ETV Bharat / state

ନିଆରା ବିବାହ, ବୈଦିକ ରୀତିରେ ବର ସହ ଅଶ୍ୱତ୍ଥ ଗଛର ବାହାଘର

author img

By ETV Bharat Odisha Team

Published : Feb 22, 2024, 8:25 AM IST

କରାଗଲା ବର ଏବଂ ଅଶ୍ୱସ୍ଥ ଗଛର ବାହାଘର, ପରିବେଶ ହେଲା ଭକ୍ତିମୟ
କରାଗଲା ବର ଏବଂ ଅଶ୍ୱସ୍ଥ ଗଛର ବାହାଘର, ପରିବେଶ ହେଲା ଭକ୍ତିମୟ

Peepal Tree Banyan Tree Marriage: ବର ଏବଂ ଅଶ୍ୱତ୍ଥ ଗଛର ଚାଲିଛି ବାହାଘର । ଏଭଳି ଏକ ବାହାଘର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ପାଖର ଗ୍ରାମରେ । ଅଧିକ ପଢ଼ନ୍ତୁ

କରାଗଲା ବର ଏବଂ ଅଶ୍ୱସ୍ଥ ଗଛର ବାହାଘର, ପରିବେଶ ହେଲା ଭକ୍ତିମୟ

ବାଲେଶ୍ବର: ବନ୍ଧା ହୋଇଛି ବେଦୀ, ଜଳୁଛି ହୋମ ନିଆଁ । ବର କନିଆ ସଜେଇ ହୋଇସାରିଛନ୍ତି । ପୁରୋହିତ ମନ୍ତ୍ର ପଢି ଉଭୟଙ୍କୁ ସାତ ଜନ୍ମର ସାଥି କରିବା ପାଇଁ ପୂଜାର୍ଚ୍ଚନା ଚଳାଇଛନ୍ତି । ଭୋଜି ଭାତର ମଧ୍ୟ ଆୟୋଜନ ହୋଇଛି । ବର କନିଆ ବେଶରେ ବେଶ ସୁନ୍ଦର ଦିଶୁଛନ୍ତି ଯୁଗଳ । ତେବେ ଏଠାରେ କୌଣସି ମଣିଷର ବାହାଘରର ଆୟୋଜନ ନୁହେଁ ବରଂ ଦୁଇଟି ଗଛର ବାହାଘର । ବର ଏବଂ ଅଶ୍ୱତ୍ଥ ଗଛର ଚାଲିଛି ବାହାଘର । ଏହି ଭଳି ଏକ ବାହାଘର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ପାଖର ଗ୍ରାମରେ ।

ବାଣ ରୋଷଣୀ ସାଙ୍ଗକୁ ଢୋଲ ତାମସା ବାଜୁଛି, ଲୋକମାନେ ଆନନ୍ଦରେ ବାହାଘରର ମଜା ନେଉଛନ୍ତି । କାହିଁକି ନା ପ୍ରକୃତିକୁ ପରା ତାର ଉପହାର ପୁଣି ଫେରାଇବାକୁ ପଡିବ । ସେହି ଖୁସିରେ ସମସ୍ତେ ମସଗୁଲ ହୋଇ ଯାଇଛନ୍ତି । ତେବେ ଏହି ବିବାହ ସୋର ବ୍ଲକର ଜଣେ ଅବସର ପ୍ରାପ୍ତ ଶିକ୍ଷକ କରାଇ ଏବେ ସମସ୍ତଙ୍କ ପ୍ରଶଂସା ସାଉଁଟିଛନ୍ତି । ଅବସରପ୍ରାପ୍ତ ଶିକ୍ଷକ କରୁଣାକର ପାଣିଗ୍ରାହୀ ୨୦୧୫ମସିହା ଏପ୍ରିଲ ମାସରେ ଘରେ ବସିଥିବା ବେଳେ ଦେଖିବାକୁ ପାଇଥିଲେ ତାଙ୍କ ନଡ଼ା ଛପର ଘର ଉପରେ ଦୁଇଟି ବର ଅଶ୍ୱତ୍ଥ ଗଛ ଖରାରେ ଝାଉଁଳି ହୋଇ ପଡ଼ି ରହିଥିଲେ । ସେହି ଦୁଇଟି ଗଛକୁ ଶିକ୍ଷକ ଜଣକ ଆଣି ଘର ଠାରୁ ୫ଶହ ମିଟର ଦୂର ଏକ ସରକାରୀ ଜାଗାରେ ପୋତି ସେଥିରେ ପାଣି ଏବଂ ଖତ ଦେଇ ବଞ୍ଚାଇ ରଖିଥିଲେ । ସେହି ଦୁଇଟି ଗଛ ଯେତେବେଳେ ବଡ ହୋଇଯାଇଥିଲା ସେତେବେଳେ କରୁଣାକର ଦୁଇଟି ଯାକ ଗଛର ବିବାହ କରିବେ ବୋଲି ମନସ୍ତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...... ବ୍ରହ୍ମପୁରର ୮ମ ଶ୍ରେଣୀ ଛାତ୍ରୀ ଇରାଙ୍କ କମାଲ, Saxophone ବଜାଇ ଜିତୁଛନ୍ତି ମନ

