ବଣ୍ଡାଘାଟିରେ ଫଳୁଛି ଲାଲ ଟହଟହ ଷ୍ଟ୍ରବେରୀ: କମାଲ କଲେ ଦୁଇ ଭାଇ, ଅନ୍ୟ ପାଇଁ ସାଜିଲେ ପ୍ରେରଣା

author img

By ETV Bharat Odisha Team

Published : Feb 15, 2024, 4:38 PM IST

Updated : Feb 16, 2024, 7:04 AM IST

Etv Bharat

Strawberry Farming: ବଣ୍ଡାଘାଟିରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଏକ ଏକର ଜମିରେ ଚାଷ କରିଛନ୍ତି ଦୁଇ ଭାଇ ଲକ୍ଷ୍ମଣ ମୁଦୁଲି ଓ ମଙ୍ଗଳା ମୁଦୁଲି । ଅଧିକ ପଢନ୍ତୁ

ବଣ୍ଡାଘାଟିରେ ଫଳିଲା ଷ୍ଟ୍ରବେରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଫଳିଛି ଷ୍ଟ୍ରବେରୀ । ବଣ୍ଡା ଜନଜାତିର ଦୁଇ ଭାଇ ଲକ୍ଷ୍ମଣ ମୁଦୁଲି ଓ ମଙ୍ଗଳା ମୁଦୁଲି ବଣ୍ଡାଘାଟିରେ ଷ୍ଟ୍ରବେରୀ ଚାଷ କରି ସଫଳତା ପାଇଛନ୍ତି । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡାପଡ଼ା ଗାଁର ଦୁଇ ଭାଇ ମିଶି ଏକ ଏକର ଜମିରେ ଫଳାଇଛନ୍ତି ଲାଲ ଟହଟହ ଷ୍ଟ୍ରବେରୀ । ଏହା ଦେଖିବାକୁ ଯେତିକି ସୁନ୍ଦର, ସ୍ବାଦ ମଧ୍ୟ ତାଠୁ ଅଧିକ ନିଆରା । ଓପିଲିପି ପକ୍ଷରୁ ଆର୍ଥିକ ସହାୟତା ସହ ତାଲିମ ନେଇ ଦୁଇ ଭାଇ ଲକ୍ଷ୍ମଣ ଓ ମଙ୍ଗଳା ଏହି ଚାଷ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୦ ହଜାର ଟଙ୍କାର ଷ୍ଟ୍ରବେରୀ ବିକ୍ରି ହୋଇଥିବା କହିଛନ୍ତି ଚାଷୀ ମଙ୍ଗଳା ମୁଦୁଲି । ଜମିରେ ବର୍ତ୍ତମାନ ଷ୍ଟ୍ରବେରୀ ପାଚି ଆସିଲା ବେଳକୁ ସ୍ଥାନୀୟ ଷ୍ଟ୍ରବେରୀକୁ ଖାଇବା ପାଇଁ ଲୋକେ ବେଶ୍ ଇଚ୍ଛୁକ ହୋଇ ରହିଛନ୍ତି ।

ଓପିଲିପି ପକ୍ଷରୁ ଅତ୍ୟାଧୁନିକ ଚାଷ ପାଇଁ ଆର୍ଥିକ ସହାୟତା ଆସିଥିବା ବେଳେ ଏହି ଦୁଇ ଭାଇ ଚାଷ କରିବାକୁ ଆଗ୍ରହ କରିଥିଲେ । ଓପିଲିପି ପକ୍ଷରୁ ଦୁଇ ଭାଇଙ୍କୁ ଉଚିତ ତାଲିମ ଦେବା ସହ ଚାଷ କରିବା ପ୍ରଣାଳୀ ଶିକ୍ଷା ଦିଆଯାଇଥିଲା । ପରେ ଉଭୟ ନିଜସ୍ବ ଉଦ୍ୟମରେ ପରିବାର ସହ ମିଶି ଏକ ଏକର ଜମିରେ ଫଳାଇଛନ୍ତି ଷ୍ଟ୍ରବେରୀ । ଏହି ସ୍ଥାନରୁ କେହି ଜଦି ଷ୍ଟ୍ରବେରୀ ନେବାକୁ ଆସନ୍ତି ତେବେ ପ୍ୟାକେଟ୍ ପିଛା ୧୦୦ଟଙ୍କା ଦେବାକୁ ପଡିଥାଏ । ଏଠାରୁ ଗୋବିନ୍ଦପାଲ୍ଲି କିମ୍ବା ଖଇରପୁଟ୍ ବଜାରକୁ ନେଇ ବିକ୍ରି କଲେ ପ୍ୟାକେଟ୍ ପିଛା ୧୨୦ ଟଙ୍କାରେ ବିକ୍ରି ହୋଇଥାଏ । ମଙ୍ଗଳାଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ସେ ୪୦ ହଜାର ଟଙ୍କାର ଷ୍ଟ୍ରବେରୀ ବିକ୍ରି କରିସାରିଲେଣି । ବଣ୍ଡା ଜନଜାତିର ଏହି ଦୁଇ ଭାଇଙ୍କ ଏକର ଜମିରେ ଚାଷ ପରେ ଅନ୍ୟ ବଣ୍ଡା ଜନଜାତି ମଧ୍ୟ ଚାଷ କରିବା ପାଇଁ ଆଗ୍ରହୀ ହେଲେଣି ।

ଏହା ମଧ୍ୟ ପଢନ୍ତୁ-ନିୟମଗିରିରେ ଷ୍ଟ୍ରବେରୀ ଚାଷ, ସ୍ବାବଲମ୍ବୀ ହେବେ ଡଙ୍ଗରିଆ

ଏକ ଏକର ଜମିରେ ୬ରୁ ୧୦ କ୍ବିଣ୍ଟାଲ ଷ୍ଟ୍ରବେରୀ ହେବା ସହ ଏହାର ବଜାର ଦର କିଲୋ ପିଛା ୩୦୦ ଟଙ୍କା ରହିଛି । ଆଗାମୀ ଦିନରେ ବଣ୍ଡାଘାଟିରେ ଯେଉଁମାନେ ଏହି ଚାଷ ପାଇଁ ଇଚ୍ଛୁକ ହେବେ, ସେମାନଙ୍କୁ ମଧ୍ୟ ତାଲିମ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ପରୀକ୍ଷଣ ଭାବେ ଗୋଟିଏ ଏକର ଷ୍ଟ୍ରବେରୀ ଚାଷ କରାଯିବା ପରେ ବଣ୍ଡାଘାଟିରେ ଏହି ଚାଷ ପାଇଁ ପାଗ ଅନୁକୂଳ ଥିବା ଜଣାପଡିଛି । ଏହି ଚାଷ ପରେ ଅନେକ ବଣ୍ଡା ଆଗାମୀ ଦିନରେ ଷ୍ଟ୍ରବେରୀ ଚାଷ କରିବାକୁ ଆଗେଇ ଆସିବେ ବୋଲି ସମସ୍ତଙ୍କ ଆଶା । ବଣ୍ଡାଘାଟିକର ଦୁଇ ଭାଇ ଷ୍ଟ୍ରବେରୀ ଚାଷ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

Last Updated :Feb 16, 2024, 7:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.