ETV Bharat / state

ଆଜି ପଖାଳ ଦିବସ: ଖରା ହେଉ କି ବର୍ଷା, ଓଡ଼ିଆର ମନ ଲୋଡେ ପଖାଳ କଂସା

author img

By ETV Bharat Odisha Team

Published : Mar 20, 2024, 8:38 AM IST

Pakhala Divas: ଆଜି ପଖାଳ ଦିବସ । କାହିଁ କେଉଁ କାଳରୁ ଓଡ଼ିଆ ଜାତି ସହ ପଖାଳ କଂସାର ନିବିଡ ସମ୍ପର୍କ ରହିଆସିଛି । ଧନୀ ହେଉକି ଗରୀବ, ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ କଂସା । କଂସାଏ ପଖାଳରେ ଓଡ଼ିଆକୁ ଯେଉଁ ତୃପ୍ତି ମିଳେ, ତାହା କେଉଁଠୁ ମିଳେନି । ଅଧିକ ପଢନ୍ତୁ

Etv Pakhala Divas
Pakhala Divas

ହାଇଦ୍ରାବାଦ: ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳ... ଏହା କେବଳ ଏକ ନିତିଦିନିଆ ଖାଦ୍ୟ ନୁହେଁ, ଓଡ଼ିଆ ଘରର ପରିଚୟ । ଧନୀ ହେଉକି ଗରୀବ ଖଟିଖିଆ, ପ୍ରତି ଓଡ଼ିଆର ପ୍ରିୟ ଖାଦ୍ୟ । କଂସାଏ ପଖାଳରେ ଓଡ଼ିଆକୁ ଯେଉଁ ତୃପ୍ତି ମିଳେ, ତାହା କେଉଁଠୁ ମିଳେନି । ପଖାଳ ଭାତ, ତା' ସାଙ୍ଗକୁ ଶାଗ ଭଜା, ବଡି ଚୂରା, ଖଣ୍ଡେ ପିଆଜ ନହେଲେ ବାଇଗଣ ଆଳୁ ଭର୍ତ୍ତାକୁ ଶୁଖୁଆ ପୋଡ଼ା । ଆହାଃ କି ଆନନ୍ଦ । ଖରା, ବର୍ଷା ହେଉକି ଶୀତ...ଓଡ଼ିଆ ଘରେ ପଖାଳ ହେବାଟା ଥୟ । ବିଶେଷକରି ଖରାଦିନ ଆସିଲେ ବେଶୀ ଖୋଜା ପଡେ ପଖାଳ କଂସା । ଓଡ଼ିଆଙ୍କ ଏହି ପ୍ରିୟଖାଦ୍ୟର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ 'ପଖାଳ ଦିବସ' ଭାବରେ ପାଳନ କରାଯାଉଛି ।

ଓଡ଼ିଆର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ଖାଦ୍ୟ ମଧ୍ୟ ପଖାଳ । ଅନେକ ପ୍ରକାରର ପଖାଳ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ । ମହାପ୍ରଭୁଙ୍କ ବିଭିନ୍ନ ପଖାଳ ମଧ୍ୟରୁ ଅନ୍ୟତମ ହେଉଛି ସୁବାସ ପଖାଳ । ପ୍ରଥମେ କୁଡୁଆରେ ଅନ୍ନ ରନ୍ଧା ହୋଇ ସାରିବା ପରେ ସେଥିରେ ପାଣି ମିଶାଯାଏ । ଏଥିରେ ସ୍ବାଦ ଅନୁଯାୟୀ ଲୁହ ମିଶାଇ କଟା ଅଦା, ଭଜା ଜିରା ପକାଇ ପ୍ରସାଦ ଭାବେ ଲାଗି କରାଯାଏ । ଏହି ଅନ୍ନର ବାସ୍ନା ବେଶ ସୁଗନ୍ଧିତ ହୋଇଥିବାରୁ ଏହାକୁ ସୁବାସ ପଖାଳ କୁହାଯାଏ । ଷାଠିଏ ପଉଟିରେ ସ୍ଥାନ ପାଇଥିବା ପଖାଳ ଏବେ ଗାଁ ଠାରୁ ପଞ୍ଚତାରକା ହୋଟେଲରେ ସ୍ଥାନ ପାଇଛି ।

ଏହା ମଧ୍ୟ ପଢନ୍ତୁ: ବିଶ୍ବ ନିଦ୍ରା ଦିବସ, ସୁସ୍ଥତା ପାଇଁ ଜରୁରୀ ନିଦ

ଆଜି ପଖାଳ ଦିବସ ପାଇଁ ବଡ ବଡ ହୋଟେଲ ରେସ୍ତୋରାଁରେ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି । ପଖାଳ ସାଙ୍ଗକୁ ଆମିଷ ଥାଳିରେ ମାଛ ଭଜା, ଚିକେନ, ମଟନ ଓ ଚିଙ୍ଗୁଡି ଏବଂ ନିରାମିଷ ଥାଳିରେ ଶାଗ ଭଜା, ବଡି ଚୂରା, ଆଳୁ ଭର୍ତ୍ତା ଭଳି ଭଳିକି ଭଳି ଓଡ଼ିଆ ବ୍ୟଞ୍ଜନ ବ୍ୟବସ୍ଥା ହୋଇଛି । ଓଡ଼ିଆଙ୍କ ପଖାଳର ଲୋକପ୍ରିୟତା ରାସ୍ତାକଡ ଝୁମ୍ପୁଡି ଠାରୁ ଆରମ୍ଭ କରି ତାରକା ହୋଟଲେ ମେନୁରେ ସ୍ଥାନ ପାଇସାରିଛି । ଆଜି ପଖାଳ ଦିବସରେ ସବୁଠୁ ମହକିବ ପଖାଳ କଂସା । କିନ୍ତୁ ଆଜି ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ କୋହଲା ପାଗ ପାଇଁ ପଖାଳ ଦିବସ ଟିକେ ମାନ୍ଦା ପଡିପାରେ ।

ଓଡ଼ିଆ ସଂସ୍କୃତି ସହ ପଖାଳର ନିବିଡ ସମ୍ପର୍କ କହିଛି । ପଖାଳ ଖାଇଲେ ଅନେକ ରୋଗ ଭଲ ହୁଏ ବୋଲି ସାଧାରଣରେ ଅନେକ ଆଲୋଚନା ହୁଏ । ପେଟରେ ଗୁଣ୍ଡାଏ ପଖାଳ ସାଙ୍ଗକୁ ଢୋକେ ତୋରାଣି ପଡିଲେ ଯେଉଁ ସନ୍ତୁଷ୍ଟି ମିଳେ ତାହା ଖାଇବା ଲୋକେ ହିଁ ଜାଣେ । ୨୦୧୫ ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟ୍ବିଟରରେ ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ଏବେ ବିଶ୍ବର କୋଣ ଅନୁକୋଣରେ ଥିବା ଓଡିଆ ମଧ୍ୟ ପଖାଳ ଦିବସ ପାଳନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.