ETV Bharat / state

ଶେଷ ଅଧିବେଶନ ପାଇଁ ବସିଲା ସର୍ବଦଳୀୟ ବୈଠକ; ସହଯୋଗ ଲୋଡିଲେ ବାଚସ୍ପତି

author img

By ETV Bharat Odisha Team

Published : Feb 4, 2024, 9:57 PM IST

Updated : Feb 4, 2024, 10:30 PM IST

All Party Meeting for Last Session of 16th Assembly: ଆସନ୍ତାକାଲି ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ । ଏନେଇ ଆଜି ବାଚସ୍ପତିଙ୍କ ପ୍ରକୋଷ୍ଠରେ ବସିଥିଲା ସର୍ବଦଳୀୟ ବୈଠକ । ଶେଷ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତଙ୍କ ସହ ସହଯୋଗ ଲୋଡିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିକ ପଢ଼ନ୍ତୁ

ଶେଷ ଅଧିବେଶନ ପାଇଁ ବସିଲା ସର୍ବଦଳୀୟ ବୈଠକ
ଶେଷ ଅଧିବେଶନ ପାଇଁ ବସିଲା ସର୍ବଦଳୀୟ ବୈଠକ

ଶେଷ ଅଧିବେଶନ ପାଇଁ ବସିଲା ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି (ସୋମବାର)ଠାରୁ ଆରମ୍ଭ ହେଉଛି ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ । ଅଧିବେଶନ ପୂର୍ବରୁ ଆଜି (ରବିବାର) ସନ୍ଧ୍ୟା ୬.୩୦ରେ ଅନୁଷ୍ଠିତ ହୋଇଛି ବିଧାନସଭାର ସର୍ବଦଳୀୟ ବୈଠକ । ବୈଠକର ଅଧ୍ୟକ୍ଷତା କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ବାଚସ୍ପତିଙ୍କ ପ୍ରକୋଷ୍ଠରେ ବସିଥିବା ବୈଠକରେ ବିଧାନସଭାକୁ ସୁରୁଖୁରୁରେ ଚଳାଇବା ଲାଗି ସମସ୍ତଙ୍କ ସହ ସହଯୋଗ ଲୋଡିଛନ୍ତି ବାଚସ୍ପତି ।

ନବୀନ ସରକାରର ଶେଷ ଅଧିବେଶନ ପାଇଁ ବସିଥିବା ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ବୈଠକରେ ସାମିଲ ହୋଇଥିଲେ । ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଅଧିବେଶନରେ ୮ ତାରିଖରେ କାମଚଳା ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଏହା ମଧ୍ୟ ପଢ଼ନ୍ତୁ...କାଲି ବିଧାନସଭା ବଜେଟ ଅଧିବେଶନ, ସୁରକ୍ଷା ବ୍ୟବସ୍ଥାର ତଦାରଖ କଲେ ଡିଜିପି

ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, "ଆସନ୍ତାକାଲି ଅର୍ଥାତ ୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ। ପୂର୍ବତନ ରାଜ୍ୟପାଳଙ୍କ ଦେହାନ୍ତ ପାଇଁ ୬ ତାରିଖରେ ଶୋକ ପ୍ରସ୍ତାବ ଆଗତ ହେବ । ୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୮ରେ ଭୋଟ ଅନ୍‌ ଆକାଉଣ୍ଟ । ୯ ତାରିଖରେ ଆପ୍ରୋପ୍ରିଏସନ ବିଲ୍‌ ଉପରେ ଆଲୋଚନା । ସହମତିରେ ସବୁ ପ୍ରସ୍ତାବ ପାରିତ ହୋଇଛି । ଆଗରୁ ଯେମିତି ବିଧାନସଭା ଚାଲୁଥିଲା ସେମିତି ଚାଲିବ ।"

