ETV Bharat / state

କଟକରେ ରାଜ୍ୟର ପ୍ରଥମ ସୁନା ଦୋଳ ବିମାନ, ଜାଣନ୍ତୁ ୭୨ ସଂକୀର୍ତ୍ତନ ମଣ୍ଡଳୀ ପଛର ଇତିହାସ - Dola Bimana Made Of Gold

author img

By ETV Bharat Odisha Team

Published : Mar 25, 2024, 7:26 PM IST

Gold Bimana : ଜଗନ୍ନାଥ ସଂସ୍କୃତିରୁ କଟକରେ ଦୋଳଯାତ୍ରା ଆରମ୍ଭ ହୋଇଥିବା କୁହାଯାଏ । ରାଜ୍ୟରେ ପ୍ରଥମ ଥର ସୁନା ବିମାନରେ ବିଜେ କରିଛନ୍ତି ରାଧେ ଗୋବିନ୍ଦ । ଅଧିକ ପଢନ୍ତୁ

Gold Bimana
Gold Bimana

Gold Bimana

କଟକ: ଦୋଳପର୍ବକୁ ଧୁମଧାମରେ ପାଳନ କରନ୍ତି କଟକବାସୀ । ଏହି ପରମ୍ପରା ବହୁ ବର୍ଷ ପୁରୁଣା। ଜଗନ୍ନାଥ ସଂସ୍କୃତିରୁ ଏହି ଦୋଳଯାତ୍ରା ଆରମ୍ଭ ହୋଇଥିବା କୁହାଯାଏ । ଓଡି଼ଶାରେ ଯେତେବେଳେ ପ୍ରଭୁ ଜଗନ୍ନାଥ ଆବିର୍ଭାବ ହେଲେ ସେତେବେଳେ ସଂକୀର୍ତ୍ତନର ମଧ୍ୟ ଆରମ୍ଭ ହୋଇଥିଲା। ଆଉ ପରବର୍ତ୍ତୀ ସମୟରେ କଟକରେ ଦୋଳପର୍ବ ଗଢି ଉଠିଥିଲା। ଗଜପତି ପ୍ରତାପ ରୁଦ୍ରଙ୍କ ସମୟରେ ୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀ ଚୈତନ୍ୟ ଦେବ କଟକରେ ପଦାର୍ପଣ କରିଥିଲେ। ସେ ସମୟରେ କଟକର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣାଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀଗୁଡିକ ଗଡ଼ଗଡ଼ିଆ ଘାଟରେ ଶ୍ରୀ ଚୈତନ୍ୟ ଦେବଙ୍କୁ ସଂକୀର୍ତ୍ତନ କରି ସ୍ୱାଗତ କରିଥିଲେ।

ସୂଚନା ଅନୁସାରେ, ସେହି ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂଖ୍ୟା ୭୨ ଥିବାରୁ ଗଜପତିଙ୍କ ସ୍ୱୀକୃତି ଅନୁସାରେ କଟକରେ ୭୨ ସଂକୀର୍ତ୍ତନ ମଣ୍ଡଳୀକୁ ସ୍ୱୀକୃତି ମିଳିଥିଲା। ଯାହା ଏବେ ବି ବଜାୟ ରହିଛି। କଟକ ସହରରେ ପଞ୍ଚୁଦୋଳ ୫ ଦିନ ଧରି ଆୟୋଜନ କରାଯାଏ। ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ବିମାନରେ ସହର ପରିକ୍ରମା କରିବାର ମଧ୍ୟ ପରମ୍ପରା ରହିଛି। ଯାହାକି ଏଯାବତ ଚାଲି ଆସୁଛି। ୭୨ ଦିଗ ଭାଗ ସଂକୀର୍ତ୍ତନ ମଣ୍ଡଳୀ ବୃଦ୍ଧି ପାଇ ୯୮ ରେ ପହଁଞ୍ଚିଲାଣି। ପୂର୍ଣ୍ଣମୀ ଦିନ ୭୨ ମଠରେ ଶେଷ ଦୋଳ ଯାତ୍ରା ପାଳନ କରାଯିବାର ପରମ୍ପରା ଏବେବି ଉଜ୍ଜୀବିତ ରହିଛି। ସାହିର ଅନେକ ମୁରବି, ଯୁବକମାନେ ଏହି ପରମ୍ପରାକୁ ନିଷ୍ଠାର ସହ ପାଳନ କରି ଆସୁଛନ୍ତି। ଆବାଳ ବୃଦ୍ଧ ବନିତା ସଂକୀର୍ତ୍ତନ କରି ଏହି ପର୍ବରେ ସାମିଲ ହୋଇଥାନ୍ତି। ସମସ୍ତେ ବିନା ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ୟ ଖାଇ ଏହି ଉତ୍ସବକୁ ପାଳନ କରିବାର ପରମ୍ପରା ରହିଛି।

