ETV Bharat / state

ପୁରୀରେ କିଏ ମାରିବ ବାଜି ? କେମିତି ଅଛି ଭୋଟରଙ୍କ ମୁଡ୍‌ ? - General Election 2024

author img

By ETV Bharat Odisha Team

Published : Apr 7, 2024, 6:10 PM IST

Puri Voters Mood: ସାଧାରଣ ନିର୍ବାଚନକୁ ନେଇ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ । ଏହି ନିର୍ବାଚନୀ ଉଷ୍ମତା ଭିତରେ ପୁରୀ ପୌରାଞ୍ଚଳର ଭୋଟରଙ୍କ ମୁଡ୍‌ ପରଖିଛି ଇଟିଭି ଭାରତ । ଅଧିକ ପଢ଼ନ୍ତୁ

Puri Voters Mood
Puri Voters Mood

Puri Voters Mood

ପୁରୀ: ନିର୍ବାଚନ ବିଗୁଲ ବାଜିବା ପରେ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ହେବାରେ ଲାଗିଛି । ସବୁଆଡେ ନିର୍ବାଚନକୁ ନେଇ ଚର୍ଚ୍ଚା । ସବୁ ଦଳର ପ୍ରାର୍ଥୀଙ୍କୁ ନେଇ ଭୋଟରଙ୍କ ମଧ୍ୟରେ ଚାଲିଛି ଆଲୋଚୋନା ଓ ପର୍ଯ୍ୟାଲୋଚନା । ତେବେ କେଉଁପ୍ରସଙ୍ଗକୁ ନେଇ ଭୋଟର ଏଥର ଭୋଟ ଦେବେ, ସେହି ଚର୍ଚ୍ଚା ଏବେ ସବୁଆଡେ ଲାଗି ରହିଛି । ଏହି ନିର୍ବାଚନୀ ଉଷ୍ମତା ଭିତରେ ପୁରୀ ପୌରାଞ୍ଚଳର ଭୋଟରଙ୍କ ମୁଡ୍‌ ପରଖିଛି ଇଟିଭି ଭାରତ । ବିଭିନ୍ନ ବର୍ଗର ଭୋଟରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ।

'ଯିଏ ପଟ୍ଟା ଦେବ ତାକୁ ଭୋଟ': ବଳିଆ ପଣ୍ଡା ବସ୍ତି ବାସିନ୍ଦାଙ୍କ କହିବା କଥା, "ରାଜ୍ୟ ସରକାର ସବୁଆଡେ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କଲେଣି । ହେଲେ ଦୁର୍ଭାଗ୍ୟର ବିଷୟ ପୁରୀ ବଳିଆ ପଣ୍ଡା ଅଞ୍ଚଳରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ରାଜ୍ୟ ସରକାର ହୁଅନ୍ତୁ ଅବା ପୁରୀ ଜିଲ୍ଲା ପ୍ରଶାସନ ସ୍ଥାୟୀ ପଟ୍ଟା ପ୍ରଦାନ କରିନାହିଁ ।" ଯାହାକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ନିର୍ବାଚନ ପ୍ରଚାର ପାଇଁ ବସ୍ତିକୁ ଅନେକ ନେତା ଆସିବେ । ଯେଉଁ ନେତା ପଟ୍ଟା ପ୍ରଦାନରେ ସହଯୋଗ କରିବେ, ସେହି ନେତାଙ୍କୁ ସେମାନେ ଭୋଟ ଦେବେ, ନହେଲେ ଭୋଟ ବର୍ଜନ କରିବେ ବୋଲି ସିଧା ସିଧା କହିଛନ୍ତି ଏହି ବସ୍ତି ବାସିନ୍ଦା ।

ବିଜେଡି-ବିଜେପି ମଧ୍ୟରେ ଟକ୍କର !: ତେବେ ଲୋକସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ସମର୍ଥନ କରିଛନ୍ତି କିଛି ଭୋଟର । ତାଙ୍କ ବ୍ୟକ୍ତିତ୍ଵ, ରାଷ୍ଟ୍ରୀୟସ୍ତରରେ ଜଣେ ହେଭିୱେଟ ନେତା ହୋଇଥିବାରୁ ସମ୍ବିତଙ୍କୁ ଅନେକ ଭୋଟର ଭୋଟ ଦେବା ପାଇଁ ପସନ୍ଦ କରିଛନ୍ତି । କେତେକ ବୁଦ୍ଧିଜୀବୀ କହିଛନ୍ତି, "ପୁରୀ ବିକାଶ ବିଜେଡି ସରକାରରେ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗ ସହ ରାସ୍ତା ଘାଟ ଭଳି ଅନେକ ଉନ୍ନତି ହୋଇଛି । ପୁରୀ ସହରବାସୀଙ୍କ ଦୀର୍ଘ ଦିନର ଥିବା ପଟ୍ଟା ସମସ୍ୟା ରାଜ୍ୟ ସରକାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।" ଏଣୁ ପୁରୀ ଭୋଟର ବିଜେଡି ସରକାର ସହ ରହିବେ ବୋଲି କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ହାଲଚାଲ୍‌: କଳାହାଣ୍ଡିରେ କଣ ରହିଛି ଯୁବ ଭୋଟରଙ୍କ ମୁଡ, ପରଖିଲା ଇଟିଭି ଭାରତ - General Election 2024

