ETV Bharat / state

ଜମିବାଡ଼ି ବିବାଦର ଉଗ୍ରରୂପ, ଭାଇବହୂକୁ କଟୁରୀରେ ହାଣିଲେ ଦେଢ଼ଶୂର

author img

By ETV Bharat Odisha Team

Published : Jan 24, 2024, 1:14 PM IST

Man attacked sister in law:ଢେଙ୍କାନାଳ ଜିଲ୍ଲା ଭୁବନ NAC ଓ୍ବାର୍ଡ-3ରେ ଦେଢଶୂରର ମରଣାନ୍ତକ ଆକ୍ରମଣରେ ଭାଇବୋହୂ ଆହତ । ନ୍ୟାୟ ପାଇଁ ଥାନାରେ ଦ୍ବାରସ୍ଥ ହେଲେ ମହିଳା । ଅଧିକ ପଢନ୍ତୁ

ଜମିବାଡ଼ିକୁ ନେଇ ବିବାଦ
ଜମିବାଡ଼ିକୁ ନେଇ ବିବାଦ

ଢେଙ୍କାନାଳ: ଜମିବାଡିକୁ କେନ୍ଦ୍ର କରି ବିବାଦ । ଦେଢଶୂରର ମରଣାନ୍ତକ ଆକ୍ରମଣରେ ଭାଇବୋହୂ ଆହତ । ଢେଙ୍କାନାଳ ଜିଲ୍ଲା ଭୁବନ NAC ଓ୍ବାର୍ଡ-3ରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଆହତ ମହିଳା ଜଣଙ୍କ ଅଶୋକ ସାହୁଙ୍କ ସ୍ତ୍ରୀ ତନୁଶ୍ରୀ ସାହୁ ବୋଲି ଜଣାପଡିଛି । ଆକ୍ରଣଣ ଘଟଣାକୁ ନେଇ ନ୍ୟାୟ ପାଇଁ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ମହିଳା ।

ସୂଚନା ମୁତାବକ, ଗତ ୮ ଦିନ ଧରି ଜମିବାଡ଼ିକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା l ଆଜି ତାହା ଉଗ୍ରରୁପ ଧାରଣା କରିଥିଲା l ପାରିବାରିକ କଳହର ସମାଧାନ ନ ହେବାରୁ ଭାଇବୋହୂଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ ଦେଢଶୂର ଓ ଝିଆରୀ । ତନୁଶ୍ରୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସିଥିଲେ। ସେମାନେ ତନୁଶ୍ରୀଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ଥାନୀୟ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଅଘଟଣ ସମୟରେ ଘରେ ତନୁଶ୍ରୀଙ୍କ ସ୍ବାମୀ ଅଶୋକ ସାହୁ ଘରେ ନ ଥିଲେ। ସେ ନିଜ ଦୋକାନରେ ଥିବା ବେଳେ ଖବରପାଇ ଅଶୋକ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ତନୁଶ୍ରୀଙ୍କ ଚିକିତ୍ସା ପରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ସ୍ବାମୀସ୍ତ୍ରୀ ।

ଏହି ଓ୍ବାର୍ଡରେ ବସବାସ କରନ୍ତି ଅଶୋକ ସାହୁଙ୍କ ପରିବାର ଓ ବଡ ଭାଇ ନରହରି ସାହୁଙ୍କ ପରିବାର । ଦୁଇ ଭାଇଙ୍କ ମଧ୍ୟରେ ଜମିବାଡିକୁ ନେଇ ଲାଗି ରହିଥିଲା ବିବାଦ । ଏହାର ସମାଧାନ ନହେବା ପୂର୍ବରୁ ଦେଢଶୂର ଭାଇବୋହୂକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ତନୁଶ୍ରୀଙ୍କ କପାଳରେ ତିନୋଟି ଷ୍ଟିଜ ପଡି ରହିଥିବା ଜଣାପଡିଛି । ସେପଟେ ତନୁଶ୍ରୀଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ- ଉଗ୍ରରୂପ ନେଲା ପାରିବାରିକ କଳହ, ବଡ ଭାଇର ଛୁରାମାଡରେ ସାନ ଭାଇ ଗୁରୁତର

ଏନେଇ ଆହତ ମହିଳା ତନୁଶ୍ରୀ ସାହୁ କହିଛନ୍ତି ଯେ, "ଆମର ୮ ଦିନ ହେବ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା । ସେମାନେ ବାଲି ସିମେଣ୍ଟ ରଖି ଘର କରୁଥିବାରୁ ଆମକୁ ଯିବା ଆସିବାରେ ଅସୁବିଧା ହେଉଥିଲା । ଏନେଇ ପ୍ରତିବାଦ କରିବାରୁ କଟୁରୀରେ ଦେଢଶୁର ଓ ଝିଆରୀ ମତେ ଆକ୍ରମଣ କରିଥିଲେ । ଏଥିସହ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଛନ୍ତି । ତେଣୁ ଆମର ଜୀବନ ପ୍ରତି ବିପଦ ଥିବାରୁ ନ୍ୟାୟ ଦାବିରେ ଥାନାର ଦ୍ବାରସ୍ଥ ହୋଇଛୁ ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.