେ ବାଜା ବଜାଇ, ବାଣ ଫୁଟାଇ ପରସ୍ପରକୁ ଅବିର ଲଗାଇ ଖୁସି ମନାଇ ଥିବା ଦେଖିବାକୁ ମିଳିଥିଲା । 2020 ଉପନିର୍ବାଚନରେ ମାନସ ଦତ୍ତ 72 ହଜାରରୁ ଅଧିକ ଭୋଟ ପାଇଥିଲେ ମଧ୍ୟ ଖୁବ କମ୍‌ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସଙ୍କ ଠାରୁ ପରାଜିତ ହୋଇଥିଲେ । ହେଲେ ମାନସ ଦତ୍ତ ଦଳର ସାଂଗଠନିକ ସ୍ଥିତିକୁ ବୁଥ ସ୍ତରରେ ମଜବୁତ କରିବା ସହ ନିଜେ ମଧ୍ୟ ବେଶ ସକ୍ରିୟ ହୋଇଛନ୍ତି । ବିକଶିତ ବାଲେଶ୍ଵରର ନାରା ଦେଇ ଏଥର ନିର୍ବାଚନ ବୈତରଣୀ ପାର ହେବାପାଇଁ ମନସ୍ଥ କରିଛନ୍ତି ମାନସ । ଅନ୍ୟପଟେ ଅନ୍ୟ ଦଳର ଯେ କେହି ବି ପ୍ରାର୍ଥୀ ହୁଅନ୍ତୁ ନା କାହିଁକି ସେଥିରେ ଜମା ବ୍ୟସ୍ତ ହେବାର ନାହିଁ, ବରଂ ବାଲେଶ୍ଵରର ବିକାଶ ଏବଂ ଲୋକମାନଙ୍କ ପାଖରେ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ପହଞ୍ଚାଇ ସାମଗ୍ରିକ ବିକାଶ କରାଇବା ହିଁ ମୂଳମନ୍ତ୍ର ହେବ ବୋଲି କହିଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.