ETV Bharat / state

ଗ୍ରହରାଜଙ୍କ ଜନ୍ମୋତ୍ସବ, ଏମିତି ପୂଜା କଲେ ପ୍ରସନ୍ନ ହେବେ ଶନି ଦେବ - SHANIDEV Jayanti

author img

By ETV Bharat Odisha Team

Published : May 11, 2024, 7:40 PM IST

Rachhipur Shanidev: ଏହି ଦିନ ପାଳନ ହୁଏ ଶନି ଦେବଙ୍କ ଜନ୍ମୋତ୍ସବ । ଏହିଦିନ ଗ୍ରହରାଜଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରି ଶନିଦେବଙ୍କୁ ପ୍ରସନ୍ନ କରିବା ସହ ଜୀବନରେ ସୁଖସମୃଦ୍ଧି ଆଣି ପାରିବେ । ଅଧିକ ପଢ଼ନ୍ତୁ

Rachhipur Shanidev
Rachhipur Shanidev (ETV Bharat)

Rachhipur Shanidev (ETV Bharat)

ଯାଜପୁର: ସନାତନ ଧର୍ମରେ ସପ୍ତାହର ୭ ଦିନ ଦେବାଦେବୀଙ୍କୁ ସମର୍ପିତ । ସେହିପରି ଶନିବାର ଦିନ କର୍ମଫଳଦାତା ଶନିଦେବଙ୍କୁ ସମର୍ପିତ । ପ୍ରତିବର୍ଷ ସାରା ଦେଶରେ ଅକ୍ଷୟ ତୃତୀୟା ପର ଶନିବାର ପାଳିତ ହୁଏ ଗ୍ରହରାଜ ଶନିଦେବଙ୍କ ପବିତ୍ର ଜନ୍ମୋତ୍ସବ l ସେହିକ୍ରମରେ ଆଜି ଯାଜପୁରର ରାଛିପୁର ଗାଁରେ ଧୁମଧାମରେ ପାଳିତ ହୋଇଯାଇଛି ଗ୍ରହରାଜ ଶନିଦେବଙ୍କର ପବିତ୍ର 75ତମ ଜନ୍ମୋତ୍ସବ l ଏହି ଦିନ ଭକ୍ତିର ସହିତ ଶନିଶ୍ଚରଙ୍କୁ ପୂଜାର୍ଚ୍ଚନା କଲେ ସକଳ ଗ୍ରହପୀଡା ଖଣ୍ଡନ ହେବା ସହ ପରିବାରର ସକଳ ଦୁଃଖଦୁର୍ଦ୍ଦଶା ଦୂର ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଆସିଛି ।

ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦର ଉପକଣ୍ଠରେ ଅବସ୍ଥିତ ଦାନଗଦୀ ବ୍ଲକ ଅନ୍ତର୍ଗତ ରାଛିପୁର ଗାଁର ରାଜ୍ୟର ପ୍ରସିଦ୍ଧ ଶନିଶ୍ଚର ଦେବଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି l ରାଛିପୁରର ଶନିଦେବତା ବେଶ୍ ପ୍ରତ୍ୟେକ୍ଷ ବୋଲି ଲୋକଙ୍କର ବିଶ୍ବାସ ରହିଛି । ଯାହାପାଇଁ ଆଜି ସକାଳୁ ଗ୍ରହରାଜଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷ ଶନିଶ୍ଚରଙ୍କ ଠାରେ ଜଳଲାଗି କରି ନିଜ ପରିବାରର ମଙ୍ଗଳ ପାଇଁ ଗ୍ରହରାଜଙ୍କୁ ସନ୍ତୁଷ୍ଟ କରୁଥିବା ଦେଖିବାକୁ ମିଳିଛି । ସେଥିପାଇଁ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ପୂଜା ତିନିଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଥିବା ବେଳେ ମେଳାକୁ ଶୃଙ୍ଖଳିତ କରିବାପାଇଁ ସମସ୍ତ ବନ୍ଦବୋସ୍ତ କରାଯାଇଛି l

ଏହା ମଧ୍ୟ ପଢ଼ନ୍ତୁ.. ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ, ପ୍ରଥମ ପର୍ଯ୍ୟାୟରେ ହେବ ଚକ ପାଇଁ 42ଟି ତୁମ୍ୱ - Ratha Khala Update

ସେପଟେ ଜିଲ୍ଲାରେ ନିର୍ବାଚନ ପର୍ବ ଚାଲିଥିବା ବେଳେ ସୁକିନ୍ଦା ବିଜେଡି ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇ ଓ ବିଜେପି ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ଶନିଶ୍ଚରଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଶନିଦେବଙ୍କର ଜନ୍ମୋତ୍ସବ ଅବସରରେ ଆଜି ସଖାଳୁ ମନ୍ଦିର ପରିସରରେ ଭଜନ କୀର୍ତ୍ତନ ସାଙ୍ଗକୁ ଚାଲିଛି ବିଶ୍ବଶାନ୍ତି ମହାଯଜ୍ଞ । ଏହି ପୀଠରେ ଠାକୁରଙ୍କ ପଛପଟେ ଥିବା ଆମ୍ବଗଛରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ପୋଖରୀରୁ ପାଣି ଆଣି ଧାଡିରେ ଆସି ଜଳାଭିଷେକ କରିଛନ୍ତି । ଦିଅଁ ଦର୍ଶନ ସାଙ୍ଗକୁ ଠାକୁରଙ୍କ ନିକଟରେ ଭୋଗ ଲଗାଇଛନ୍ତି । ଶ୍ରଦ୍ଧାଳୁ ମାନେ ଯେପରି ଶାନ୍ତିଶୃଙ୍ଖଳାରେ ଠାକୁର ଦର୍ଶନ କରିବେ ସେଥିଲାଗି ମେଳା କମିଟି ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଛି । ମେଳା ପରିସରରେ ଲମ୍ବା ବ୍ୟାରିକେଡ ଠାରୁ ଆରମ୍ଭ କରି ପ୍ରଚଣ୍ଡ ଖରାରେ ବିଜୁଳି ପଙ୍ଖା ଓ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଇଛି । ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.