ETV Bharat / state

୨୬ରୁ ମାଆ ତାରାତାରିଣୀଙ୍କ ଚୈତ୍ର ପର୍ବ, ପ୍ରସ୍ତୁତି ବୈଠକ ଶେଷ

author img

By ETV Bharat Odisha Team

Published : Mar 12, 2024, 7:51 AM IST

Chaitra Festival: ଆସନ୍ତା ୨୬ରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀ ପୀଠରେ ଆରମ୍ଭ ଚୈତ୍ର ପର୍ବ । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ

Chaitra Festival
Chaitra Festival

ବ୍ରହ୍ମପୁର: ଚଳିତ ମାସ ୨୬ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ପର୍ବ ଆରମ୍ଭ ହେବ । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନର ପକ୍ଷରୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଗତକାଲି(ସୋମବାର) ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପାଞ୍ଚୋଟି ମଙ୍ଗଳବାର ଅର୍ଥାତ୍ ମାର୍ଚ୍ଚ ୨୬, ଅପ୍ରେଲ ୨, ୯ ,୧୬ ଓ ୨୩ ତାରିଖ ଦିନ ଏହି ପର୍ବ ଅନୁଷ୍ଠିତ ହେବ । ତେବେ ଏହାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଚଳିତ ଥର ମାଆଙ୍କ ଦର୍ଶନ ପାଇଁ ବହୁସଂଖ୍ୟକ ଭକ୍ତ ତଥା ମାନସିକଧାରୀଙ୍କ ସମାଗମ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭକ୍ତମାନଙ୍କ ଯାତାୟତ, ସେମାନଙ୍କ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ମୁଣ୍ଡନ ସକାଶେ ସ୍ଥାନ, ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ ଇତ୍ୟାଦିର ସୁବ୍ୟବସ୍ଥା କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ ଜଣାଇ ଚୈତ୍ର ପର୍ବ ଆୟୋଜନ ପାଇଁ ବିଭିନ୍ନ ପ୍ରସ୍ତାବଗୁଡିକ ଆଗତ କରିଥିଲେ । ମନ୍ଦିରର ସାଜସଜ୍ଜା, ତୋରଣ ନିର୍ମାଣ, ଦୈନିକ ପୂଜାବିଧି, ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା ସହିତ ମୁଣ୍ଡନ ଲାଗି ବିଗତ ବର୍ଷ ଭଳି ଚାରୋଟି ସ୍ଥାନ ସହିତ ଅତିରିକ୍ତ ଅନ୍ୟ ଦୁଇଟି ସ୍ଥାନକୁ ମିଶାଯାଇ ସମୁଦାୟ ୬ ଗୋଟି ସ୍ଥାନ କରାଯିବ ।

ନଦୀ କୂଳରେ ଭକ୍ତଗଣ ଯେପରି ସୁବିଧାରେ ସ୍ନାନ କରିବା ସହିତ ଜଳ ଉଠାଇ ପାରିବେ ସେଥିପାଇଁ ଆଲୋକୀକରଣ ଓ ଅନ୍ୟାନ୍ୟ ବନ୍ଦୋବସ୍ତ କରାଯିବ । ସେହିପରି ମନ୍ଦିର ପରିସରରେ ମାଙ୍କଡମାନଙ୍କ ଉପଦ୍ରବ ରୋକିବା ଏବଂ ନିୟମିତ ସେମାନଙ୍କ ମଳ ପରିସ୍କାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ତିନିଗୋଟି ସ୍ଥାନରେ ଯାନବାହନ ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ । ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଯଥେଷ୍ଟ ପରିମାଣରେ କରାଯିବ । ଅସ୍ଥାୟୀ ପରିସ୍ରାଗାର ନିର୍ମାଣ ହେବ । ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତାୟତ ନିମନ୍ତେ ବିଗତ ବର୍ଷ ୬ଟି ବସ୍ ନିୟୋଜିତ ହୋଇଥିବାବେଳେ ଚଳିତ ବର୍ଷ ବସ୍‌ ସଂଖ୍ୟା ୨୦ ରୁ ୨୫କୁ ବୃଦ୍ଧି କରାଯିବ । ଅଗ୍ନିଶମ ନିର୍ବାପକ, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସମେତ ଅଂଶୁଘାତ ଚିକିତ୍ସା ନିମନ୍ତେ ନିକଟସ୍ଥ ଚିକିତ୍ସାଳୟରେ ପୂର୍ବପ୍ରସ୍ତୁତି କରିବାକୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ - ଶିବରାତ୍ରୀରେ ଚଳଚଞ୍ଚଳ ଧବଳେଶ୍ୱର ପୀଠ, ରାତି ୧ଟାରେ ମହାଦୀପ

ବିଗତ ବର୍ଷ ଯାହା ସବୁ ଅସୁବିଧା ହୋଇଥିଲା ତାହା ଯେପରି ପୁନରାବୃତ୍ତି ହେବ ନାହିଁ ସେଥିନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଟେଲ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ବ୍ରହ୍ମପୁର ଉନ୍ନୟନ ପରିଷଦ ସଚିବ ରମେଶ ହାଁସଦା, ଏସ୍.ଡି.ପି.ଓ ରଜନୀକାନ୍ତ ସାମଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ବରିଷ୍ଠ ସେବାୟତ ବାପୁଜୀ ରଣାଙ୍କ ସମେତ ସେବାୟତ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.