ETV Bharat / state

ଓଡ଼ିଶାରେ 'ଭୋଟ୍ ଫ୍ରମ ହୋମ୍' ଆରମ୍ଭ , ୮୫ ବର୍ଷରୁ ଅଧିକ ବୟସ୍କ ମତଦାତାଙ୍କ ମତଦାନ - Vote from Home

author img

By ETV Bharat Odisha Team

Published : Apr 15, 2024, 3:49 PM IST

Updated : Apr 15, 2024, 5:18 PM IST

home vote scheme: ଆଜିଠୁ ହୋମ ଭୋଟିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଜଣେ ବୃଦ୍ଧ ମତଦାତାଙ୍କୁ ସମ୍ବର୍ଦ୍ଧିତ କଲା ଖୋର୍ଦ୍ଧା ପ୍ରଶାସନ । ଅଧିକ ପଢନ୍ତୁ

home vote scheme
home vote scheme

home vote scheme

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଜାତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ପଦକ୍ଷେପ ନିଆଯାଇଛି । ୮୫ ବର୍ଷ ବୟସରୁ ଅଧିକ ଓ ଦିବ୍ୟାଙ୍ଗ ମତଦାତାଙ୍କ ଲାଗି ହୋମ ଭୋଟିଂ ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଆଜିଠାରୁ ୮୫ ବର୍ଷ ବୟସରୁ ଅଧିକ ଓ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ 'ଭୋଟ୍‌ ଫ୍ରମ ହୋମ୍‌' କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଏହି କ୍ରମରେ ୟୁନିଟ ୪ ଅଞ୍ଚଳରେ ରହୁଥିବା ୮୫ ବର୍ଷରୁ ଊର୍ଦ୍ଧ୍ବ ମତଦାତା ବ୍ରଜ ମୋହନ ଚାଟାର୍ଜୀଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ବୃଦ୍ଧ ଭୋଟର ବ୍ରଜ ମୋହନ ଚାଟାର୍ଜୀ:- ବୟସର ଅପରାହ୍ନରେ ଉପନୀତ ବ୍ରଜ । ଚମ ଧୁଡୁଧୁଡୁ ସାଙ୍ଗକୁ ଆଖିକୁ ଭଲ ଦିଶୁନାହିଁ । କାନକୁ ଭଲ ଶୁଭୁନି କି ଦି ପାଦ ଚାଲିବାକୁ ସେ ଅକ୍ଷମ । ଚାଲିବା ଲାଗି ଏକମାତ୍ର ସାହାରା ହ୍ବିଲ ଚେୟାର । କିନ୍ତୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ପ୍ରତିନିଧି ବାଛିବା ପାଇଁ ତାଙ୍କର ଇଚ୍ଛା ଥିଲା । ୫ ବର୍ଷର ଥରେ ଆସୁଥିବା ଏହି ମହାନ ପର୍ବରେ ଅଂଶଗ୍ରହଣ କରିବା ତାଙ୍କର ଆଶା । କିନ୍ତୁ ତାଙ୍କ ପାଇଁ ବାଧକ ସାଜିଥିଲା ବୟସ ଓ ଶାରୀରିକ ଅକ୍ଷମତା । କିନ୍ତୁ ବୟସ୍କ ଓ ଶାରୀରିକ ଅକ୍ଷମ ଭୋଟରଙ୍କ ଲାଗି ନୂଆ ବ୍ୟବସ୍ଥା କରିଛନ୍ତି ଜାତୀୟ ନିର୍ବାଚନ ଅୟୋଗ ।

ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପର ମୂଳ ବାସିନ୍ଦା ବ୍ରଜ ମୋହନ ଚାଟାର୍ଜୀ ଏବେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୟୁନିଟ 4 ଅଞ୍ଚଳର ସ୍ଥାୟୀ ବାସିନ୍ଦା । ୯୧ ବର୍ଷୀୟ ବ୍ରଜ ମୋହନ ଆକାଉଣ୍ଟ ଜେନେରାଲ (A&G) କ୍ଲାସ ୧ ଅଫିସର ଭାବେ ଅବସର ନେଇଛନ୍ତି । ଭୁବନେଶ୍ୱରରେ ରହିବା ଦିନରୁ ସେ ଭୋଟ ଦେଇ ଆସୁଛନ୍ତି । କୌଣସି ବି ଗୋଟେ ନିର୍ବାଚନରେ ଭୋଟ ଦାନରୁ ବିରତ ରହିନାହାନ୍ତି । ସାଧାରଣ ନିର୍ବାଚନ ହେଉ କି ପଞ୍ଚାୟତ ନିର୍ବାଚନ ସେ ସାମିଲ ହୋଇଛନ୍ତି । ବୟସାଧିକ ଓ ଅକ୍ଷମତା କାରଣରୁ ଭୋଟ ଦାନରୁ ସେ ବଞ୍ଚିତ ହେବା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହୋଇଛି ଭୋଟ୍‌ ଫ୍ରମ ହୋମ୍‌ କାର୍ଯ୍ୟକ୍ରମ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଉପଭୋକ୍ତା ହୋଇଛନ୍ତି ବ୍ରଜ । ବ୍ରଜଙ୍କ ପାଇଁ ଭୋଟ୍‌ ଫ୍ରମ ହୋମ୍‌ ବ୍ୟବସ୍ଥା କରିବା ସହ ତାଙ୍କୁ ପ୍ରଶାସନ ସମ୍ବର୍ଦ୍ଧିତ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଏଥର ବୟସ୍କଙ୍କ ଲାଗି ହୋମ ଭୋଟିଂ ବ୍ୟବସ୍ଥା, ଜାଣନ୍ତୁ କେଉଁ ରାଜ୍ୟରେ କେତେ ରହିଛନ୍ତି ବୟସ୍କ ଭୋଟର - LOK SABHA ELECTION 2024

ତବେ ଏନେଇ ବ୍ରଜ କହିଛନ୍ତି, "ପୂର୍ବରୁ ୟୁନିଟ ୪ ଅଞ୍ଚଳରେ ଥିବା ସରକାରୀ ବାଳିକା ବିଦ୍ୟାଳୟରେ ଭୋଟ ଦେଇଥିଲି । ସେତେବେଳେ ଖରା ଓ ଗହଳିରେ ଛିଡା ହୋଇ ଭୋଟ ଦେବାକୁ ପଡୁଥିଲା । ଘର ପାଖରେ ହୋଇଥିବାରୁ ଚାଲି ଚାଲି ଯାଇ ଭୋଟ ଦେଇ ଆସୁଥିଲି । ଗତ ୩ ବର୍ଷ ହେଲା ଅକ୍ଷମତା କାରଣରୁ ଏଥର ଭୋଟ ଦେଇପାରିବି ନା ନାହିଁ ଆଶଙ୍କା ଥିଲା । କିନ୍ତୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ହୋଇଥିବା ନୂଆ ବ୍ୟବସ୍ଥା ବାବଦରେ ଶୁଣି ଭଲ ଲାଗୁଛି । ଘରେ ବସି ମଧ୍ୟ ମୁଁ ଏଥର ଭୋଟ ଦେଇପାରିବି । ମୋ ପରି ଅନେକ ଭୋଟର ଉପକୃତ ହେବେ ।" ବ୍ରଜଙ୍କ ଝିଅ କହିଛନ୍ତି, "ବାପା କେବେ ବି କୌଣସି ନିର୍ବାଚନରେ ଭୋଟ ଦାନରୁ ବିରତ ରହିନାହାନ୍ତି । ଏଥର ନୂଆ ବ୍ୟବସ୍ଥା ଅନୁଯାୟୀ ଘରେ ବସି ଭୋଟ ଦେବେ ।"

ଖୋର୍ଦ୍ଧା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ବେହୁରା କହିଛନ୍ତି, "୮୫ ବର୍ଷରୁ ଊର୍ଦ୍ଧ୍ବ ଭୋଟର ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେଇପାରିବେ । ଜିଲ୍ଲାପାଳଙ୍କ ପକ୍ଷରୁ ବରିଷ୍ଠ ଭୋଟରଙ୍କୁ ଧନ୍ୟବାଦ ପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ୨ ଜଣ ବରିଷ୍ଠ ଭୋଟରଙ୍କୁ ଚିହ୍ନଟ କରାଯାଇଛି । ଭୋଟ୍‌ ଫ୍ରମ ହୋମ୍‌ ବ୍ୟବସ୍ଥା କୋଭିଡ ସମୟରେ ଆରମ୍ଭ ହୋଇଥିଲା । କିନ୍ତୁ ଚଳିତ ନିର୍ବାଚନରେ ଏହି ନିର୍ବାଚନରେ ଏହାର ବ୍ୟାପକତା ବଢିଛି । ବିଏଲଓଙ୍କ ଜରିଆରେ ୧୨(ଡି) ଫର୍ମ ମାଧ୍ୟମରେ ୮୫ ବର୍ଷରୁ ଉର୍ଦ୍ଧ୍ବ ଓ ୪୦ ପ୍ରତିଶତରୁ ଅଧିକ ଅକ୍ଷମ ଭୋଟରଙ୍କ ଲାଗି ଘରେ ରହି ଭୋଟ ଦେବା ବ୍ୟବସ୍ଥା ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 15, 2024, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.