ETV Bharat / state

ତୃତୀୟ ପର୍ଯ୍ୟାୟ ନିର୍ବାଚନ, କରଞ୍ଜିଆରେ ଭୋଟ ଦେଲେ ବିଧାୟକ ପ୍ରାର୍ଥୀ ପଦ୍ମଚରଣ - Voting In Karangia

author img

By ETV Bharat Odisha Team

Published : May 25, 2024, 5:17 PM IST

Lok Sabha Election 2024: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ କେନ୍ଦୁଝର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କରଞ୍ଜିଆରେ ଚାଲିଛି ଶାନ୍ତି ଶୃଙ୍ଖଳାର ସହ ମତଦାନ । ଅଧିକ ପଢ଼ନ୍ତୁ

Lok Sabha Election 2024
Lok Sabha Election 2024 (ETV Bharat Odisha)

Lok Sabha Election 2024 (ETV Bharat Odisha)

ରାଇରଙ୍ଗପୁର: ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହାପର୍ବ ନିର୍ବାଚନ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଓଡ଼ିଶାର ୬ଟି ଲୋକସଭା ଆସନ ଓ ୪୨ଟି ବିଧାନସଭା ଆସନରେ ମତଦାନ ଜାରି ରହିଛି । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନ ଓ ଏହି ଲୋକସଭା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ଭୋଟ ଦେବା ପାଇଁ ସକାଳୁ ଭୋଟର ତତ୍ପର ରହିଛନ୍ତି । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାର ତଥା କେନ୍ଦୁଝର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଆଜି ସକାଳ ୭ଟାରୁ ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ସନ୍ଧ୍ୟା ୬.୦୦ ଘଟିକା ପର୍ଯ୍ୟନ୍ତ ଭୋଟର ଭୋଟ ଦେଇ ପାରିବେ । ସେପଟେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ ମଧ୍ୟ ତାଙ୍କର ମତ ସାବ୍ୟସ୍ତ କରି ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ।

ଭୋଟର ମାନେ ନିଜ ନିଜର ବିଧାୟକ ତଥା ସାଂସଦଙ୍କୁ ଚୟନ କରୁଛନ୍ତି । ଚଳିତ ଥର ପ୍ରଥମ କରି ଭୋଟ ଦେବାକୁ ଆସିଥିବା ନୂତନ ଯୁବ ଭୋଟର ମାନେ ନିଜର ମତଦାନ ସାବ୍ୟସ୍ତ କରିବା ସହ ଅତ୍ୟନ୍ତ ଖୁସି ଓ ଉତ୍ସାହିତ ଅଛନ୍ତି । କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ୧୫୮ନଂ ବୁଥରେ ଶାନ୍ତି ଶୃଙ୍ଖଳା ସହିତ ଭୋଟ ଦେଉଥିବା ଭୋଟର ଭାଇ ଭଉଣୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ । ତେବେ ପଦ୍ମଚରଣ ହାଇବୁରୁଙ୍କ କହିବା ଅନୁଯାୟୀ, ସକାଳୁ ୩୦/୪୦ ଟି ସ୍ଥାନରେ ଇଭିଏମ ମେସିନ ଖରାପ ଯୋଗୁ ଲୋକେ ହନ୍ତସନ୍ତ ହୋଇଥିଲେ । ଏଥି ସହିତ ଦୀର୍ଘ ମାସର ଅକ୍ଳାନ୍ତ ପରିଶ୍ରମର ଅନ୍ତ ଘଟିଥିବା କହିଛନ୍ତି ପଦ୍ମଚରଣ ହାଇବୁରୁ । କରଞ୍ଜିଆ ନିର୍ବାଚନ ମଣ୍ଡଳୀଟି କରଞ୍ଜିଆ ବ୍ଳକର ୧୫ଟି, ଠାକୁରମୁଣ୍ଡା ବ୍ଲକର ୧୮ଟି ଓ କପ୍ତିପଦା ବ୍ଲକର ୯ଟି ପଞ୍ଚାୟତ ସହ କରଞ୍ଜିଆ ପୌରପାଳିକାର ୧୫ଟି ୱାର୍ଡକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀରେ ମୋଟ ୨,୦୦,୧୭୦ ଜଣ ଭୋଟର ରହିଥିବାବେଳେ ସେଥି ମଧ୍ୟରୁ ୧,୦୧,୪୦୬ ଜଣ ମହିଳା ଓ ୯୮,୭୫୮ ଜଣ ପୁରୁଷ ଓ କିନ୍ନର ୬ ଜଣ ରହିଛନ୍ତି ।

