ETV Bharat / state

ନାବାଳକ ଗିଳିଦେଲା ୪ ସେମିର ଛୁଞ୍ଚି, ବିନା ଅସ୍ତ୍ରୋପଚାରରେ ବାହାର କଲେ ଏମ୍ସ ଡାକ୍ତର

author img

By ETV Bharat Odisha Team

Published : Feb 9, 2024, 10:12 PM IST

AIIMS bhubaneswar: ବିନା ଅସ୍ତ୍ରୋପଚାରରେ ୯ ବର୍ଷୀୟ ବାଳକ ପେଟରୁ ଏମ୍ସ ଶିଶୁ ବିଭାଗ ଡାକ୍ତରୀ ଦଳ ପ୍ରାୟ ୪ ସେମି ଲମ୍ବର ଛୁଞ୍ଚି ବାହାର କରିଛନ୍ତି । ଅଧିକ ପଢ଼ନ୍ତୁ

ଏମ୍ସ
ଏମ୍ସ

ଭୁବମନେଶ୍ବର: ଭୁବନେଶ୍ବର ଏମ୍ସ ଶିଶୁ ବିଭାଗ ଡାକ୍ତରୀ ଦଳକୁ ବଡ଼ ସଫଳତା । ବିନା ଅସ୍ତ୍ରୋପଚାରରେ ୯ ବର୍ଷୀୟ ବାଳକ ପେଟରୁ ବାହାର କଲେ ପ୍ରାୟ ୪ ସେମି ଲମ୍ବର ଛୁଞ୍ଚି । ଉକ୍ତ ତୀକ୍ଷ୍‌ଣ ସାମଗ୍ରୀକୁ ବାହାରି କରିବାକୁ ଜଟିଳ ଅସ୍ତ୍ରୋପଚାରର ଆବଶ୍ୟକତା ଜରୁରୀ ଥିଲା । ମାତ୍ର ଏମ୍ସ ଶିଶୁ ବିଭାଗର ଚିକିତ୍ସକ ଦଳ ରାଜ୍ୟରେ ପ୍ରଥମ କରି ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଫୁସଫୁସରୁ ଉକ୍ତ ସିଲେଇ ଛୁଞ୍ଚି ବାହାରି କରି ରେକର୍ଡ କରିଛନ୍ତି ।

ତେବେ ପଶ୍ଚିମବଙ୍ଗର ଜଣେ ୯ ବର୍ଷୀୟ ବାଳକ ଅନ୍ୟମନସ୍କ ଭାବେ ପ୍ରାୟ ୪ ସେମି ଲମ୍ବର ସିଲେଇ ଛୁଞ୍ଚିକୁ ଗିଳି ଦେଇଥିଲେ । ଛୁଞ୍ଚିଟି ନାବାଳକଙ୍କର ବାମପାର୍ଶ୍ବ ଫୁସ୍‌ଫୁସ୍‌ର ନିମ୍ନଭାଗରେ ଲାଗିଯାଇଥିଲା । ଛୁଞ୍ଚି ଗିଳିବାର ଦୁଇ ଦିନ ପରେ ଉକ୍ତ ନାବାଳକଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ ଅଣାଯାଇଥିଲା । ଶିଶୁ ବିଭାଗକୁ ଆସିବା ପରେ ନାବାଳକଙ୍କ ଏପରି ଗୁରୁତର ସ୍ଥିତି ଦେଖି ଏହାକୁ ବିନା ଅସ୍ତ୍ରୋପଚାରରେ ବାହାର କରିବାକୁ ଡାକ୍ତରୀ ଦଳ ନିଷ୍ପତ୍ତି ନେଇଥିଲେ । କାରଣ ଫୁସ୍‌ଫୁସ୍‌ରେ ଛୁଞ୍ଚିର ଅବସ୍ଥିତି ଯେପରି ଥିଲା, ଫୁସ୍‌ଫୁସ୍‌ର କିଛି ଅଂଶକୁ ମଧ୍ୟ କଢ଼ାଯିବା ଆବଶ୍ୟକ ପଡ଼ିବାର ଯଥେଷ୍ଟ ଆଶଙ୍କା ଥିଲା । ତେଣୁ ଶିଶୁ ବିଶେଷଜ୍ଞ ଡ.ରଶ୍ମି ରଂଜନ ଦାସ, ଡ. କ୍ରିଷ୍ଣ ଏମ୍‌ ଗୁଲ୍ଲା, ଡ.କେତନ ଏବଂ ଡ. ରାମକୃଷ୍ଣଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଦଳ ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଛୁଞ୍ଚିକୁ ବାହାର କରିବାରେ ସଫଳତା ହାସଲ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଏମ୍ସ ପକ୍ଷରୁ ତିନିଦିନିଆ କର୍ମଶାଳା ଆୟୋଜିତ, ଏନଏସଏସ ମହିଳାଙ୍କ ପାଇଁ ସ୍ବତନ୍ତ୍ର ସିପିଆର ତାଲିମ

ଏହି ପ୍ରକ୍ରିୟା ପ୍ରାୟ ଏକ ଘଣ୍ଟା ସମୟ ନେଇଥିଲା । ଏନେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏମ୍‌ସର ଚିକିତ୍ସକଙ୍କ ଏପରି ଉତ୍ସର୍ଗୀକୃତ ମନୋଭାବକୁ ଅଭିନନ୍ଦନ ଜଣାଇବା ସହିତ ଏପରି ବିପଦପୂର୍ଣ୍ଣ କାମକୁ ସଫଳତାର ସହିତ ସମ୍ପନ୍ନ କରିଥିବା ଜୀବନ ରକ୍ଷା ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି । ସୂଚନା ଅନୁଯାୟୀ, ୨୦୨୧ ମସିହାରୁ ଏମ୍‌ସରେ ଏକ ଶିଶୁ ବ୍ରୋଙ୍କୋସ୍କୋପିକ୍ ସୁବିଧା ସହିତ ଶିଶୁ ବିଭାଗ, ନିଦାନ ଏବଂ ଚିକିତ୍ସା ପ୍ରଣାଳୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ କାର୍ଯ୍ୟ ଜାରି ରହିଛି । ଏହି ସୁବିଧା ଜରୁରୀ ସମୟରେ ଶରୀର ଭିତରକୁ ଚାଲିଯାଇଥିବା ବାହ୍ୟ ତୀକ୍ଷ୍ଣ ବସ୍ତୁକୁ ଅପସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଶ୍ବାସକ୍ରିୟା ରୋଗ ସହ ଜଡିତ ଶିଶୁ ରୋଗ ପାଇଁ ମଧ୍ୟ ଏହା ବେଶ ଉପାଦେୟ ହୋଇପାରିଛି । ଶିଶୁ ଚିକିତ୍ସା, ଶିଶୁ ସର୍ଜରୀ, ଇଏନ୍‌ଟି ଏବଂ ରେଡିଓଲୋଜି ବିଶେଷଜ୍ଞଙ୍କ ମିଳିତ ପ୍ରୟାସ ସ୍ବରୂପ ଏପରି ସଫଳ ପ୍ରୟାସର ନିରନ୍ତରତା ଏମ୍‌ସର ରୋଗୀସେବା ପ୍ରତି ନିଷ୍ଠାକୁ ଦର୍ଶାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.