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି, "ଶେଷ ଅଧିବେଶନ । ୨୦୨୪/୨୫ ବର୍ଷ ପାଇଁ ଭୋଟ ଅନ୍‌ ଆକାଉଣ୍ଟ ଆସିବ । ଯେହେତୁ ନିର୍ବାଚନ ଆଖି ଆଗରେ, ପ୍ରତି ୫ ବର୍ଷରେ ଥରେ ଭୋଟ ଅନ୍‌ ଆକାଉଣ୍ଟ ଆସେ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ପ୍ରଶ୍ନର ଆଲୋଚନା ପାଇଁ ସୀମିତ ସମୟ ଅଛି । ୫ ତାରିଖରେ ହାଉସ ମୁଲତବୀ ହୋଇଯିବ । ୬ ଗୃହ ଚାଲିବ ନାହିଁ । ଗୋଟିଏ ଦିନ ଆଲୋଚନା ଓ ଅନ୍ୟ ଦିନରେ ବଜେଟ ଆସିବ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବିଧାନସଭାରେ ଆଲୋଚନା ହୋଇପାରିବ ନାହିଁ । ମାପିଚୁପି ଶାସକ ଦଳ ଅଧିବେଶନକୁ ଛୋଟେଇ ଦେଇଛନ୍ତି । ତଥାପି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆମେ ଉଠାଇବୁ । ସରକାର ଯେଭଳି ସାଢ଼େ ୪ କୋଟି ଓଡ଼ିଆଙ୍କ ଅର୍ଥକୁ ବିନା କାରଣରେ ଖର୍ଚ୍ଚ କରୁଛନ୍ତି । 'ନୂଆ ଓ' ନାଁରେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ବର୍ବାଦ କରିଦିଆଗଲା । ୩ ମାସ ହେଲା ଶିକ୍ଷା ବ୍ୟବସ୍ଥାକୁ ଧ୍ୱସ୍ତ ବିଧ୍ୱସ୍ତ କରି ଦିଆଯାଇଛି । ୫ ଦିନରେ ୫ ବର୍ଷରେ ବିକାଶ ନାଁ'ରେ ସରକାର ଯେଉଁ ଧୋକା ଓ ପ୍ରତାରଣା ଦେଇଛନ୍ତି ଲୋକଙ୍କ ପାଖକୁ ନେଇକି ଯିବୁ ।"

ଏହା ମଧ୍ୟ ପଢ଼ନ୍ତୁ...ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ, ୪ରେ ସର୍ବଦଳୀୟ ବୈଠକ

ସେହିପରି ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ସର୍ବସମ୍ମତି କ୍ରମେ ସବୁ ବିଷୟରେ ଆଲୋଚନା ହୋଇଛି । ଆଲୋଚନା ସଫଳ ହୋଇଛି । ବିଧାନସଭା ସୁରୁଖୁରୁରେ ଚଳାଇବା ଲାଗି ସବୁ ଦଳ ଗଠନମୂଳକ ପରାମର୍ଶ ଦେଇଛନ୍ତି । ଆମର ଆଶା ଯେତିକି କାର୍ଯ୍ୟ ଦିବସ ଅଛି ବିଧାନସଭା ସୁରୁଖୁରୁରେ ଚାଲିବ । ଗଠନମୂଳକ ଆଲୋଚନା ହେବ । ବିଧାନସଭା ବିଜ୍ଞପ୍ତି ଅନୁସାରେ ଚଳିତ ଅଧିବେଶନରେ ରହିଛି ୭ କାର୍ଯ୍ୟ ଦିବସ । ଫେବୃଆରୀ ୫ ତାରିଖରେ ରାଜ୍ୟପାଳ ରଘୁବର ଦାସ ରଖିବେ ଅଭିଭାଷଣ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୬ ଓ ୭ ତାରିଖରେ ଧନ୍ୟବାଦ ପ୍ରସ୍ତାବ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଫେବୃଆରୀ ୮ରେ କାମଚଳା ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ । ୯ ତାରିଖରେ ବଜେଟ ଉପରେ ଆଲୋଚନା ହେବ । ଶନିବାର ଓ ରବିବାର ଅର୍ଥାତ ୧୦ ଓ ୧୧ ଛୁଟି ରହିଛି । ୧୩ ତାରିଖ ଚଳିତ ଅଧିବେଶନର ଶେଷ ଦିବସ ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 4, 2024, 10:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.