ETV Bharat / state

ପିଇବାପାଣି ପାଇଁ ଗ୍ରାମବାସୀ ଡହଳବିକଳ, ଗାଁରେ ନାହିଁ ମୌଳିକ ସୁବିଧା

author img

By ETV Bharat Odisha Team

Published : Feb 25, 2024, 9:45 PM IST

Basic Amenities Including Drinking Water In Gajapati: ଗଜପତି ଜିଲ୍ଲାର ବାଇଝଲ ପଞ୍ଚାୟତର ବାଣମୁଣ୍ଡା ଗ୍ରାମବାସୀ ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ଫଳରେ ଗ୍ରାମବାସୀଙ୍କ ଜଳକଷ୍ଟରେ ଏକ ମାତ୍ର ସାହା ହୋଇଛି ଚୁଆଁ । ଅଧିକ ପଢନ୍ତୁ

ପିଇବାପାଣି ପାଇଁ ଗ୍ରାମବାସୀ ଡହଳବିକଳ, ଗାଁରେ ନାହିଁ ମୌଳିକ ସୁବିଧା
ପିଇବାପାଣି ପାଇଁ ଗ୍ରାମବାସୀ ଡହଳବିକଳ, ଗାଁରେ ନାହିଁ ମୌଳିକ ସୁବିଧା

ପିଇବାପାଣି ପାଇଁ ଗ୍ରାମବାସୀ ଡହଳବିକଳ, ଗାଁରେ ନାହିଁ ମୌଳିକ ସୁବିଧା

ପାରଳାଖେମୁଣ୍ଡି: ଗ୍ରୀଷ୍ମ ଋତୁରେ ଜଳକଷ୍ଟ ଏକ ସ୍ବାଭାବିକ ଘଟଣା । ହେଲେ ଗ୍ରୀଷ୍ମ ନଆସୁଣୁ ଜଳସଙ୍କଟରେ ଲୋକେ ଜର୍ଜରିତ ହେବା ନିଶ୍ଚିତ ଭାବେ ଚିନ୍ତାର କାରଣ । ଏଭଳି ଅଭାବନୀୟ ପରିସ୍ଥିତିକୁ ସାମନା କରୁଛନ୍ତି ଗଜପତି ଜିଲ୍ଲାର ବାଇଝଲ ପଞ୍ଚାୟତର ବାଣମୁଣ୍ଡା ଗ୍ରାମବାସୀ । ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ ଅନ୍ତର୍ଗତ ବାଣମୁଣ୍ଡା ଗାଁରେ ପ୍ରାୟ ୬୦ଟି ପରିବାରର ୩ଶହ ଲୋକ ବସବାସ କରୁଛନ୍ତି । ତେବେ ଏହି ଗ୍ରାମରେ ଥିବା ୨ଟି କୂଅରେ ମିଳୁଛି ଦୂଷିତ ଜଳ, ଯାହାକୁ ପିଇ ଗ୍ରାମବାସୀ ଅସୁସ୍ଥ ହେଉଛନ୍ତି । ସେହିପରି ସରକାରଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ବସୁଧା ଯୋଜନା ପ୍ରକଳ୍ପ ମଧ୍ୟ ବନ୍ଦ ପଡିଛି । ଫଳରେ ଗ୍ରାମବାସୀଙ୍କ ଜଳକଷ୍ଟରେ ଏକ ମାତ୍ର ସାହା ହୋଇଛି ଚୁଆଁ । ଗାଁର ମହିଳାମାନେ ନିଜର ଆବଶ୍ୟକତା ପାଇଁ ୫ଶହ ମିଟର ଦୂରରେ ଥିବା ଚୁଆଁ ପାଣି ଉପରେ ଭରସା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ... ବିକାଶ ଆଢୁଆଳରେ ଆଢେଣୀଗଡ; ପହଞ୍ଚି ପାରୁନି ସରକାରୀ ଯୋଜନା, ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

କେବଳ ସେତିକି ନୁହେଁ, ଆଜି ଯାଏଁ ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ମଧ୍ୟ ତିଆରି ହୋଇପାରିନାହିଁ । ମାଟି ରାସ୍ତାରେ ଲୋକେ ଯାତାୟତ କରୁଥିବା ବେଳେ ବର୍ଷା ଦିନ ଆସିଲେ ଲୋକଙ୍କ ଯାତାୟତ ଏକ ପ୍ରକାର ବନ୍ଦ ହୋଇଥାଏ । ଦେହ ଖରାପ ହେଲେ କିମ୍ବା ପ୍ରସୂତିଙ୍କୁ ମେଡିକାଲ ନେବା ପାଇଁ ଗାଁ ମଧ୍ୟକୁ ଆମ୍ବୁଲାନ୍ସ ମଧ୍ୟ ଆସି ପାରେ ନାହିଁ । ସେହିପରି ଏଠାରେ ଅଙ୍ଗନବାଡି ଥାଇ ମଧ୍ୟ ନିଯୁକ୍ତ ହୋଇଥିବା ଦିଦି ଆସୁନଥିବାରୁ ପିଲା ମାନଙ୍କର ପାଠପଢାରେ ଡୋରି ବନ୍ଧା ହୋଇଯାଇଛି । ଏନେଇ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ସେ କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ସେହିପରି ପ୍ରଶାସନ ପାଖେ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ କୌଣସି ସୁଫଳ ମିଳିପାରୁନାହିଁ । ସେହିପରି ଗ୍ରାମର ବହୁବିଧ ସମସ୍ୟାର ସମାଧାନ ନ କଲେ ଗ୍ରାମବାସୀମାନେ ଭୋଟ ବର୍ଜନର ଚେତାବନୀ ଦେଇଛନ୍ତି ।

ଗ୍ରାମାଞ୍ଚଳ ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ତାହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ । ଏହାକୁ ନେଇ ଡିଆରଡିଏ ଗୁଣନିଧି ନାୟକ ଗାଁର ରାସ୍ତା ସମସ୍ୟାର ସମାଧାନ ପାଇଁ ମନରେଗାରେ ବ୍ୟବସ୍ଥା କରାଯିବ ବୋଲି କହିବା ସହ ପାନୀୟ ଜଳ ସମସ୍ୟାର କାରଣ ଖୋଜି ଏହାର ମଧ୍ୟ ସମାଧାନ କରାଯିବ ବୋଲି କହିଛନ୍ତି । ତେବେ ରହୁଥିବା ଆଦିବାସୀମାନେ ମୌଳିକ ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ ପ୍ରଶାସନ କେବେ ଏହାର ସମାଧାନ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.