ETV Bharat / state

କିଡନୀ ରୋଗରେ ପୀଡିତ ପ୍ରଭୁ, ସହାୟତା ପାଇଁ ପରିବାରର ଆକୁଳ ନିବେଦନ

author img

By ETV Bharat Odisha Team

Published : Mar 8, 2024, 7:30 AM IST

Prabhu Prakash Seeking Help For Treatment: କିଡନୀ ରୋଗରେ ପୀଡିତ ବଲାଙ୍ଗୀର ସହର ଇନ୍ଦିରା ନଗରର ପ୍ରଭୁ ପ୍ରକାଶ ନାୟକ । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ପାଇଁ ପରିବାରର ନିବେଦନ । ଅଧିକ ପଢନ୍ତୁ

Prabhu Prakash Seeking Help
Prabhu Prakash Seeking Help

Prabhu Prakash Seeking Help

ବଲାଙ୍ଗୀର: ଦଇବର ଲୀଳା ବଡ଼ ବିଚିତ୍ର । କିଏ ଟଙ୍କା ଗଦା ଉପରେ ଶୋଉଛି ତ ଆଉ କିଏ ଅର୍ଥ ଅଭାବରୁ ଜୀବନ ସହ ସଂଗ୍ରାମ କରୁଛି । ଦୁର୍ଦ୍ଦିନରେ କଟୁଛି ପରିବାର ଜୀବନ । ସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରୁଥିଲେ ମଧ୍ୟ ତାହା ସଠିକ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ସେମିତି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି ବଲାଙ୍ଗୀର ସହର ଇନ୍ଦିରାନଗରର ପ୍ରଭୁ ପ୍ରକାଶ ନାୟକ । ଦିନେ ପ୍ରଭୁ ପ୍ରକାଶ ରୋଜଗାର କରି ଘର ଚଳଉଥିଲେ । ସ୍ତ୍ରୀ ଓ ପରିବାରକୁ ନେଇ ହସଖୁସିରେ ଚାଲିଥିଲା ଅଭାବୀ ସଂସାର । ହେଲେ ଦିନେ ଦୁଃଖର ପାହାଡ ତାଙ୍କ ଉପରେ ଛିଡିପଡିଲା । କିଡନୀ ରୋଗରେ ଆକ୍ରାନ୍ତ ହେଲେ ପ୍ରଭୁ ପ୍ରକାଶ । ଗତ ୮ରୁ ୯ ବର୍ଷ ହେଲା ବିଛଣାରେ ପଡି ଛଟପଟ ହେଉଥିବା ବେଳେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ।

ବଲାଙ୍ଗୀର ସହର ଇନ୍ଦିରାନଗରରେ ରହନ୍ତି ପ୍ରଭୁ ପ୍ରକାଶ ନାୟକ । ଘରେ ସେ ଏକା ରୋଜଗାରିଆ ଥିଲେ । ଦିନେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରି ନିଜ ପରିବାରକୁ ଅତି ହସ ଖୁସିରେ ଚଳାଇ ଆସୁଥିଲେ । ହେଲେ କିଛି ବର୍ଷ ତଳେ ତାଙ୍କୁ କାଶ ହୋଇଥିଲା । ଲମ୍ବା ସମୟ କାଶ ନଛାଡ଼ିବାରୁ ସେ ଡାକ୍ତର ଦେଖାଇଥିଲେ । ଏନେଇ ଡାକ୍ତର ତାଙ୍କୁ ଟିବି ହୋଇଥିବାର କହି ଔଷଧ ଦେଇଥିଲେ । ସେହି ଔଷଧ ଖାଇବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସେ ଡାକ୍ତରଖାନାରେ ଯାଇ ଭର୍ତ୍ତି ହେବା ପରେ ଜଣା ପଡିଥିଲା ଯେ ତାଙ୍କୁ ଭୁଲ ଔଷଧ ଦିଆଯାଇଛି । ତାଙ୍କୁ ଟିବି ରୋଗ ନଥିବାବେଳେ ଟିବି ଔଷଧ ଦିଆଯାଇଛି । ଯାହା ଫଳରେ ତାଙ୍କ ଦୁଇଟି କିଡନୀ ନଷ୍ଟ ହୋଇ ଯାଇଛି । ତେବେ ସେହି ଦିନଠାରୁ ତାଙ୍କର ଚିକିତ୍ସା ପଛରେ ସବୁ ସର୍ବସ୍ବାନ୍ତ ହୋଇଗଲା । ଘରେ ଯାହା ଥିଲା, ସବୁ ବିକି ଭାଙ୍ଗି ଚିକିତ୍ସା ସରିଲାଣି । ହେଲେ ରୋଗ ଭଲ ହେଉନି ।

