ETV Bharat / state

ଶ୍ରୀମନ୍ଦିରରେ ରହିଛି ପଖାଳର ନିଆରା ପରମ୍ପରା, ଦୈନିକ ପଖାଳ ସେବନ କରନ୍ତି ମହାପ୍ରଭୁ

author img

By ETV Bharat Odisha Team

Published : Mar 20, 2024, 3:44 PM IST

Pakhala ritual of lord Jagannath: ବିଶ୍ଵ ପଖାଳ ଦିବସକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । କେବଳ ଓଡିଆ ଲୋକଙ୍କ ନୁହେଁ ବରଂ ଓଡିଆଙ୍କ ମଉଡମଣୀ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ମଧ୍ୟ ପଖାଳ ଅଟେ । ପୁରୀ ଶ୍ରୀମନ୍ଦିରରେ ମଧ୍ୟ ରହିଛି ପଖାଳର ନିଆରା ପରମ୍ପରା । ଦୈନିକ ପଖାଳ ସେବନ କରିଥାନ୍ତି ମହାପ୍ରଭୁ । ଅଧିକ ପଢନ୍ତୁ

Pakhala ritual of lord Jagannath
Pakhala ritual of lord Jagannath

ଶ୍ରୀମନ୍ଦିରରେ ରହିଛି ପଖାଳର ନିଆରା ପରମ୍ପରା

ପୁରୀ: ବିଶ୍ଵ ପଖାଳ ଦିବସକୁ ନେଇ ଚଳଚଞ୍ଚଳ ପୁରପଲ୍ଲୀ । ଓଡିଆଙ୍କ ଅତି ପ୍ରିୟ ଖାଦ୍ୟ ପଖାଳକୁ ସାରା ବିଶ୍ଵରେ ପ୍ରଚାର ପ୍ରସାର ପାଇଁ ଏହି ବିଶ୍ଵ ପଖାଳ ଦିବସର ପରିକଳ୍ପନା । କିଛି ବର୍ଷ ତଳେ କିଛି ଓଡିଆ ସୋସିଆଲ ମିଡ଼ିଆରେ ମାର୍ଚ୍ଚ 20କୁ ବିଶ୍ଵ ପଖାଳ ଦିବସ ଭାବେ ପାଳନ ଆରମ୍ଭ କରିଥଲେ । ପରେ ଏହା ବେଶ ଆଦୃତ ହୋଇଥଲା । ପ୍ରତ୍ୟେକ ଓଡିଆ ମାର୍ଚ୍ଚ 20କୁ ବିଶ୍ଵ ପଖାଳ ଦିବସ ଭାବେ ପାଳନ କରୁଛନ୍ତି ।

ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ମଧ୍ୟ ଅତି ପ୍ରିୟ ଖାଦ୍ୟ । ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିରେ ବିଭିନ୍ନ ଧୁପରେ ଭିନ୍ନ ଭିନ୍ନ ପଖାଳ ଭୋଗ ଲାଗି ହୋଇଥାଏ । ମହାପ୍ରଭୁ ରାତିରେ ବଡ ସିଂହାର ବେଶରେ ପଖାଳ ଖାଇ ଶୟନ କରିଥାନ୍ତି । ମହାପ୍ରଭୁଙ୍କ ପ୍ରତିଦିନ ତିନିବେଳା ପଖାଳ ଭୋଗ ଲାଗି ହୋଇଥାଏ । ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦ୍ବିପ୍ରହର ଧୂପରେ ୯ ଓଳି ସୁବାସିତ ପଖାଳ ଭୋଗ ହୁଏ । ମଲ୍ଲୀ ଓ ଜୁଇ ଭଳି ଫୁଲକୁ ପାଣିରେ ପକାଇ ରଖାଯାଏ | ଉକ୍ତ ପାଣିରୁ ଫୁଲକୁ ଛାଣି ସେଥିରେ ପଖାଳ ପ୍ରସ୍ତୁତ କରାଯାଏ । ସନ୍ଧ୍ୟା ଧୂପରେ ଦହି ପଖାଳ ଭୋଗ ହୁଏ । ଦହି, ଜିରା, ଅଦା, ଲୁଣ ଆଦିରେ ପ୍ରସ୍ତୁତ ଦହି ପଖାଳ ଭୋଗ କରାଯାଏ । ସେହିଭଳି ବଡ଼ସିଂହାର ପୂର୍ବରୁ ଅର୍ଥାତ ମହାପ୍ରଭୁ ଶୟନ ପୂର୍ବରୁ ମଧ୍ୟ ତାଙ୍କ ନିକଟରେ ମିଠା ପଖାଳ ଲାଗି ହୋଇଥାଏ ।


