ETV Bharat / state

AIIMS ଭୁବନେଶ୍ୱରରେ କାଏଜ୍‌ମା-୨୦୨୪; ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

author img

By ETV Bharat Odisha Team

Published : Feb 28, 2024, 10:27 AM IST

AIIMS Bhubaneswar Chiasma 2024: ଏମ୍ସ ଭୁବନେଶ୍ୱର କାଏଜ୍‌ମା-୨୦୨୪ । ଏହି ଜାତୀୟ ଅନୁଷ୍ଠାନକୁ ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଅଧିକ ପଢ଼ନ୍ତୁ

ଏମ୍ସ ଭୁବନେଶ୍ୱରରେ କାଏଜ୍‌ମା-୨୦୨୪
ଏମ୍ସ ଭୁବନେଶ୍ୱରରେ କାଏଜ୍‌ମା-୨୦୨୪

ଭୁବନେଶ୍ବର: ଏମ୍ସ ଭୁବନେଶ୍ୱର କାଏଜ୍‌ମା-୨୦୨୪ ଉଦଘାଟିତ ହୋଇଛି । ରାଜ୍ୟପାଳଙ୍କ ପ୍ରଥମ ଏମ୍ସ ଗସ୍ତରେ ଏହି ଜାତୀୟ ଅନୁଷ୍ଠାନକୁ ଦେଶର ସର୍ବୋଚ୍ଚ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ଦେଇଛନ୍ତି । ଆସନ୍ତା 3 ତାରିଖ ପ୍ରର୍ଯ୍ୟନ୍ତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଖ୍ୟାତି ସମ୍ପନ୍ନ ଶିକ୍ଷାନୁଷ୍ଠାନରୁ ପ୍ରାୟ ୪ ହଜାରରୁ ଊର୍ଧ୍ବ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ କରିଛନ୍ତି ।

ମାନ୍ୟବର ରାଜ୍ୟପାଳ ରଘୁବର ଦାସ କହିଛନ୍ତି " କୋଭିଡ ମହାମାରୀ ସମୟରେ ଏମ୍ସ ଭୁବନେଶ୍ୱର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ଅବଦାନ ଅତୁଳନୀୟ । ବିକଶିତ ଭାରତର ପ୍ରକୃତ ଭାବନା ପୂରଣ କରିବାରେ ଦେଶର ଯୁବଗୋଷ୍ଠୀ ସମ୍ମୁଖଭାଗରେ ରହିଛନ୍ତି । ଏଥିସହ ଷ୍ଟାର୍ଟ ଅପ୍ ଇଣ୍ଡିଆ, ଖେଲୋ ଇଣ୍ଡିଆ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଅନ୍ୟାନ୍ୟ ଯୁବକେନ୍ଦ୍ରିକ କାର୍ଯ୍ୟକ୍ରମରେ ଦେଶର ଯୁବଗୋଷ୍ଠୀଙ୍କ ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ "। ଏମ୍‌ସ ଭୁବନେଶ୍ବର ଛାତ୍ର ସଂସଦ ପକ୍ଷରୁ ଆୟୋଜିତ କାଏଜ୍‌ମା-୨୦୨୪ ଉତ୍ସବକୁ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ରାଜ୍ୟପାଳ ।

ଏହାସହ ଏହି ଜାତୀୟ ଅନୁଷ୍ଠାନକୁ ପ୍ରଥମ ଗସ୍ତବେଳେ ରାଜ୍ୟପାଳ ରଘୁବର ଦାସ ଏମ୍‌ସ ଭୁବନେଶ୍ୱରକୁ ଦେଶର ସର୍ବୋଚ୍ଚ ଚିକିତ୍ସା ପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । କାଏଜ୍‌ମା ଭଳି ମେଗା କାର୍ଯ୍ୟକ୍ରମରେ କ୍ରୀଡ଼ା, ସଂସ୍କୃତି ଏବଂ ସାହିତ୍ୟକୁ ଅନ୍ତର୍ଭୁକ୍ତ କରିଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିବା ସହିତ ଏମ୍‌ସ ଭୁବନେଶ୍ବରର ଛାତ୍ର ସଂସଦକୁ ପ୍ରଶଂସା ମଧ୍ୟ କରିଛନ୍ତି । ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମର ବ୍ୟାପକତାକୁ ପ୍ରମାଣ କରିବା ସହିତ ଏକ ନିଆରା ଅନୁଭବ ଆଣିଦେବ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଉତ୍କଳ ବିଶ୍ଵବିଦ୍ୟାଳୟର ସମାଵର୍ତ୍ତନ ଉତ୍ସବ, ୩ ମେଧାବୀଙ୍କୁ ମିଳିବ ଡକ୍ଟରକେଟ ଉପାଧି

ସୂଚନା ଅନୁଯାୟୀ, ଏମ୍ସ ଭୁବନେଶ୍ୱର ଛାତ୍ର ସଂସଦ ପକ୍ଷରୁ ଆୟୋଜିତ କାଏଜ୍‌ମା, ପୂର୍ବ ଭାରତର ଏକ ବୃହତ୍‌ କଲେଜ ଫେଷ୍ଟ ଭାବେ ପରିଚୟ ହାସଲ କରିଛି । ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଏକାଡେମିକ୍‌ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ, ସାହିତ୍ୟିକ, କ୍ରୀଡ଼ା, ଏବଂ ମନୋରଂଜନ ଭିତ୍ତିକ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ। ଏଥିସହିତ କାଏଜ୍‌ମା-୨୦୨୪ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନର ଅବସର ରଖିଛି । ଚଳିତ ମାସ ୨୯ ତାରିଖ (ଗୁରୁବାର) ସନ୍ଧ୍ୟାକୁ ପ୍ରସିଦ୍ଧ ହାସ୍ୟ କଳାକାର ତଥା ୟୁଟ୍ୟୁବ୍‌ ତାରକା ଅଭିମନ୍ୟୁ ଉପମନ୍ୟୁ ତାଙ୍କ ବ୍ୟଙ୍ଗ ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କୁ ମଉଜ କରିବେ । ସେହିପରି ବଲିଉଡ୍‌ର ଲୋକପ୍ରିୟ ପ୍ଲେବ୍ୟାକ୍‌ ସିଙ୍ଗର୍‌ ମୋହିତ ଚୌହାନ୍ୟ ଆସନ୍ତା ମାସ ୨ ତାରିଖ (ଶନିବାର) ସନ୍ଧ୍ୟାକୁ ଝୁମାଇବାର କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଛି । ଏହାସହ ଆହୁରି ଅନେକ ଖ୍ୟାତିସମ୍ପନ୍ନ ଡିଜେ କଳାକାରଙ୍କ ପ୍ରଦର୍ଶନ ମଧ୍ୟ ରହିଥିବା ସଭାପତି ଦିବ୍ୟଜ୍ୟୋତି ସୂଚନା ଦେଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.