ସେହିପରି ଆଜି କରଞ୍ଜିଆ ନିର୍ବାଚନ ମଣ୍ଡଳୀର ୨୪୨ଟି ବୁଥରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । କରଞ୍ଜିଆ ବ୍ଲକର ୮୭ଟି ବୁଥରେ ୭୧,୫୨୫ ଜଣ ମତଦାତା, କରଞ୍ଜିଆ ପୌରପାଳିକାର ୧୭ଟି ବୁଥରେ ୧୭,୪୪୧ ଜଣ ମତଦାତା, ଠାକୁରମୁଣ୍ଡା ବ୍ଲକର ୧୦୧ଟି ବୁଥରେ ୭୭,୬୨୬ ଜଣ ମତଦାତା ଓ କପ୍ତିପଦା ବ୍ଲକର ୩୭ ଗୋଟି ବୁଥରେ ୩୩୫୩୮ ଜଣ ମତଦାତା ଭୋଟ ଦେଉଥିବା ବେଳେ ତାଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ୧୩୬୮ ଜଣ ବରିଷ୍ଠ ନାଗରିକଙ୍କ ମତଦାନ ପାଇଁ ବିଶେଷ ସୁବିଧା କରାଯାଇଛି । ତେବେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ୩୯ଟି ସଖୀ ବୁଥ, ୮୦ ଟି ମିଶ୍ରିତ ବୁଥ, ୧୪ଟି ନେଟ ସ୍ୟାଡୋ ବୁଥ, ୨୩ଟି ଯୁବ ବୁଥ, ୮ଟି ସମ୍ବେଦନଶୀଳ ବୁଥ, ୨୨ଟି କ୍ରିଟିକାଲ ବୁଥ, ୧୪୭ ଗୋଟି ୱେବ କାଷ୍ଟ ବୁଥ, ୪୮ ଗୋଟି ମଡେଲ ବୁଥ ଓ ୨୧ ଗୋଟି ଅନ୍ୟ ବୁଥ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.. ବୁଥକୁ ଟାଣୁଛି ସେଲଫି ଜୋନ, ଯୁବଠୁ ବୟସ୍କ ସଭିଏଁ ଉତ୍ସାହିତ - Voting In Bhubaneswar

ସମସ୍ତ ବୁଥ ଗୁଡ଼ିକରେ ୧୬୧୪ ଜଣ କର୍ମଚାରୀ ଓ ୨୫ ଜଣ ସେକ୍ଟର ଅଧିକାରୀ ମତଦାତା ମାନଙ୍କୁ ଶାନ୍ତି ଶୃଙ୍ଖଳାର ସହ ମତଦାନ କରାଉଛନ୍ତି । ସମ୍ବେଦନଶୀଳ ଓ କ୍ରିଟିକାଲ ବୁଥ ଗୁଡିକରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ସମଗ୍ର ନିର୍ବାଚନ ମଣ୍ଡଳୀରେ ଏକ କମ୍ପାନୀ ସାଆଇଏସଏଫ ଫୋର୍ସ ନିୟୋଜିତ କରାଯାଇଛି । ଯେପରି କୌଣସି ବିଶୃଙ୍ଖଳା ପରିସ୍ଥିତି ନସୃଷ୍ଟି ହୁଏ ସେନେଇ ପୋଲିସ ପ୍ରଶାସନ ସଜାଗ ରହିଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଓ ଉପଖଣ୍ଡ ନିର୍ବାଚନ ଅଧିକାରୀ ଶ୍ରୀଚାନ୍ଦ୍ର ବିଭିନ୍ନ ବୁଥ୍ ପରିଦର୍ଶନ କରିବା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ସମସ୍ତ ୧୧ ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ତେବେ କାହାକୁ ଜନତା ଜନାର୍ଦ୍ଦନ ବିଜୟ ମୁକୁଟ ପିନ୍ଧେଇବେ ତାହା ଭୋଟ ଗଣତି ପରେ ଜଣା ପଡ଼ିବ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.