ETV Bharat / state

ନୂଆ ରାହା ଦେଖାଇଲା ଷ୍ଟ୍ରବେରୀ ଚାଷ, ସ୍ବାବଲମ୍ବୀ ହେବେ ଏସଏଚଜି ମହିଳା

author img

By ETV Bharat Odisha Team

Published : Feb 7, 2024, 9:55 PM IST

Strawberry Farming By SHG In Kandhamal: କନ୍ଧମାଳରେ ନୂଆ କରି ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଜିଲ୍ଲାରେ ୬ଟି ବ୍ଳକରେ ୨୦ରୁ ଊର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀ ଏହି ଚାଷ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

କନ୍ଧମାଳରେ ଷ୍ଟ୍ରବେରୀ ଚାଷ ; ସ୍ବାବଲମ୍ବୀ ହେଉଛନ୍ତି ଏସଏସଜି ଗ୍ରୁପ ମହିଳା
କନ୍ଧମାଳରେ ଷ୍ଟ୍ରବେରୀ ଚାଷ ; ସ୍ବାବଲମ୍ବୀ ହେଉଛନ୍ତି ଏସଏସଜି ଗ୍ରୁପ ମହିଳା

କନ୍ଧମାଳରେ ଷ୍ଟ୍ରବେରୀ ଚାଷ ; ସ୍ବାବଲମ୍ବୀ ହେଉଛନ୍ତି ଏସଏସଜି ଗ୍ରୁପ ମହିଳା

ଫୁଲବାଣୀ: ପୂର୍ବରୁ ରାଜ୍ୟ ତଥା ଦେଶରେ କନ୍ଧମାଳର ହଳଦୀ ଓ ଅଦାର ବେଶ ଆଦର ଓ ଚାହିଦା ରହିଆସିଛି । କନ୍ଧମାଳରେ ନୂଆ କରି ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଜିଲ୍ଲାରେ ୬ଟି ବ୍ଳକ ଫୁଲବାଣୀ, ବାଲିଗୁଡ଼ା, କେ ନୂଆଗାଁ ଦାରିଙ୍ଗବାଡ଼ି, ରାଇକିଆ ଏବଂ ଚକାପାଦ ବ୍ଳକର ବିଭିନ୍ନ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ଏହି ଚାଷ କରାଯାଉଛି । ସମଗ୍ର ଜିଲ୍ଲାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀ ଏହି ଚାଷ ଆରମ୍ଭ କରିଛନ୍ତି । ଫୁଲବାଣୀ ବ୍ଳକର ତୁଡ଼ିପାଜୁ ଓ ମିଣିଆ , ବାଲିଗୁଡ଼ା ବ୍ଳକର ସିନ୍ଦ୍ରିଗାଁ, ବାଟାଗୁଡ଼ା, ଦାରିଙ୍ଗବାଡ଼ି ବ୍ଳକର ସୁଲୁମାହା, ଦନେକବାଡ଼ି, ଗ୍ରିନବାଡ଼ି , ରାଇକିଆ ବ୍ଳକର ଗମାଣ୍ଡି, ମାଣିକେଶ୍ବର, ମଣ୍ଡା କିଆ ଏବଂ ଚକାପାଦ ବ୍ଳକର ଶଙ୍କରାଖୋଲ ଠାରେ ଏହି ଚାଷ ଆରମ୍ଭ ହୋଇଛି । ପ୍ରତ୍ୟେକ ଅଞ୍ଚଳରେ ପ୍ରଥମ ଦଫାରେ ୨ ଏକର ଜମିରେ ଏହି ଚାଷ କରାଯାଇଥିବା ବେଳେ ୨୦ ହଜାର ଚାରା ରୋପଣ କରାଯାଇଛି । ଏହି ଚାରା ମହାରାଷ୍ଟ୍ରର ପୁଣେରୁ କ୍ରୟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ.... ପଞ୍ଜୁରୀ ଭିତରେ ମାଛ ଚାଷ, ସ୍ୱାବଲମ୍ବୀ ହେଉଛନ୍ତି ଚାଷୀ

ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସରକାରୀ ସ୍ତରରେ ଏହି ଚାଷ ପାଇଁ ୬ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଥିବା ବେଳେ ଏଥିରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ଓ ଜ୍ଞାନ କୌଶଳ ପ୍ରଦାନ ପାଇଁ ଉଦ୍ୟାନ ବିଭାଗ ଏବଂ ଜଳଛାୟା ବିଭାଗ ପକ୍ଷରୁ ସହଯୋଗ କରାଯାଉଛି । ମାଟି ପରୀକ୍ଷା କରିବା, ଚାରା ରୋପଣ, ବୁନ୍ଦା ଜଳସେଚନ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ବିଭାଗ ସହଯୋଗ କରୁଛି । ଗତ ନଭେମ୍ବର ମାସରୁ ଏହି ଚାଷ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଫଳ ଫଳିବା ଆରମ୍ଭ ହୋଇଛି । ଏହି ଚାଷ ଦ୍ବାରା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପନିପରିବା ଚାଷ ଠାରୁ ଅଧିକ ଲାଭବାନ ହେଉଛନ୍ତି l ଷ୍ଟ୍ରବେରୀ କିଲୋପିଛା ୫୦୦ ଟଙ୍କାରେ ବିକ୍ରି କରୁଥିବା ଗ୍ରୁପର ମହିଳାମାନେ କହିଛନ୍ତି l ଚଳିତବର୍ଷ ଦୁଇ ଏକର ଜମିରୁ ଅମଳର ୧୫ ଦିନ ଭିତରେ ଦେଢ ଲକ୍ଷ୍ୟ ଟଙ୍କାରୁ ଅଧିକ ବିକ୍ରି କରିସାରିଥିବା ବେଳେ ୧୨ ରୁ ୧୫ ଲକ୍ଷ ଟଙ୍କାର ଷ୍ଟ୍ରବେରୀ ବିକ୍ରି କରିବା ଲକ୍ଷ୍ୟ ରଖିଥିବା କହିଛନ୍ତି ମହିଳାଚାଷୀ ।

ଏହି ଷ୍ଟ୍ରବେରୀକୁ ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ନା ଅନୁସାରେ ଦାରିଙ୍ଗବାଡ଼ି ଷ୍ଟବେରୀ ନାମରେ ବିକ୍ରି ହେବ ବୋଲି ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । କନ୍ଧମାଳରେ ଗ୍ରାମୀଣ ମହିଳାମାନଙ୍କ ପାଇଁ ରୋଜଗାରର ବାଟ ଫିଟାଇଛି ଷ୍ଟ୍ରବେରୀ ଚାଷ । ସ୍ବଳ୍ପ ପରିଶ୍ରମ ଓ କମ୍ ସମୟ ମଧ୍ୟରେ ଅଧିକ ଲାଭ ମିଳୁଥିବାରୁ ରସଭରା ଷ୍ଟ୍ରବେରୀ ଚାଷ ପ୍ରତି ଚାଷୀମାନଙ୍କ ଆଗ୍ରହ ବୃଦ୍ଧି ନିଶ୍ଚିତ ଭାବେ ଏକ ଶୁଭ ସଙ୍କେତ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.