ETV Bharat / state

ଓଡ଼ିଶାରେ ପ୍ରଥମ ପ୍ରର୍ଯ୍ୟାୟ ମତଦାନ; ସରିଲା ପ୍ରଚାର, ସୋମବାର ଭାଗ୍ୟ ପରୀକ୍ଷା - First phase Voting Campaigning ends

author img

By ETV Bharat Odisha Team

Published : May 11, 2024, 9:42 PM IST

Updated : May 11, 2024, 9:48 PM IST

First phase Voting Campaigning ends: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିଛି ପ୍ରଚାର । ଆଉ ଦିନକ ପରେ 4 ଲୋକସଭା ଆସନରେ ଭୋଟ ଦେବେ ମତଦାତା । ଅଧିକ ପଢନ୍ତୁ

Odisha First phase Voting 2024
Odisha First phase Voting 2024 (Photo- ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିଛି ପ୍ରଚାର । ମେ 13 ତାରିଖ ତଥା ଦିନକ ପରେ ସୋମବାର ପଡ଼ିବ ଭୋଟ । ନିଜ ନେତା ବାଛିବେ ରାଜ୍ୟବାସୀ । ଭୋଟରଙ୍କ ଆଗରେ ରହିଛି ରାଜ୍ୟର 3 ପ୍ରମୁଖ ଦଳ ବିଜେପିର 'ମୋଦି ଗ୍ୟାରେଣ୍ଟି', ବିଜେଡିର 'ନଂ-1 ଓଡ଼ିଶା' ଫର୍ମୁଲା ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ '5 ଗ୍ୟାରେଣ୍ଟି' ଭଳି ପ୍ରତିଶୃତି । ଏହି ମୁଦ୍ଦା ନେଇ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଗତ ମାସେ ଧରି ନିର୍ବାଚନୀ ମୈଦାନରେ କସରତ କରିଥିଲେ ନେତାଏ । ଏବେ ସରିଛି ପ୍ରଚାର, ଆସିଛି ପରୀକ୍ଷାର ଘଡ଼ି ।

Lok Sabha Election 2024
Lok Sabha Election 2024 (ETV Bharat Odisha)

ସୋମବାର ଦେଶରେ 2024 ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ରାଜ୍ୟରେ ରହିଛି ପ୍ରଥମ ପର୍ଯ୍ୟାୟ ମତଦାନ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ 4ଟି ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ଏହାର ଅଧୀନରେ ଥିବା 28ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟ ଦେବେ ଭୋଟର । ପ୍ରଥମ ପର୍ଯ୍ୟାୟରେ ମୋଟ ୬୨,୮୭,୨୨୨ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । ନିର୍ବାଚନକୁ ସ୍ବଚ୍ଛ, ଅବାଧ ଓ ଶୃଙ୍ଖଳିତ ଭାବେ ଶେଷ କରିବା ଲାଗି ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ପ୍ରଥମ ପର୍ଯ୍ୟାୟରେ ମତଦାନକୁ ଯାଇଥିବା 4 ସଂସଦୀୟ କ୍ଷେତ୍ର
ଲୋକସଭା ଆସନ ସଂସଦୀୟ କ୍ଷେତ୍ରରେ ଆସୁଥିବା ବିଧାନସଭା ଆସନ
କଳାହାଣ୍ଡିନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା
ନବରଙ୍ଗପୁର ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା
ବ୍ରହ୍ମପୁରଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି
କୋରାପୁଟ ଗୁଣପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ

4 ଲୋକସଭା ଆସନରେ 37 ପ୍ରାର୍ଥୀ:- କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । କଳାହାଣ୍ଡି ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ପ୍ରାର୍ଥୀ ୯ ଓ ମହିଳା ପ୍ରାର୍ଥୀ ୨ ଜଣ । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ୪ ଜଣ ପ୍ରାର୍ଥୀ ରହିଛନ୍ତି । ସମସ୍ତ ପୁରୁଷ ପ୍ରାର୍ଥୀ ଥିବା ବେଳେ କେହି ମହିଳା ପ୍ରାର୍ଥୀ ନାହାନ୍ତି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ପ୍ରାର୍ଥୀ ୧୦ ଓ ମହିଳା ପ୍ରାର୍ଥୀ । ସେହିପରି କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ପ୍ରାର୍ଥୀ ଚୂଡାନ୍ତ ହୋଇଛନ୍ତି । ପୁରୁଷ ପ୍ରାର୍ଥୀ ୭ ଜଣ ଥିବାବେଳେ ମହିଳା ପ୍ରାର୍ଥୀ୪ ପ୍ରତିଦ୍ବନ୍ଦ୍ବିତା କରିବେ । ଉପରୋକ୍ତ ୪ ସଂସଦୀୟ କ୍ଷେତ୍ର ପାଇଁ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଥିବା ମୋଟ ୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ପୁରୁଷ ପ୍ରାର୍ଥୀ ହୋଇଥିବାବେଳେ ୭ ଜଣ ମହିଳା ପ୍ରାର୍ଥୀ ଅଟନ୍ତି ।

Odisha Assembly Election 2024
Odisha Assembly Election 2024 (ETV Bharat Odisha)

ସବୁଠୁ ବଡ଼ ନିର୍ବାଚନ ମଣ୍ଡଳୀ:- ପରିସୀମା ଭାବରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଓ ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନକୁ ଯାଉଥିବା ଓଡ଼ିଶାର 4 ସଂସଦୀୟ କ୍ଷେତ୍ର ମଧ୍ୟରେ ବ୍ରହ୍ମପୁର ସବୁଠାରୁ ସାନ ଓ କୋରାପୁଟ ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର । ସେହିପରି ବିଧାନସଭା କ୍ଷେତ୍ରମାନଙ୍କ ମଧ୍ୟରେ ବ୍ରହ୍ମପୁର ସବୁଠାରୁ ସାନ ଓ ମାନକାନଗିରି ସବୁଠାରୁ ବଡ଼ କ୍ଷେତ୍ର ।

ଏହା ବି ପଢନ୍ତୁ- ସୋମବାର ପଡିବ ଭୋଟ: 280 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 62.87 ଲକ୍ଷ ଭୋଟର

ସୂଚନା ଥାଉ କି ଭାରତୀୟ ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ମତଦାନର 48 ଘଣ୍ଟା ପୂର୍ବରୁ ପ୍ରଚାର କାର୍ଯ୍ୟ ଶେଷ କରାଯାଏ । ସୋମବାର ଭୋଟିଂ ଥିବାରୁ ଆଜି ରାଜ୍ୟ ଓ ଦେଶରେ ସରିଛି ପ୍ରଚାର । ତେବେ ଓଡ଼ିଶା କଥା କହିଲେ, ଆଜି ପ୍ରଧାନମନ୍ତ୍ରୀ ମୋଦି ମାରାଥନ ପ୍ରଚାର କରିଥିଲେ । ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ବରରେ ମେଗା ରୋଡ ସୋ' କରିବା ପରେ ଆଜି ପ୍ରଥମେ ଫୁଲବାଣୀ, ବଲାଙ୍ଗୀର ଓ ଶେଷରେ ବରଗଡ଼ରେ ଜନସଭାରେ ସିଧାସଳଖ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ । ସେପଟେ ଆଜି ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ଭିକେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର ଦେଖିବାକୁ ମିଳିଥିଲା । ଏହି ରାଲିରେ ସେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଟେଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2024, 9:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.