ETV Bharat / state

ମାହାଙ୍ଗା ଡବଲ ମର୍ଡର ଘଟଣା: ବିଧାୟକଙ୍କୁ ଶେଷ ସୁଯୋଗ ଦେଲେ ହାଇକୋର୍ଟ, ୨୨ରେ ପରବର୍ତ୍ତୀ ଶୁଣାଣି - Mahanga Double Murder

author img

By ETV Bharat Odisha Team

Published : Apr 16, 2024, 8:58 PM IST

Mahanga Double Murder: ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ପ୍ରସଙ୍ଗରେ ପୁଣି ସମୟ ନେଇଛନ୍ତି ବିଧାୟକ । ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ପ୍ରତିପକ୍ଷଙ୍କୁ ଶେଷଥର ପାଇଁ ସୁଯୋଗ ଦେଇଛନ୍ତି ହାଇକୋର୍ଟ । ଆସନ୍ତା 22ରେ ମାମଲାର ପରବର୍ତ୍ତୀ ଶୁଣାଣି । ଅଧିକ ପଢ଼ନ୍ତୁ

Mahanga Double Murder
Mahanga Double Murder

କଟକ: ହାଇକୋର୍ଟରେ ମାହାଙ୍ଗା ଡବଲ ମର୍ଡର ମାମଲା । ବିଧାୟକ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ପ୍ରସଙ୍ଗରେ ପୁଣି ସମୟ ନେଇଛନ୍ତି ବିଧାୟକ । ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଇଛନ୍ତି ପ୍ରତିପକ୍ଷ । ଏଥର କିନ୍ତୁ ଶେଷଥର ପାଇଁ ସୁଯୋଗ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଥିବା ବେଳେ ସେପର୍ଯ୍ୟନ୍ତ ବିଧାୟକଙ୍କ ଅନ୍ତରୀଣ ସୁରକ୍ଷାକୁ ବଳବତ୍ତର ରଖିଛନ୍ତି କୋର୍ଟ । ଅର୍ଥାତ ଆସନ୍ତା ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଧାୟକ ପ୍ରତାପ ଜେନା । କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ନାଁରେ ଲାଗିଛି ଦଫା ୩୦୨ । ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମ୍‌ଏଫ୍‌ସିରେ କୋର୍ଟରେ ଏହି ମାମଲା ଚାଲିଛି । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ପ୍ରତାପ ।

ଏହା ମଧ୍ୟ ପଢ଼ନ୍ତୁ...ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗ, ଏପ୍ରିଲ ୧୦ ପର୍ଯ୍ୟନ୍ତ ବିଧାୟକ ପ୍ରତାପଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର - Mahanga Double Murder Case

ମାହାଙ୍ଗା ଡବଲ ମର୍ଡର ଘଟଣା: ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ଅଭିଯୋଗକାରୀ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ 13 ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । 13 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 9 ଜଣ ଗିରଫ ହୋଇଥିଲେ । ଏତଲା ଅନୁଯାୟୀ 13 ତମ ଅଭିଯୁକ୍ତ ଥିଲେ ବିଧାୟକ ପ୍ରତାପ ଜେନା । ହେଲେ ପରବର୍ତ୍ତୀ ସମୟରେ ବିଧାୟକଙ୍କ ନାଁକୁ ଏଫ୍‌ଆଇଆର୍‌ରୁ ହଟାଇ ଦିଆଯାଇଥିଲା । ଏହା ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ରମାକାନ୍ତ । ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ମାହାଙ୍ଗା ଥାନା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍‌ଏଫ୍‌ସି ।

ସେହିବର୍ଷ ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ୩ ମାସ ସମୟ ଗଡ଼ାଇ ଚାଲିଥିଲା ପୋଲିସ୍‌ । ଏହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ । ସେହିବର୍ଷ ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.