ଏହା ମଧ୍ୟ ପଢନ୍ତୁ- ଯନ୍ତ୍ରଣାରେ କଟୁଛି ଜୀବନ, ସରକାରୀ ସହାୟତା ଅପେକ୍ଷାରେ ଅୟସକାନ୍ତ

ସେପଟେ ଘର ମୂରବୀ ତଥା ଅଲିଅଳି ପୁଅକୁ ଏଭଳି ଅବସ୍ଥାରେ ଦେଖି ମାଆ ସ୍ଵର୍ଣ୍ଣଲତା ନାୟକଙ୍କ ହୃଦୟ ସବୁବେଳେ କାନ୍ଦୁଛି । ସେ କୌଣସି ମତେ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଏପରିକି ତାଙ୍କର କିଡନୀ ସେ ପୁଅକୁ ଦେଇ ଜୀବନ ବଞ୍ଚାଇବା ପାଇଁ ଶେଷ ଉଦ୍ୟମ କରୁଛନ୍ତି । ହେଲେ ଟଙ୍କା ଅଭାବରୁ ତାହା ମଧ୍ୟ ହୋଇ ପାରୁନାହିଁ । ସେହିପରି ଶଯ୍ୟାଶାୟୀ ଥିବା ପ୍ରଭୁ ପ୍ରକାଶ ନାୟକଙ୍କ ସ୍ତ୍ରୀ ଚନ୍ଦ୍ରମା ନାୟକ ନିଜ ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ସବୁ ସମ୍ଭବ ଚେଷ୍ଟା କରୁଛନ୍ତି । ଦୈନନ୍ଦିନ ସ୍ୱାମୀକୁ ନିଜେ କାନ୍ଧରେ ବୋହି ଡାକ୍ତରଖାନା ନେବା, ଚିକିତ୍ସା କରାଇବା ସହ ଘର ଚଳାଇବାକୁ ରୋଜଗାର ମଧ୍ୟ କରୁଛନ୍ତି । ସେହିପରି ଆବଶ୍ୟକ ଔଷଧ ଯୋଗାଡ କରିବା ପାଇଁ ସେ ନିତି ଦିନ ସଂଘର୍ଷ କରୁଛନ୍ତି । ତେବେ ତାଙ୍କ ଶାଶୂଙ୍କ କିଡନୀ ଲାଗି ପାରିବ ବୋଲି ଡାକ୍ତର କହିଥିବାବେଳେ ବିଭିନ୍ନ ପରୀକ୍ଷା ବି ସରିଛି । ହେଲେ ଏଥିପାଇଁ ଆବଶ୍ୟକ ଥିବା ଲକ୍ଷାଧିକ ଟଙ୍କା ଯୋଗାଡ ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ । ତେଣୁ ପୀଡ଼ିତଙ୍କ ମାଆ ଓ ସ୍ତ୍ରୀ ସରକାର ଓ ବିଭିନ୍ନ ସଙ୍ଗଠନମାନଙ୍କୁ ସାହାଯ୍ୟ ପାଇଁ ନେହୁରା ହୋଇଛନ୍ତି । ହେଲେ ବିଶେଷ କିଛି ଯୋଗାଡ ହୋଇପାରୁନାହିଁ । ତେଣୁ ରାଜ୍ୟ ସରକାର କିଛି ଆର୍ଥିକ ସହାୟତା ଯୋଗାଇଦେଲେ ପ୍ରଭୁ ପ୍ରକାଶଙ୍କ ଜୀବନ ବଞ୍ଚିପାରିବ ବୋଲି କହିଛନ୍ତି ପୀଡିତଙ୍କ ମାଆ । ସେପଟେ ବଲାଙ୍ଗୀର ପୌରଧ୍ୟକ୍ଷା ଏହି ବିଷୟ ଜାଣିବା ପରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସାହାଯ୍ୟ ପାଇଁ ପ୍ରଚେଷ୍ଟା କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.