ଏହା ମଧ୍ୟ ପଢନ୍ତୁ...ପୁରାଣ ବର୍ଣ୍ଣିତ ଓଳକଣା ମେଳଣ ଶେଷ, ବ୍ରାହ୍ମ ମୁହୂର୍ତ୍ତରେ ହରିହରଙ୍କ ଦର୍ଶନ କରି କୃତାର୍ଥ ଭକ୍ତ ବିଦୂର - Olakana Dola Melana

ଅପରପକ୍ଷେ, ଚାନ୍ଦି ମେଢ଼ ପରି ଏବେ ଚାନ୍ଦି ବିମାନର ଚାହିଦା ବଢ଼ିବାରେ ଲାଗିଛି। ସହରରେ ୧୭୦ ଟି ପୂଜା ମଣ୍ଡପ ମଧ୍ୟରୁ ୩୩ ଟି ମଣ୍ଡପରେ ଚାନ୍ଦି ମେଢ଼ ରହିଛି। ଠିକ ସେମିତି ପ୍ରାୟ ୧୭ ଟି ଚାନ୍ଦି ବିମାନ ଏବେ ଦେଖିବକୁ ମିଳୁଛି। ପ୍ରଥମ ଥର ପାଇଁ ଚଳିତବର୍ଷ ସୁନା ବିଭାନ ଦେଖିବାକୁ ମିଳୁଛି। କଟକ କାଠଗଡ଼ା ସାହିରେ ଏହି ଚାନ୍ଦି ବିମାନ ଆକର୍ଷଣ ସାଜିଛି। ଏନେଇ କାଠଗଡା ସାହି ଦୁର୍ଗା କମିଟି ଅଧିକାରୀ ବିରଞ୍ଚି ନାରାୟଣ ମହାରଣା କହିଛନ୍ତି, " ଅଢେଇ କେଜିର ସୁନାରେ ଏହି ବିମାନ ପ୍ରସ୍ତୁତ କରାଯାଇଛି। ଚଳିତବର୍ଷ ଦଶହରା ପରେ ଏହି ମେଢ଼ କାର୍ଯ୍ୟ ଆରମ୍ଭ ହୋଇଥିଲା।" ଯାହାକି ରାଜ୍ୟର ପ୍ରଥମ ସୁନା ବିମାନ ଅଟେ। ୨ କୋଟିରୁ ଅଧିକ ଟଙ୍କାରେ ଏହି ସୁନା ବିମାନ ପ୍ରସ୍ତୁତ କରାଯାଇଛି। "ଏହାର ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ" ବୋଲି କହି ଆଶା ବ୍ୟକ୍ତ କରିଛନ୍ତି ଯୁବକ ସଂଘ ସମ୍ପାଦକ ତଥା କର୍ପୋରେଟର ଗଗନ ଓଝା । ୭୨ ସଂକୀର୍ତ୍ତନ ମଣ୍ଡଳୀର ଇତିହାସ ୫୧୪ ବର୍ଷ ପୁରୁଣା ହୋଇଥିବାବେଳେ ୭୨ ମଠର ପରମ୍ପରା ୧୦୮ ବର୍ଷର ହୋଇଥିବା କୁହାଯାଏ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.