ଯୁବ ଭୋଟରଙ୍କ ମୁଡ୍‌: କେତେକ ଯୁବ ଭୋଟର ବିଜେଡି ସରକାରର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି । କେବଳ ସରକାର ଶ୍ରୀମନ୍ଦିର ଚାରିପାଖ, ସମୁଦ୍ର କୂଳ ଅଞ୍ଚଳକୁ ପର୍ଯଟକଙ୍କ ସୁବିଧା ପାଇଁ ବିକାଶ କଲେ । ହେଲେ ପୁରୀ ପୌରାଞ୍ଚଳରେ ବ୍ୟାପକ ଅବ୍ୟବସ୍ଥା ଥିବାବେଳେ ଏହାର ସମାଧାନ ପାଇଁ ସରକାର ପଦକ୍ଷେପ ନେଉନାହାନ୍ତି । ଏଣୁ ରାଜ୍ୟ ସରକାରଙ୍କ ଉପରେ ପୁରୀ ବାସିନ୍ଦା ଅସନ୍ତୁଷ୍ଟ ଥିବାବେଳେ ଏହା ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଯୁବ ଭୋଟର ମତ ଦେଇଛନ୍ତି । କିଛି ଯୁବ ଭୋଟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଧାରାକୁ ବେଶ୍ ପସନ୍ଦ କରୁଥିବା ବେଳେ ବିଜେପିକୁ ଭୋଟ ଦେବା ପାଇଁ ଅନେକ ପ୍ରସ୍ତୁତ ଥିବା ମତ ଦେଇଛନ୍ତି ।

'ସମସ୍ୟା ସମାଧାନ କଲେ ମିଳିବ ଭୋଟ': କେତେକ ଭୋଟର କହିଛନ୍ତି ପୁରୀ ବାସିନ୍ଦା ତାଙ୍କ ପରିବାର ଲୋକଙ୍କୁ ନେଇ ଭଲରେ ଟିକେ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହାଁନ୍ତି । ଦର୍ଶନ ପାଇଁ ପୂର୍ବରୁ ମାତ୍ର ୧୫ରୁ ୨୦ ମିନିଟ ଲାଗୁଥିବାବେଳେ ଏହା ଏବେ ୩ ଘଣ୍ଟାରୁ ଅଧିକ ସମୟ ଲାଗୁଛି । ସାଧାରଣ ଭକ୍ତଙ୍କ ସହ ସେମାନେ ଲାଇନରେ ଯାଉଛନ୍ତି । ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ନେଇ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ନାହିଁ । ଯାହାକୁ ନେଇ ବେଶ ଅସନ୍ତୋଷ ରହିଛି । ସେହିଭଳି ଯେଉଁ ଦଳର ପ୍ରାର୍ଥୀ ହୁଅନ୍ତୁ, ଯେଉଁ ପ୍ରାର୍ଥୀ ସାଧାରଣ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇଛି, ପୁରୀ ସହରର ବିକାଶ କରିଛି ସେହି ପ୍ରାର୍ଥୀକୁ ହିଁ ବାଛିବେ ଭୋଟର । ସେହିପରି କିଛି ବ୍ୟବସାୟୀ କହିଛନ୍ତି, "ଗରିବ ଉଠା ଦୋକାନୀଙ୍କୁ ସରକାର ବଡ଼ଦାଣ୍ଡରୁ ଉଚ୍ଛେଦ କଲେ । ହେଲେ ଠିକରେ ଥଇଥାନ କଲେ ନାହିଁ । ଗରିବ ଉଠା ଦୋକାନୀ ଜୀବିକା ହରାଇ ବହୁ କଷ୍ଟରେ ଅଛନ୍ତି ।" ଯିଏ ଗରିବ ଉଠା ଦୋକାନୀଙ୍କ ଥଇଥାନରେ ସହଯୋଗ କରିବ, ସେହି ପ୍ରାର୍ଥୀକୁ ଆମେ ଭୋଟ ଦେବୁ ବୋଲି ଉଠା ଦୋକାନୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରଘୁନାଥପାଲ୍ଲୀରେ ଭୋଟରଙ୍କ ମୁଡ ପରଖିଲା ଇଟିଭି ଭାରତ: ମାଳ ମାଳ ସମସ୍ୟା, ବିଧାୟକ ଉପରେ ଅସନ୍ତୁଷ୍ଟ ଜନତା - General Election 2024

'ଶଙ୍ଖ-ପଦ୍ମ ଅପେକ୍ଷା 'ନୋଟା' ଶ୍ରେୟସ୍କର': ଅନ୍ୟପଟେ କେତେକ ଭୋଟର ପୁରୀରେ ଦିଆଯାଇଥିବା ବିଜେପି ଓ ବିଜେଡିର ପ୍ରାର୍ଥୀଙ୍କୁ ପସନ୍ଦ କରୁନାହାଁନ୍ତି । ଯିଏ ପ୍ରାର୍ଥୀ ହୋଇଛନ୍ତି ସେମାନେ ପୁରୀ ବାସିନ୍ଦାଙ୍କର କୌଣସି ଉନ୍ନତି କରିନାହାନ୍ତି । ଏହି ପ୍ରାର୍ଥୀଙ୍କ ପୁରୀ ସହିତ କୌଣସି ସମ୍ପର୍କ ନାହିଁ। ସେହିପରି ନେତାମାନେ ଯେଭଳି ନିଜ ସ୍ବାର୍ଥ ପାଇଁ ବିଭିନ୍ନ ଦଳକୁ ଡିଆଁ ମାରୁଛନ୍ତି, ତାହା ଲୋକଙ୍କ ଭରସା ଉଜାଡି ଦେଇଛି । ଏଣୁ ପୁରୀରେ ଅନେକ ଭୋଟର କୌଣସି ଦଳକୁ ଭୋଟ ଦେବା ଅପେକ୍ଷା ନୋଟାକୁ ଭୋଟ ଦେବା ଶ୍ରେୟସ୍କର ହେବ ବୋଲି ମତ ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.