ETV Bharat / state

ରାତି ପାହିଲେ ପବିତ୍ର ମହାଶିବରାତ୍ରି, ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା

author img

By ETV Bharat Odisha Team

Published : Mar 7, 2024, 9:26 PM IST

Mahashivratri arrangements made at Lingaraj temple Bhubaneswar: ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ବ୍ୟାପକ ବ୍ୟବସ୍ଥା । ଭିଡ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ଓ ସ୍ବଚ୍ଛତାକୁ ଗୁରୁତ୍ବ । ବିଏମସି ଓ କମିଶନରେଟ ପୋଲିସ ସଜାଗ । ଅଧିକ ପଢନ୍ତୁ

ରାତିପାହିଲେ ପବିତ୍ର ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା
ରାତିପାହିଲେ ପବିତ୍ର ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା

ରାତିପାହିଲେ ପବିତ୍ର ମହାଶିବରାତ୍ରୀ, ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ବର: ରାତି ପାହିଲେ ପବିତ୍ର ମହାଶିବରାତ୍ରି । ଶିବମୟ ହେବ ସମଗ୍ର ଦେଶ । ରାଜ୍ୟର ବିଭିନ୍ନ ଶୈବପୀଠରେ ଆସନ୍ତାକାଲି ଦର୍ଶନ ଓ ମହାଦ୍ବୀପ ଉଠିବା ପାଇଁ ପ୍ରସ୍ତୁତି ଜାରି ରହିଛି । ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଶୈବପୀଠ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସ୍ବଚ୍ଛତା ଓ ସଫେଇ ଉପରେ ଫୋକସ ଦେଇଛି ଭୁବନେଶ୍ବର ମହାନଗର ନିଗମ । ସୁରକ୍ଷା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ବିଏମସି ଓ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ କରିଛନ୍ତି ।

ମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ, ରାତି ୧୦ଟାରେ ମହାଦ୍ବୀପ ଉଠିବ । ବାବା ଲିଙ୍ଗରାଜଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ଆସନ୍ତାକାଲି ଭୋର ୩ଟାରେ ପହଡ ଖୋଲିବା ପରେ ସାଢେ ୩ଟାରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପାଦିତ ହେବ । ଭୋର ୩.୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଦେବେ ବାବା ଲିଙ୍ଗରାଜ । ବାବାଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଲାଗି ବ୍ୟାରିକେଡ ଓ ଟେଣ୍ଟ ସହ କରାଯାଇଛି ସ୍ଵତନ୍ତ୍ର ବ୍ୟବସ୍ଥା । ଧାଡିରେ ଛିଡା ହୋଇ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ମନ୍ଦିରରେ ପ୍ରବେଶ କରିବା ସହ ଦର୍ଶନ ସାରି ଫେରିବେ ।

ତା’ ପରେ ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଶ୍ରୀଜୀଉ ଓ ଠାକୁରାଣୀଙ୍କ ବଲ୍ଲଭ ଓ ସକାଳ ଧୂପ, ଭୋଗ ମଣ୍ଡପ ନୀତି ସମାପିତ ହେବ । ପୁଣିଥରେ ସାହାଣମେଲା ପରେ ସନ୍ଧ୍ୟା ଆଳତୀ ଓ ଶ୍ରୀଜୀଉଙ୍କ ମାର୍ଜଣା, ଯାତ୍ରା ପୂଜା ଓ ବେଢା ଏବଂ ତୀର୍ଥ ଜଳ ଆନୟନ ନୀତିକାନ୍ତି ସମ୍ପନ୍ନ ହେବ । ଦିନ ତମାମ ନୀତିକାନ୍ତି ଓ ଦର୍ଶନ ପରେ ରାତି ୧୦ଟାରେ ମହାଦ୍ବୀପ ଉଠିବ । ତା’ ପରେ ଛାମୁ ପରିଷ୍କାର, ଚାରି ପ୍ରହର ପୂଜା ଓ ହରିହର ଭେଟ ହେବ ବୋଲି ମନ୍ଦିର ପ୍ରସାଶନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି ।