ସେହିପରି ଅକ୍ଷୟ ତୃତୀୟା ପରଦିନଠାରୁ ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ପର୍ଯ୍ୟନ୍ତ ପ୍ରାୟ ଦେଢ଼ ମାସ ଯାତ ଭୋଗରେ ପିଠାପଣା ସହ ପଖାଳ ଭୋଗ ହୁଏ । ମକର ସଂକ୍ରାନ୍ତିରେ ମଧ୍ୟ ସ୍ବତନ୍ତ୍ର ପଖାଳ ଭୋଗ ହୁଏ । ମହାପ୍ରଭୁ ରଥରେ ଆସି ଗୁଣ୍ଡିଚା ଘର ଆଡ଼ପ ମଣ୍ଡପରେ ରହିବା ବେଳେ ମଧ୍ୟ ପଖାଳ ଭୋଗ କରାଯାଏ । ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରିୟ ଖାଦ୍ୟ । ପ୍ରଭୁଙ୍କ ପାଇଁ ସେବକମାନେ ଅତି ପବିତ୍ର ଭାବେ ରୋଷଶାଳାରେ ଏହାକୁ ପ୍ରସ୍ତୁତ କରିଥାଆନ୍ତି । ଭକ୍ତମାନେ ମହାପ୍ରଭୁଙ୍କ ଏହି ସୁସ୍ବାଦୁ ପଖାଳ ଅବଢ଼ାକୁ କିଣି ଥାଆନ୍ତି।

ଏହାମଧ୍ୟ ପଢନ୍ତୁ.. ଆଜି ପଖାଳ ଦିବସ: ଖରା ହେଉ କି ବର୍ଷା, ଓଡ଼ିଆର ମନ ଲୋଡେ ପଖାଳ କଂସା

କେବଳ ଶ୍ରୀମନ୍ଦିରରେ ନୁହେଁ ଗ୍ରୀଷ୍ମ ଦିନରେ ପ୍ରତିଟି ଓଡ଼ିଆଙ୍କ ଘରେ ପଖାଳ ମୁଖ୍ୟ ଖାଦ୍ୟ ପାଲଟିଯାଏ । ପ୍ରବଳ ଖରାରେ ଶରୀରକୁ ଆରାମ ଓ ସୁସ୍ଥ ରଖିବା ପାଇଁ ପଖାଳ ଅମୃତ ଭଳି କାମ କରିଥାଏ । ଭୃସଙ୍ଗ ପତ୍ର, ଦହି, ଅଦା, ଜିରା ଗୁଣ୍ଡ ଆଦି ପଖାଳରେ ଦେଇ ଖାଇଲେ ଏହାର ସ୍ୱାଦ ଆହୁରୀ ବଢିଯାଇଥାଏ । ତେବେ କେତେକ ଗବେଷକଙ୍କ ମତ ଅନୁଯାୟୀ ବାସି ପଖାଳର ଥିବା ଏକ ବ୍ୟାକ୍ଟେରିଆ ଶରୀର ପାଇଁ ବହୁ ଉପାଦେୟ ।

ତେବେ ଏହି ପଖାଳକୁ ନେଇ କବି ମଧ୍ଯ ଗୀତ ଲେଖିଛନ୍ତି । ଆସ ଜୀବନ ଧନ ମୋର ପଖାଳ କଂସା, ସଜନୀରେ ତୋ ବିହୁନେ ବୁଡ଼ିଲା ହଂସା । ଅଠା ମାରି ଗଲା ତୁଣ୍ଡୁ ଯାଏଁ ଜୀବନ, ତୋରାଣି ସହ ମିଶି ହର ମୋ ତୃଷା’ ଭଳି ଅନେକ ଲୋକପ୍ରିୟ ଗୀତ ରହିଛି ପଖାଳକୁ ନେଇ । ତେବେ ପଖାଳ ଦିବସକୁ ନେଇ ପ୍ରତ୍ୟେକ ଓଡିଆ ଉତ୍ସାହିତ ଥିବା ବେଳେ ମହାପ୍ରଭୁ ମଧ୍ଯ ବର୍ଷ ର ବାର ମାସ ପ୍ରତ୍ୟେକ ଦିନ ପଖାଳ ଖାଇ ବେଶ ତୃପ୍ତି ପାଇଥାନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.