ETV Bharat / state

ଦୂର ହେଉନି ଜଳକଷ୍ଟ, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ - water problem

author img

By ETV Bharat Odisha Team

Published : May 9, 2024, 11:55 AM IST

Water problem in Balangir: ପାଣି ସମସ୍ୟାରେ ଜର୍ଜରିତ ଜାଲପାଳି ଗ୍ରାମବାସୀ । ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଶତାଧିକ ମହିଳା । ପାଣି ନାହିଁ ତ ଭୋଟ ନାହିଁ ବୋଲି ଦେଲେ ଚେତାବନୀ । ଅଧିକ ପଢନ୍ତୁ

WATER PROBLEM
WATER PROBLEM (ETV Bharat Odisha)

ବଲାଙ୍ଗୀର: ନିର୍ବାଚନକୁ ଆଉ ମାତ୍ର କମ ଦିନ ଥିବାବେଳେ ଏହା ପୂର୍ବରୁ ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ । ପାଣି ନାହିଁ ତ ଭୋଟ ନାହିଁ ନାରା ଦେଇ ହାତରେ ମାଠିଆ ଧରି ପ୍ରଶାସନର ଦ୍ବାରସ୍ଥ ହେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଜାଲପାଳି ଗାଁର ଶତାଧିକ ମହିଳା । ନିର୍ବାଚନ ପୂର୍ବରୁ ପିଇବା ପାଣି ସମସ୍ୟା ସମାଧାନ ନହେଲେ ଭୋଟ ଦେବେ ନାହିଁ ବୋଲି ଚେତାବନୀ ଦେଇ ଉପଜିଲ୍ଲାପାଳ ଅଫିସ ଆଗରେ ଧାରାଣାରେ ବସିଛନ୍ତି ।

ଅଭିଯୋଗ ମୁତାବିକ, ଦୀର୍ଘ ବର୍ଷ ହେଲା ଜାଲପାଳି ଗାଁରେ ପାଣି ସମସ୍ୟା ଲାଗି ରହିଛି । ଏନେଇ ଲୋକେ ପ୍ରଶାସନକୁ ଜଣାଇଥିଲେ ବି କିଛି ସୁଫଳ ମିଳୁନାହିଁ । ସ୍ଥାନୀୟ ବିଧାୟକଙ୍କୁ ସମସ୍ୟା ସମ୍ପର୍କରେ ଜଣେଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଏପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନଳକୂପ ଉପରେ ଗ୍ରାମବାସୀ ନିର୍ଭର କରି ରହିଆସୁଛନ୍ତି । ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମବାସୀ ପ୍ରଶାସନକୁ ବାରମ୍ବାର ଜଣାଇ ବିଫଳ ହେବା ପରେ ଶେଷରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲେ । ଗତକାଲି (ବୁଧବାର) ଗ୍ରାମର ଶତାଧିକ ମହିଳା ହାତରେ ମାଠିଆ ଧରି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବା ସହ ପାଣି ଯୋଗାଇ ନଦେଲେ ଭୋଟ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ମହାନଦୀ କୂଳରେ ଘର; ମିଳୁନି ପିଇବା ପାଣି, ଭୋଟ ବର୍ଜନ ପାଇଁ ଚେତାବନୀ - WATER PROBLEM

ଆନ୍ଦୋଳନରତ ମହିଳା କହିଛନ୍ତି ଯେ, ଗାଆଁରେ ଦୁଇରୁ ତିନୋଟି ନଳକୂପ ରହିଛି । ଯେଉଁଥିରେ ଦୂଷିତ ପାଣି ବାହାରୁଛି । ଯାହାଫଳରେ ଲୋକେ ନଦୀରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି । ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ, ନେତା ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ । ଶେଷରେ ଆମେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲୁ । ଆଗକୁ ସମସ୍ୟାର ସମାଧାନ ନହେଲେ ଆମେ ଭୋଟ ବର୍ଜନ କରିବୁ । ସେପଟେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.