ଅନ୍ୟପଟେ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ନେଇ ମାର୍ଗଦର୍ଶିକା ଜାରି କରିଛି ମହାନଗର ନିଗମ (ବିଏମସି) । ମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟକରଣ କରାଯାଇଥିବା ବେଳେ ମନ୍ଦିର ପରିସରରେ ଆଲୋକୀକରଣ ବ୍ୟବସ୍ଥା ମଧ୍ୟ କରାଯାଇଛି । ଭ୍ରାମ୍ୟମାଣ ଟଏଲେଟ୍‌ ସହ ୩ଟି ସିଫ୍ଟରେ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି । ଏହାସହ ଟ୍ରାଫିକ, ପାର୍କିଂ ବ୍ୟବସ୍ଥାଠାରୁ ନେଇ ଶୌଚାଳୟ ଏବଂ ସ୍ଵଚ୍ଛତା ଉପରେ ମଧ୍ୟ ବିଏମସି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଭକ୍ତମାନେ ଧାଡିରେ ଆସି ଶୃଙ୍ଖଳିତ ଦର୍ଶନ କରିବା ପାଇଁ ସ୍ବତନ୍ତ୍ର ଭାବରେ ବାରିକେଡ ତିଆରି ହୋଇଛି ।

ଏହାସହ ୪୦ ହଜାର ଟଙ୍କା ବ୍ୟୟରେ ମନ୍ଦିର ମୁଖଶାଳା, ସିଂହଦ୍ଵାର, ଭୋଗ ମଣ୍ଡପ, ଜଗମୋହନ, ଚାହାଣି ମଣ୍ଡପ, ଉତ୍ତର ଦ୍ବାର, ଦକ୍ଷିଣ ଦ୍ବାର, ମନ୍ଦିର ପାଚେରୀ ଓ କେଦାରଗୌରୀର ସୌନ୍ଦର୍ଯ୍ୟକରଣ କରାଯିବ । ଆଜିଠାରୁ ୯ ତାରିଖ ସକାଳ ଯାଏଁ ୩ ସିଫ୍ଟରେ ସ୍ବଚ୍ଛତା କର୍ମୀଙ୍କୁ ନିୟୋଜିତ କରିବ ବିଏମ୍‌ସି । ମେଡିସିନ୍, ଆମ୍ବୁଲାନ୍ସ ଓ ଫାଷ୍ଟଏଡ୍ କିଟ୍ ମହଜୁଦ ରଖିବାକୁ ବିଏମସି ହସ୍ପିଟାଲଗୁଡିକୁ ନିର୍ଦ୍ଦେଶ ଦେଇଛି । ଏନେଇ ଅତିରିକ୍ତ କମିଶନରଙ୍କ ନେତୃତ୍ବରେ ଏକାଧିକ ବିଭାଗର ନୋଡାଲ ଅଧିକାରୀଙ୍କୁ ମଧ୍ୟ ତଦାରଖ ଦାୟିତ୍ବ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀ ଗଲେ କାର୍ତ୍ତିକ ପାଣ୍ଡିଆନ- ବବି ଦାସ, ଶୀର୍ଷ ବିଜେପି ନେତାଙ୍କୁ ଭେଟିବେ !

ସେପଟେ ସୁରକ୍ଷା ନେଇ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିଡ ପରିଚାଳନା ସବୁଠୁ ଗୁରୁତ୍ୱପୂର୍ଣ୍ଣ ରହିବ । ୪ଟି ସିଫ୍ଟରେ ପୋଲିସ ସମ୍ପୂର୍ଣ୍ଣ ମନ୍ଦିର ଓ ଆଖପାଖ ସ୍ଥାନରେ ମୁତୟନ ରହିବେ । ଏଥିପାଇଁ ୫ ଜଣ ଅତିରିକ୍ତ ଡିସିପି, ୧୪ ଜଣ ଏସିପି, ୨୧ ଜଣ ଆଇଆଇସି , ୮୪ ଜଣ ଏସଆଇ ଓ ଏସଆଇ 93 ସେକ୍ସନ ଫୋର୍ସ ପୁରା କାର୍ଯ୍ୟକ୍ରମର ସୁରକ୍ଷା ଦାଇତ୍ୱରେ ନିୟୋଜିତ ରହିବେ । ନିଜେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏହାର ତତ୍ତ୍ବାବଧାନ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.