କଥାରେ ଅଛି, ବର ଗଛରେ ଲକ୍ଷ୍ମୀ ବାସ କରନ୍ତି ଏବଂ ଅଶ୍ୱତ୍ଥ ଗଛରେ ନାରାୟଣ ବାସ କରନ୍ତି । ଏହି ବିଶ୍ୱାସ ନେଇ କରୁଣାକର ଜ୍ୟୋତିଷଙ୍କୁ ଡାକି ଲଗ୍ନ ସ୍ଥିର କରାଇଥିଲେ । ପରେ ଉପଯୁକ୍ତ ସମୟ ଏବଂ ଲଗ୍ନ ଅନୁସାରେ ଦୁଇଟି ଗଛର ବିବାହ ପାଇଁ ସ୍ଥିର କରାଯାଇଥିଲା । ବିବାହରେ ଯେଉଁଭଳି ଭାବେ ଗୁଆ ମଙ୍ଗନ ଏବଂ ଢିଙ୍କି ମଙ୍ଗନ ହେବା କଥା ପ୍ରଥା ଅନୁସାରେ ସେଇଭଳି କରାଯାଇଥିଲା । ୭୦ ଘର ବନ୍ଧୁ ବାନ୍ଧବ ଘରେ ଗୁଆ ପକାଯାଇଥିଲା । ପରେ ଲକ୍ଷ୍ମୀ ନାରାୟଣଙ୍କ ବିଧି ଅନୁସାରେ ୪ଜଣ ବ୍ରାହ୍ମଣ ମନ୍ତ୍ର ପାଠ କରି ବର ଏବଂ ଅଶ୍ୱସ୍ଥ ଗଛର ବାହାଘର କରିଥିଲେ । କର୍ତ୍ତା ଏବଂ କର୍ତ୍ତି ଭାବରେ କରୁଣାକର ପାଣିଗ୍ରାହୀ ଏବଂ ତାଙ୍କ ପତ୍ନୀ ଗୀତାରାଣୀ ପାଣିଗ୍ରାହି ପୂଜା ମଣ୍ଡପରେ ବସି ପୂଜା କରିଥିଲେ । ଢୋଲ ବାଜାରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ନିକଟସ୍ଥ ସାତ ଖଣ୍ଡ ଗ୍ରାମକୁ ଏହି ବିବାହରେ ଯୋଗଦେବାପାଇଁ ନିମନ୍ତ୍ରଣ କରାଯାଇଥିବା ବେଳେ ଏଥିରେ 700ରୁ ଅଧିକ ଲୋକ ସାମିଲ ହୋଇ ଭୋଜି ଖାଇଥିଲେ । ବିବାହ ସମ୍ପନ୍ନ ହେବାପରେ ବନ୍ଧୁ ବାନ୍ଧବଙ୍କୁ ଲୁଗା ପଟା ଦେଇ ବିଦା କରାଯାଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.